
ବାରିପଦା– ଟ୍ରାକ୍ଟର ଓଲଟି ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ୬୧ନଂ ରାଜ୍ୟ ରାଜପଥ ବାରିପଦା-ଅମର୍ଦ୍ଦା ମୁଖ୍ୟ ରାସ୍ତାର ଝିଙ୍କିରିଆ ଛକ ନିକଟରେ ଆଜି ସକାଳେ ଘଟିଛି ଏହି ଦୁର୍ଘଟଣା । ନିୟନ୍ତ୍ରଣ ହରାଇ ଟ୍ରାକ୍ଟର ଓଲଟି ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ମୃତକ ମଙ୍ଗଲ ମୁର୍ମୁ ଓ ଭୁଣ୍ଡା ମୁର୍ମୁ । ଉଭୟଙ୍କର ବୟସ ପାଖାପାଖି ୨୦ । ଗୁରୁତର ଦୁଃଖିଆ ହେମ୍ବ୍ରମ ରାସଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ମୃତକ ଏବଂ ଗୁରୁତର ସମସ୍ତେ ମୋରଡ଼ା ଥାନା ଅନ୍ତର୍ଗତ ବରକନ୍ଦ ପଞ୍ଚାୟତ ତେନ୍ତୁଳିବାଟି ଗ୍ରାମର ବୋଲି ଜଣାପଡିଛି। ଟ୍ରାକ୍ଟରଟି ଭାରସାମ୍ୟ ହରାଇ ୧୫ ଫୁଟ ତଳକୁ ଖସି ପଡ଼ିଥିଲା । ଟ୍ରାକ୍ଟରରେ ଛଅ ଜଣ ଥିବା ବେଳେ ଚାରି ଜଣଙ୍କ ଉପରେ ଗାଡିର ଇଞ୍ଜିନ ଚାପି ହୋଇ ଯାଇଥିଲା । ସେମାନଙ୍କ ମଧ୍ୟରୁ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଜଣେ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିଲେ ।