-
ଉପକୂଳ ଓଡ଼ିଶାକୁ ପରିବର୍ତନ କରିବାରେ ବଡ଼ ଭୂମିକା ନେବ ଦୀଘା-ଗୋପାଳପୁର ଉପକୂଳ ରାଜପଥ – ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର – ମୋଦି ସରକାରଙ୍କ ଉଚ୍ଚାକାଂକ୍ଷୀ ୪୫୧ କିମି ଲମ୍ବ ଦୀଘା-ଗୋପାଳପୁର ଉପକୂଳ ରାଜପଥ ସମ୍ପୂର୍ଣ୍ଣ ହେଲେ ଏହା ଉପକୂଳ ଓଡ଼ିଶାକୁ ପରିବର୍ତନ କରିବାରେ ବଡ଼ ଭୂମିକା ଗ୍ରହଣ କରିବ । ସ୍ଥାନୀୟ ଅଂଚଳର ପରିବେଶକୁ ସୁରକ୍ଷା ଯୋଗାଇବା ସହ ଉପକୂଳବର୍ତୀ ଅଂଚଳ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ଓ ଭାରତର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଭାବରେ ଉଭା ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏ ସମ୍ପର୍କରେ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ଦୀଘା-ଗୋପାଳପୁର ଉପକୂଳ ରାଜପଥ ପାରାଦୀପ ଏବଂ ଧାମରା ବନ୍ଦରକୁ କୃଷି ଏବଂ ମତ୍ସ୍ୟଜାତ ସାମଗ୍ରୀ ପରିବହନ କରିବାରେ ଅର୍ଥନୈତିକ କରିଡ଼ର ଭାବେ କାର୍ଯ୍ୟ କରିବ । ଏହାସହ ପ୍ରାକୃତିକ ବିପର୍ଯ୍ୟୟ ତଥା ବାତ୍ୟା ଓ ବନ୍ୟା ସମୟରେ ପରିବହନ ଓ ଯୋଗାଣରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ଉପକୂଳ ଅଂଚଳରେ ଏନସିସିର ସଂପ୍ରସାରଣ ସ୍ଥାନୀୟ ଯୁବକଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ ଏବଂ ବିପର୍ଯ୍ୟୟ ପରିଚାଳନାକୁ ମଜବୁତ୍ କରିବାରେ ସହାୟକ ହେବ । ଭିତିଭୂମି ବିକାଶ କ୍ଷେତ୍ରରେ ଓଡ଼ିଶାକୁ ମିଳୁଥିବା ବଳରେ ଆତ୍ମନିର୍ଭର ଭାରତ ନିର୍ମାଣରେ ଅଧିକ ଯୋଗଦାନ ରହିବ ।
ଶ୍ରୀ ପ୍ରଧାନ କହିଛନ୍ତି ଆତ୍ମନିର୍ଭର ଭାରତ ପାଇଁ ଭିତିଭୂମିର ବିକାଶ ଏବଂ ଉତ୍ତମ ସଂଯୋଗ ସ୍ଥାପନା କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଦୂରଦୃଷ୍ଟି ରହିଛି । ଜାତୀୟ ଭିତିଭୂମି ପାଇପଲାଇନ କେବଳ ଭିତିଭୂମି ତିଆରି କରିବାରେ ବୈପ୍ଲବିକ ପରିବର୍ତନ କରିବ ନାହିଁ ବରଂ କୋଭିଡ-୧୯ ପ୍ରଭାବରେ ହୋଇଥିବା ଅର୍ଥନୈତିକ ମାନ୍ଦାବସ୍ଥାକୁ ମଧ୍ୟ ଦୂର କରିବ ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭିତିଭୂମି ଏବଂ ଉତମ ସଂଯୋଗ ସ୍ଥାପନା ଦିଗରେ ଓଡ଼ିଶା ଅଧିକ ଲାଭବାନ ହୋଇପାରିଛି । ସୁଦୀର୍ଘ ବେଳାଭୂମି, ଭାରତର ବୃହତମ ବିପଣନ ବନ୍ଦର ଏବଂ ପାରାଦୀପ ସ୍ଥିତ ପେଟ୍ରୋଲିୟମ କମ୍ପଲେକ୍ସ ସହ ଓଡ଼ିଶା ନିଜର ଭୌଗଳିକ ସ୍ଥିତି କାରଣରୁ ଭିତିଭୂମିକୁ ଅଧିକ ମଜବୁତ୍ କରିବାର ସାମର୍ଥ୍ୟ ରଖିଛି ବୋଲି ସେ କହିଛନ୍ତି ।