ନୂଆଦିଲ୍ଲୀ– କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ଅଙ୍ଗାରକାମ୍ଳ ପରିମାଣ ହ୍ରାସ ସହିତ ସର୍ବାଧିକ କାର୍ବନ ଷ୍ଟକ (ଅଙ୍ଗାର ଗଚ୍ଛିତ) ସ୍ତର ହାସଲ କରିବାକୁ ତାଙ୍କ ମନ୍ତ୍ରଣାଳୟ ଗୁରୁତ୍ୱର ସହ କାର୍ଯ୍ୟ କରୁଛି । ସେଥିପାଇଁ ଉନ୍ନତ ମାନର ଜଙ୍ଗଲ ସହିତ ଅଧିକ ଜଙ୍ଗଲାଞ୍ଚଳ ସୃଷ୍ଟି ଏବଂ ବ୍ୟାପକ ବୃକ୍ଷରୋପଣ ଉପରେ ଗୁରୁତ୍ୱ ଦିଆଯାଉଛି । ବୃକ୍ଷ ସଂଖ୍ୟା ବୃଦ୍ଧି ପାଇଲେ ଅଙ୍ଗାରକାମ୍ଳ ଶୋଷଣ କାର୍ଯ୍ୟ ସହଜ ହେବ ଏବଂ ପରିବେଶ ଠିକ୍ ହେବ । ରାଜ୍ୟ ଜଙ୍ଗଲ ମନ୍ତ୍ରୀମାନଙ୍କ ସମ୍ମିଳନୀରେ ସେ ଏହା କହିଛନ୍ତି । ଏହି ଅବସରରେ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବାବୁଲ ସୁପ୍ରିୟ ଏବଂ ମନ୍ତ୍ରଣାଳୟର ଅନ୍ୟାନ୍ୟ ଅଧିକାରୀ, ଗୋଆ ଓ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ, କେତେକ ଉପମୁଖ୍ୟମନ୍ତ୍ରୀ ଏବଂ 24ଟି ରାଜ୍ୟର ଜଙ୍ଗଲ ମନ୍ତ୍ରୀ ଭିଡିଓ କନଫରେନ୍ସି ବ୍ୟବସ୍ଥାରେ 4 ଘଣ୍ଟା ବ୍ୟାପୀ ବିଚାର ଆଲୋଚନା କରିଛନ୍ତି ।
ସମ୍ମିଳନୀରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ଜାଭଡେକର କହିଛନ୍ତି ଯେ ଆମ ନୀତି ଓ କାର୍ଯ୍ୟକ୍ରମରେ ବଡ଼ଧରଣର ପରିବର୍ତ୍ତନ ଆଣିବାକୁ ଆମେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛୁ । ସେଥିମଧ୍ୟରେ ବ୍ୟାପକ ବୃକ୍ଷରୋପଣ, ନଗରବନ ଯୋଜନାରେ ସହରାଞ୍ଚଳରେ ଜଙ୍ଗଲ ସୃଷ୍ଟି, 13ଟି ପ୍ରମୁଖ ନଦୀରେ ଲ୍ୟାଣ୍ଡସ୍ସ୍କେପ୍ ବେସ୍ଡ କ୍ୟାଚମେଣ୍ଟ ଟ୍ରିଟମେଣ୍ଟ କାର୍ଯ୍ୟକ୍ରମ, ପତିତ ଜଙ୍ଗଲ ଅଞ୍ଚଳରେ ଲିଆଡର ଭିତ୍ତିକ ସର୍ଭେ ଏବଂ ଜଙ୍ଗଲଜାତ ସାମଗ୍ରୀର ସୁଗମ ପରିବହନ ପାଇଁ ଜାତୀୟ ଟ୍ରାନ୍ଜିଟ ପୋର୍ଟାଲ କାର୍ଯ୍ୟକାରୀ କରିଛୁ । ଲିଆଡର ସର୍ଭେ ବ୍ୟବସ୍ଥାରେ ଉଜୁଡା ଜଙ୍ଗଲାଞ୍ଚଳରେ ମାଟିର ଆର୍ଦ୍ରତା କେତେ ରହୁଛି ତାହାର ସର୍ଭେ କରାଯାଉଛି ।
