ବ୍ରହ୍ମପୁର: ସମ୍ପ୍ରତି କରୋନା ମହାମାରୀ ମୁକାବିଲାରେ ଆଗଧାଡିରେ କାମ କରୁଛନ୍ତି ଆରବିଏସ୍କେ ଆୟୁଷ ଡାକ୍ତର । ଅତି ନିମ୍ନମାନର ଦରମା ପାଉଥିଲେ ବି ସରକାରଙ୍କ ସମସ୍ତ ନିୟମ ମାନି କୋଭିଡ-୧୯ ନିୟନ୍ତ୍ରଣରେ ନିଜକୁ ସାମିଲ୍ କରିଛନ୍ତି । ସେମାନଙ୍କ ପ୍ରତି ସରକାରଙ୍କ ଉଦାସୀନତା ଓ ବୈମାତୃକ ମନୋଭାବର ବିରୋଧ ଏବଂ ନିଜର ଦାବିପୂରଣ ପାଇଁ ଅଗଷ୍ଟ ୫ତାରିଖରୁ କଳା ବ୍ୟାଚ୍ ପିନ୍ଧି ଶାନ୍ତିପୂର୍ଣ୍ଣ ଆନ୍ଦୋଳନକରି ଆସୁଛନ୍ତି । ଆରବିଏସ୍କେ ଆୟୁଷ ଡାକ୍ତରମାନେ କଳା ବ୍ୟାଚ୍ ପିନ୍ଧି ପ୍ରତିବାଦ କରିବା ସହ କରୋନା ମହାମାରୀ ସମୟରେ ସ୍ୱାସ୍ଥ୍ୟସେବାର ଗୁରୁତ୍ୱକୁ ହୃଦୟଙ୍ଗମ କରି ଶାନ୍ତିପୂର୍ଣ୍ଣ ଭାବେ ଦାୟୀତ୍ୱ ନିର୍ବାହ କରୁଛନ୍ତି । ଯଦି ସରକାର ସେମାନଙ୍କର ଦାବିପୂରଣ ନକରନ୍ତି ତେବେ ଅଗଷ୍ଟ ୧୫ତାରିଖରେ ସମୂହ ଇସ୍ତଫା ଦେବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦେଇଥିଲେ । ସେମାନଙ୍କର ଦାବି ମଧ୍ୟରେ ମାସିକ ଦରମା ରେଗୁଲାର ଆୟୁଷ ଡାକ୍ତରଙ୍କ ଦରମା ସହ ସମାନ ବା ମାସିକ ଦରମା ୫୦ହଜାର ଟଙ୍କାକୁ ବୃଦ୍ଧି, ଚାକିରର ସ୍ଥାୟୀକରଣ, କରୋନା ଯୋଦ୍ଧା ଭାବରେ ଘୋଷଣା, ଆରବିଏସ୍କେ ଡାକ୍ତରମାନଙ୍କୁ ଆୟୁଷ ବିଭାଗରେ ଅନ୍ତର୍ଭୁକ୍ତ କରିବା, ସ୍କୁଲ ଅଙ୍ଗନୱାଡ଼ି କେନ୍ଦ୍ରରେ ଶିଶୁମାନଙ୍କୁ ଆୟୁର୍ବେଦିକ ଓ ହୋମିଓପାଥିକ ଔଷଧ ବଣ୍ଟନ ଇତ୍ୟାଦି । କିନ୍ତୁ ସରକାରଙ୍କ ସହିତ ଦୂରଭାଷ ଜରିଆରେ ପ୍ରତିଶ୍ରୁତିକ୍ରମେ ଜନମଙ୍ଗଳ କଲ୍ୟାଣ ନିମନ୍ତେ କରୋନା ମହାମାରୀକୁ ଆଖି ଆଗରେ ରଖି ସମୂହ ଇସ୍ତଫା ସ୍ଥଗିତ ରଖାଯାଇଛି । କିନ୍ତୁ କଳାବ୍ୟାଚ୍ ପରିଧାନ ଜାରି ରହିଛି । ସୂଚନାଯୋଗ୍ୟ ଯେ, ସରକାର ସେମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦେଇଛନ୍ତି ଏବଂ ବିଭିନ୍ନ ଅଧିକାରୀଙ୍କ ଦ୍ୱାରା ସ୍ୱାଧିନତା ଦିବସ ଅବସରରେ ଆୟୁଷ ଡାକ୍ତରଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନୀତ କରିଛନ୍ତି । ଅନ୍ୟ ଦାବିଗୁଡିକ ବି ସରକାର ଶୀଘ୍ର ପୂରଣ କରିବେ ବୋଲି ଡାକ୍ତର ସଂଘ ଆଶାବାଦୀ ଅଛନ୍ତି ।
Related Stories
November 28, 2024