କନ୍ଧମାଳ – ଜଣେ ଦୁର୍ନୀତି ଅଭିଯୋଗ ଥିବା ଯନ୍ତ୍ରୀଙ୍କୁ ଫୁଲବାଣୀ ସଦର ମହକୁମା ବ୍ଲକରେ ଅତିରିକ୍ତ ସହକାରୀ ଯନ୍ତ୍ରୀ ଦାୟିତ୍ୱ ଦେବା କେତେଦୂର ଯୁକ୍ତିଯୁକ୍ତ ତାକୁ ନେଇ ସହରରେ ଚର୍ଚ୍ଚା ଜୋର ଧରିଛି । ପବିତ୍ର ମୋହନ ସାହୁ ନାମକ ଏହି ଯନ୍ତ୍ରୀ ଜଣକ ପୂର୍ବରୁ ଡେପୁଟେସନରେ ଆସି ଫିରିଙ୍ଗିଆ ବ୍ଲକରେ ଦୀର୍ଘବର୍ଷ ଧରି କାର୍ଯ୍ୟ କରୁଥିଲେ । ସେତେବେଳେ ତାଙ୍କ ନାଁରେ ବହୁ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ ଆସିଥିଲା । ପରେ ସରକାର ତାଙ୍କୁ ସେ ଆସିଥିବା ତାଙ୍କର ପ୍ରଥମ ବିଭାଗ, ଜଳସେଚନ ବିଭାଗ ବଲାଙ୍ଗିରକୁ ବଦଳୀ କରିଥିଲେ । ସେଠାରେ କେଇଟା ମାସ ରହିବା ପରେ ପୁଣି ବାଲିଗୁଡା ଆଇଟିଡିଏକୁ ବଦଳି ହୋଇ ଆସିଲେ ଯନ୍ତ୍ରୀ ସାହୁ । ସେଠାରୁ ପୁଣି ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଫୁଲବାଣୀ ଆଇଟିଡିଏକୁ ଆସି ଯନ୍ତ୍ରୀଭାବେ ଫିରିଙ୍ଗିଆ ବ୍ଲକ ଦାୟୀତ୍ୱ ନେଲେ । ତାପରେ ପୁଣି ରାଜନୈତିକ ନେତାଙ୍କୁ ଧରି ଫୁଲବାଣୀ ବ୍ଲକ ଦାୟୀତ୍ୱରେ ଥିବା ଫିରିଙ୍ଗିଆ ବ୍ଲକ ସହକାରୀ ଯନ୍ତ୍ରୀଙ୍କୁ ହଟାଇ ଫୁଲବାଣୀ ବ୍ଲକ ସହକାରୀ ଯନ୍ତ୍ରୀ ଭାବେ ଗତ ୨ ମାସ ହେଲା ଅତିରିକ୍ତ ଦାୟୀତ୍ୱ ଗ୍ରହଣ କରିଛନ୍ତି ପବିତ୍ର ମୋହନ ସାହୁ ।
ଜଣେ ଆଇଟିଡିଏ ଯନ୍ତ୍ରୀଙ୍କ ମାଧ୍ୟମରେ କୋଟି କୋଟି ଟଙ୍କାର କାର୍ଯ୍ୟ ଚାଲିଥିବା ବେଳେ ସେ କାର୍ଯ୍ୟକୁ ସେ ସୁଚାରୁରୂପେ ସଂପାଦନ କରିପାରୁନଥିବା ବେଳେ ପୁଣି ଫୁଲବାଣୀର ୧୧ ପଂଚାୟତର ସହକାରୀ ଯନ୍ତ୍ରୀ ରୂପେ ଦାୟୀତ୍ୱ କିପରି ସମ୍ଭାଳିବେ ତାକୁ ନେଇ ଉଠିଛି ପ୍ରଶ୍ନ । ଫୁଲବାଣୀ ବ୍ଲକରେ ଜଣେ ସ୍ଥାୟୀ ସହକାରୀ ଯନ୍ତ୍ରୀ ନିଯୁକ୍ତି ନିତାନ୍ତ ଆବଶ୍ୟକ । ଏଣୁ ଆଇଟିଡିଏ ଯନ୍ତ୍ରୀ ପବିତ୍ର ସାହୁଙ୍କୁ ଏଠାରୁ ଅପସାରିତ କରି ଜଣେ ଦକ୍ଷ ସ୍ଥାୟୀ ସହକାରୀ ଯନ୍ତ୍ରୀ ନିଯୁକ୍ତି ଦେଲେ କାର୍ଯ୍ୟର ମାନ ବୃଦ୍ଧି ହେବାସହ ଉନ୍ନୟନ ମୂଳକ କାର୍ଯ୍ୟ ହୋଇ ପାରିବ ବୋଲି ମତପ୍ରକାଶ ପାଉଛି ।