ଗଞ୍ଜାମ – ପିତଳ ବାଳକ ଏବଂ ବାଳିକା ଦୁଇଟି ପ୍ରାଥମିକ ବିଦ୍ୟାଳୟ ପାଖାପାଖି ଦୂରତାରେ ଥିବାରୁ ସରକାର ନିୟମ ଅନୁସାରେ ଏହି ବିଦ୍ୟାଳୟ ଦୁଇଟି ଗତବର୍ଷ ମିଶ୍ରଣ କରାଯାଇଛି । ଏବଂ ଦୁଇଟି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ପାଚିକା ଓ ସହାୟିକାଙ୍କୁ ଗୋଟିଏ ବିଦ୍ୟାଳୟରେ ନିଯୁକ୍ତି ଦିଆଯାଇଥିଲା । କିନ୍ତୁ ଗତ ୨୧.୯.୨୦୧୯ ପତ୍ରାଙ୍କ ୧୪୧୬ ପ୍ରକାରେ ଶେରଗଡ଼ ବ୍ଲକ ଶିକ୍ଷାଧିକାରୀ ପିତଳ ବାଳକ ବିଦ୍ୟାଳୟର ଦୁଇଜଣ ପାଚିକା ସହାୟିକାଙ୍କୁ କାର୍ଯ୍ୟରୁ ବହିଷ୍କୃତ କରିଥିବା ଆଦେଶପତ୍ର ଅନ୍ୟାୟ ଭାବେ ଆଜି ପ୍ରଦାନ କରିଛନ୍ତି । ଏହି ଦୁଇଜଣ ମହିଳା ଅତି ଗରିବ ଶ୍ରେଣୀର ଏବଂ ଭିନ୍ନକ୍ଷମ । ଏହି ଆଦେଶ ଫଳରେ ଏମାନଙ୍କ ପେଟପାଟଣା ଉପରେ ଗଭୀର ପ୍ରଭାବ ପଡ଼ିଛି । ଏଣୁ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପିତଳ ବାଳିକା ପ୍ରାଥମିକ ବିଦ୍ୟାଳୟର ପାଚିକା ଚନ୍ଦ୍ରମା ମହାନ୍ତିଙ୍କର ବୟସ ୭୦ ବର୍ଷରୁ ଉଦ୍ଧ୍ୱର୍ ହେଲାଣି । ସେ କାର୍ଯ୍ୟ କରିବାକୁ ଅକ୍ଷମ । ତଥାପି ସେ ଜଣେ ମୂଲିଆଣିକୁ ପଠାଇ ରନ୍ଧାକାମ କରାଇ ସେ ମାସିକ ଦରମା ପାଉଛନ୍ତି । ଏଣୁ ଗଞ୍ଜାମ ଜିଲ୍ଲାପାଳ ଘଟଣାର ତଦନ୍ତ କରି ଚନ୍ଦ୍ରମା ମହାନ୍ତିଙ୍କୁ କାର୍ଯ୍ୟାନ୍ତର କରି ସେହି ସ୍ଥାନରେ ଭିନ୍ନକ୍ଷମ ଅସହାୟ ଓ ଅବିବାହିତା ମହିଳା ସଞ୍ଜୁ ମହାନ୍ତି ପାଚିକା ରୂପେ ନିଯୁକ୍ତ କଲେ ତା’ର ଭରଣ ପୋଷଣ ସହ ଜୀବନ ରକ୍ଷା ହୋଇପାରିବ ବୋଲି ଜନମତ ପ୍ରକାଶ ପାଉଛି ।
Related Stories
November 24, 2024
November 24, 2024