ଭୁବନେଶ୍ୱର- ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ବୁଧବାର ମଧ୍ୟାହ୍ନରେ ପ୍ରକାଶ ପାଇଛି । ଚଳିତ ବର୍ଷ ପାସ୍ ହାର ୭୪.୯୫ ପ୍ରତିଶତ ରହିଛି । ଭୁବନେଶ୍ୱରସ୍ଥିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପୁସ୍ତିକା ପ୍ରକାଶ କରି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ପୂର୍ବ ବର୍ଷ ଅପେକ୍ଷା ପାସ୍ ହାର ୪.୬୯ ପ୍ରତିଶତ ବୃଦ୍ଧି ପାଇଛି । ଗତ ବର୍ଷ ବାଣିଜ୍ୟରେ ପରୀକ୍ଷା ପାସ ହାର ୭୦.୨୬ ପ୍ରତିଶତ ଥିଲା ।
ସେ କହିଛନ୍ତି ଯେ ଚଳିତ ବର୍ଷ ବାଣିଜ୍ୟ ପରୀକ୍ଷା ଦେଇଥିବା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ୭୪.୯୫ ପ୍ରତିଶତ ଅର୍ଥାତ ୧୯ ହଜାର ୩୧୮ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ଅଧିକ ରହିଛି । ୧୨ ହଜାର ୨୧୫ ଜଣ ଛାତ୍ର ପାସ୍ କରିଥିବା ବେଳେ ସେମାନଙ୍କ ପାସ୍ ହାର ୭୩.୩୭ ପ୍ରତିଶତ ରହିଛି । ସେହିପରି ୭ହଜାର ୧୦୩ଜଣ ଛାତ୍ରୀଙ୍କ ପାସ୍ କରିଥିବା ବେଳେ ସେମାନଙ୍କ ପାସ୍ ହାର ୭୭.୮ ପ୍ରତିଶତ ରହିଛିି ।
ସେ କହିଛନ୍ତି ଯେ ୪୦ଜଣ ଛାତ୍ରଛାତ୍ରୀ ୯୦ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ବେଳେ ପ୍ରଥମ ଶ୍ରେଣୀରେ ୬,୬୧୦, ଦ୍ୱିତୀୟ ଶ୍ରେଣୀରେ ୪, ୨୫୯ ଓ ତୃତୀୟ ଶ୍ରେଣୀରେ ୮,୩୬୧ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।
ତେବେ ନୟାଗଡ଼ରେ ସର୍ବାଧିକ ପାସ୍ ହାର ୮୮.୭୦ ପ୍ରତିଶତ ରହିଥିବା ବେଳେ ସର୍ବନିମ୍ନ ପାସ୍ ହାର ୩୪.୧୭ ପ୍ରତିଶତ ଦେବଗଡ଼ରେ ରହିଛି । ୨୯ଟି ଉଚ୍ଚ ମାଧ୍ୟମିକ ସ୍କୁଲରେ ଛାତ୍ରଛାତ୍ରୀ ଶହେ ପ୍ରତିଶତ ରେଜଲ୍ଟ କରିଥିବା ବେଳେ ୨ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କୌଣସି ଛାତ୍ରଛାତ୍ରୀ ପାସ୍ କରି ନ ଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।