ଏସବୁ ଉଦ୍ୟମ ଫଳରେ ଆମେ ଆମର ଜାତୀୟ ଓ ଆନ୍ତର୍ଜାତୀୟ ଲକ୍ଷ୍ୟ ପୂରଣ କରିପାରିବୁ । ଜାତୀୟ ଜଙ୍ଗଲ ନୀତି ଏବଂ ଜାତୀୟ ଅଙ୍ଗୀକାର କାର୍ଯ୍ୟରେ ଉଜୁଡା ଜଙ୍ଗଲର ପୁନଃରୁଦ୍ଧାର ଗୁରୁତ୍ୱ ପାଇଛି ବୋଲି ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀ ତାଙ୍କ ସ୍ୱାଧୀନତା ଦିବସ ଭାଷଣରେ ପ୍ରୋଜେକ୍ଟ ଲାୟନ ଓ ପ୍ରୋଜେକ୍ଟ ଡଲ୍ଫିନ ବିଷୟରେ ଘୋଷଣା କରିଛନ୍ତି । ଏହି ଦୁଇଟି ପ୍ରକଳ୍ପ ଦ୍ୱାରା ଦେଶରେ ସିଂହ ଓ ଡଲ୍ଫିନଙ୍କ ସୁରକ୍ଷା ଏବଂ ବିକାଶ ପାଇଁ କାର୍ଯ୍ୟ କରାଯିବ । ପନ୍ଦର ଦିନ ମଧ୍ୟରେ ଏକ ସାମଗ୍ରିକ ପ୍ରୋଜେକ୍ଟ ଡଲ୍ଫିନ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏହାଦ୍ୱାରା ଦେଶର ନଦୀ ଓ ସମୁଦ୍ରରେ ଡଲ୍ଫିନଙ୍କ ସୁରକ୍ଷା ଓ ବିକାଶ ସମ୍ଭବ ହେବ ବୋଲି ଶ୍ରୀ ଜାଭଡେକର କହିଛନ୍ତି ।
ସେ କହିଛନ୍ତି ଯେ ଏହି ଡଲ୍ଫିନ ପ୍ରୋଜେକ୍ଟରେ ଆଧୁନିକ ଟେକ୍ନୋଲଜିର ପ୍ରୟୋଗ କରାଯିବ । ସେମାନଙ୍କର ନିର୍ଭୁଲ ଗଣତି ଏବଂ ଶିକାରକୁ ରୋକିବା ପାଇଁ ଏହି ଟେକ୍ନୋଲଜି ସହାୟକ ହେବ । ନଦୀ ଓ ସମୁଦ୍ର ଉପରେ ନିର୍ଭର କରୁଥିବା ଜନସମୁଦାୟ ଏବଂ ମତ୍ସ୍ୟଜୀବୀମାନଙ୍କୁ ଏହି ପ୍ରକଳ୍ପରେ ସାମିଲ କରାଯିବ । ପ୍ରୋଜେକ୍ଟ ଡଲ୍ଫିନ ଦ୍ୱାରା ଜୀବିକା ଅର୍ଜନ ପାଇଁ ନଦୀ ଓ ସମୁଦ୍ର ଉପରେ ନିର୍ଭର କରୁଥିବା ଲୋକେ ଯେପରି ଅସୁବିଧାରେ ନ ପଡନ୍ତି ତାହାର ମଧ୍ୟ ବନ୍ଦୋବସ୍ତ କରାଯିବ । ଏହି ପ୍ରକଳ୍ପ ସହିତ ନଦୀ ଓ ସାମୁଦ୍ରିକ ପ୍ରଦୂଷଣ ରୋକିବାକୁ ମଧ୍ୟ ଉଦ୍ୟମ ହେବ ।
