ମାଲକାନଗିରି– ଗତ ୬ ଦିନ ଧରି ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲା ସୀମାନ୍ତ ପଡିଆ ବ୍ଲକ ର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହ ନଦୀ କୁଳିଆ ଗ୍ରାମ ଗୁଡିକ ଜଳ ଘେରରେ ରହିଛି । ବିଭିନ୍ନ ସ୍ଥାନରେ ଯାତାୟତ ବନ୍ଦ ରହିବା ସହ ଶହ ଶହ ଏକର ଚାଷ ଜମିରେ ବନ୍ୟା ପାଣି ଯୋଗୁଁ ବାଲି ଚରି ଯିବା ଓ ଅତ୍ୟଧିକ ପାଣି ଯୋଗୁଁ ଫସଲ ନଷ୍ଟ ହେବାକୁ ବସିଲାଣି । ବର୍ଷା ର ତାଣ୍ଡବ ଯୋଗୁଁ ୫0 ବର୍ଷ ତଳେ ତିଆରି ହୋଇଥିବା ପଡିଆ ସ୍ଥିତ ଶିବ ମନ୍ଦିରର ତୋରଣ ସହ ଛାତ ସମ୍ପୂର୍ଣ୍ଣ ଭୁଶୁଡ଼ି ଯାଇଛି ।
ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ, ଗତକାଲି ରାତ୍ରି ପ୍ରାୟ ୨ ଟା ବେଳେ ଶିବ ମନ୍ଦିରର ଛାତ ଭୁଶୁଡି ପଡିଥିଲା । ଶିବ ମନ୍ଦିର ଭୁଶୁଡିବା ପରେ ସ୍ଥାନୀୟ ଶୈବ ଭକ୍ତଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେବା ସହ ପ୍ରଶାସନ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।
ସୂଚନା ମୁତାବକ, ଉପର ମୁଣ୍ଡରେ ଲଗାଣ ବର୍ଷା ଜାରି ରହିଥିବାରୁ ଗିରିକାନପାଲ୍ଲୀ ପଞ୍ଚାୟତର ପେଦାଗୁଡା, ପ୍ରେମାଗୁଡା, ଜାଲିଗୁଡା ଆଦି ଗ୍ରାମ ଗୁଡିକ ଜଳ ଘେର ମଧ୍ୟକୁ ଚାଲି ଯାଇଥିବା ବେଳେ ନଦୀ ପାଣି ଶିମିଳିବାଞ୍ଛା ପଞ୍ଚାୟତର ଏମପିଭି-୬୯ ଗ୍ରାମ ନଦୀ ନିକଟବର୍ତ୍ତୀ ହୋଇଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଛନକା ପଶିଲାଣି । ପଡିଆ କୃଷି କାର୍ଯ୍ୟାଳୟ ଅନ୍ତର୍ଗତ ୧୦ ଟି ପଞ୍ଚାୟତରେ ଶହ ଶହ ଏକର ଚାଷ ଜମିରେ ନଦୀ ପାଣି ଜମି ରହିବାରୁ ଫସଲ ନଷ୍ଟ ହୋଇଥିବା ବେଳେ ଶିମିଳିବାଞ୍ଛା, ଗିରିକାନପଲ୍ଲୀ, କାଲଦାପଲ୍ଲୀ ଓ ଭୁବନପଲ୍ଲୀ ଅଞ୍ଚଳର ଅନେକ ଚାଷୀ ଏ ନେଇ ଅଭିଯୋଗ କରିଥିବା ପଡିଆ କୃଷି ଅଧିକାରୀ ରଶ୍ମିରଞ୍ଜନ ମହାରଣା କହିଛନ୍ତି । ଆଗାମୀ କିଛି ଘଣ୍ଟା ବର୍ଷା ହେଲେ ଗିରିକାନପଲ୍ଲୀ ଓ ଶିମିଳିବାଞ୍ଛା ପଞ୍ଚାୟତର ପ୍ରାୟ ୬ ଗ୍ରାମ ଜଳମଗ୍ନ ହେବାକୁ ଥିବାରୁ ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।