ମାଲକାନଗିରି-କାଲିମେଳା ୩୨୬ ନଂ ଜାତୀୟ ରାଜପଥର କାଙ୍ଗୁରୁକୋଣ୍ଡା ପୋଲ ଉପରୁ ପାଣି ଖସିବା ପରେ ଏହି ରୁଟ୍ ରେ ଯାନବାହନ ଚଳାଚଳ ଆରମ୍ଭ ହୋଇଛି । ସେହିପରି କନ୍ୟାଶ୍ରମ ପୋଲ ଉପରୁ ପାଣି ଛାଡିବା ପରେ କାଲିମେଳା-ପଡ଼ିଆ ମଧ୍ୟରେ ଯୋଗାଯୋଗ ସ୍ୱାଭାବିକ୍ ହୋଇଛି । ଅନୁରୂପ ଭାବେ ପୋଟେରୁ ବ୍ରିଜ୍, ପାଙ୍ଗାମ, ଏମଭି-୯୬ ଏସବୁ ପୋଲ ଉପରେ ବନ୍ୟା ପାଣି ଖସିଛି । ଏହି ବନ୍ୟା ଯୋଗୁଁ ବିଭିନ୍ନ ସ୍ଥାନରେ ଫଶି ରହିଥିବା ଯାତ୍ରୀ ବାହି ଓ ମାଲ୍ ବୋଝେଇ ଗାଡ଼ି ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ବାହାରିଥିବା ଦେଖିବାକୁ ମିଳିଛି ।
ତେବେ ଅଦ୍ୟାବଧି ଗୋଦାବରୀ ଫୁଲିବା ଯୋଗୁଁ ମୋଟୁ ପଚାଂୟତର ବିଭିନ୍ନ ଗ୍ରାମ ପାଣିଘେରରେ ରହିଛି । ଗତକାଲି ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ି ମୋଟୁ ବନ୍ୟାଚଂଳ ପରିଦର୍ଶନ କରି ମୋଟୁ ତହସିଲଦାର ଶଶାଙ୍କ ମିଶ୍ର ଓ କାଲିମେଳା ଗୋଷ୍ଠି ଉନ୍ନୟନ ଅଧିକାରୀ ଉମାଶଙ୍କର ଦଳେଇଙ୍କ ସହିତ ବନ୍ୟା ପରିସ୍ଥିତି ଓ ବିପନ୍ନଙ୍କ ଥଇଥାନ ନେଇ ବିସ୍ତୃତ ଆଲୋଚନା କରିଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ, ଆଉ ଏକ ଲଘୁଚାପ ଦାନା ବାନ୍ଧୁଥିବାରୁ ଏପରିକି ଦକ୍ଷିଣ ଓଡ଼ିଶା ଉପରେ ଏହାର ପ୍ରଭାବ ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଉଥିବାରୁ ଏହାକୁ ନେଇ ଜିଲ୍ଲାବାସୀ ଆତଙ୍କିତ ହୋଇପଡିଛନ୍ତି ।