ମନ୍ତ୍ରୀ ଶ୍ରୀ ଜାଭଡେକର ଆହୁରି ମଧ୍ୟ କହିଛନ୍ତି ଯେ ଭାରତରେ ଥିବା ଏସୀୟ ସିଂହଙ୍କ ବଂଶବୃଦ୍ଧି ପାଇଁ ପ୍ରୋଜେକ୍ଟ ଲାୟନ ସଂପର୍କରେ ସରକାର କାର୍ଯ୍ୟ କରୁଛନ୍ତି । ଏଥିରେ ସିଂହମାନଙ୍କର ବାସସ୍ଥଳୀର ବିକାଶ, ସିଂହଙ୍କ ପରିଚାଳନା, ସିଂହ ଏବଂ ତତ୍ଜାତୀୟ ପ୍ରାଣୀଙ୍କ ରୋଗବ୍ୟାଧି ଅନୁଧ୍ୟାନ ଓ ଚିକିତ୍ସା ଆଦି କ୍ଷେତ୍ରରେ ଅତ୍ୟାଧୁନିକ ଟେକ୍ନୋଲଜିର ବ୍ୟବହାର କରାଯିବ । ଏଥିପାଇଁ ବିଶ୍ୱ ଶ୍ରେଣୀର ପ୍ରାଣୀ ଚିକିତ୍ସା ଓ ଗବେଷଣା ସୁବିଧା ଯୋଗାଇ ଦିଆଯିବ । ସେହଭଳି ମଣିଷ-ସିଂହ ଲଢେଇ ଜନିତ ପ୍ରସଙ୍ଗର ସମାଧାନ ଏବଂ ସିଂହଙ୍କ ସଂଖ୍ୟାବୃଦ୍ଧି କ୍ଷେତ୍ରରେ ସ୍ଥାନୀୟ ସମୁଦାୟଙ୍କୁ ନିୟୋଜିତ କରି ସେମାନଙ୍କୁ ଜୀବିକା ଅର୍ଜନର ସୁଯୋଗ ଯୋଗାଇ ଦେବା ପ୍ରତି ଦୃଷ୍ଟି ଦିଆଯିବ ।
ରାଜ୍ୟ ସରକାରମାନେ ବନୀକରଣ ଏବଂ ବୃକ୍ଷରୋପଣ କାର୍ଯ୍ୟରେ କାମ୍ପା ପାଣ୍ଠି ସ୍ୱତନ୍ତ୍ରଭାବେ ବିନିଯୋଗ କରିବାକୁ ସେ ଗୁରୁତ୍ୱାରୋପ କରିଛନ୍ତି । କାମ୍ପା ପାଣ୍ଠିର 80 ଭାଗ ପର୍ଯ୍ୟନ୍ତ ବୃକ୍ଷରୋପଣ ଓ ବନୀକରଣରେ ବିନିଯୋଗ କରି ଅବଶିଷ୍ଟ 20 ଶତାଂଶ ଦକ୍ଷତା ବିକାଶ ପାଇଁ ଖର୍ଚ୍ଚ କରିବାକୁ ସେ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । 2019 ଅଗଷ୍ଟରେ କେନ୍ଦ୍ର ସରକାର ବନୀକରଣ ପାଇଁ ବିଭିନ୍ନ ରାଜ୍ୟକୁ କାମ୍ପା ପାଣ୍ଠିରେ 47,436 କୋଟି ଟଙ୍କା ଯୋଗାଇ ଦେଇଛନ୍ତି । ଶ୍ରୀ ଜାଭଡେକର ଆହୁରି କହିଛନ୍ତି ଯେ ଖୁବ୍ଶୀଘ୍ର କେନ୍ଦ୍ର ସରକାର ସ୍କୁଲ ନର୍ସରୀ ସ୍କିମ୍ ଘୋଷଣା କରିବେ ।