-
ସୁଧୁରୁଛି ଗଞ୍ଜାମର କରୋନା ସ୍ଥିତି
-
ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ୧ଲକ୍ଷ ଟପିଲା ଟେଷ୍ଟ
-
ପଞ୍ଚସୂତ୍ରୀ ନିୟମ ପାଳନ କଡାକଡି କରିବାକୁ ନିର୍ଦ୍ଦେଶ
-
ସଂକ୍ରମିତଙ୍କ ଚିହ୍ନଟ ପ୍ରକ୍ରିୟା ତୋରାନ୍ୱିତ ଉପରେ ଗୁରୁତ୍ୱ: ଜିଲ୍ଳାପାଳ
ବ୍ରହ୍ମପୁର: ଜୁଲାଇ ମାସ ଠାରୁ ଅଗଷ୍ଟ ମାସରେ ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିଛି । ଅଗଷ୍ଟ ପହିଲାରୁ ଜିଲ୍ଳାରେ ସଂକ୍ରମିତଙ୍କୁ ଚିହ୍ନଟ ପାଇଁ ୧୦ଗୁଣା ଟେଷ୍ଟ ଆଗ ଅପେକ୍ଷା କରାଯାଉଛି । ଆଗରୁ ଦିନକୁ ୬୦ପ୍ରତିଶତ କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ବର୍ତ୍ତମାନ ତାହା ନୁହଁ ସଂକ୍ରମିତଙ୍କ ସଂଖ୍ୟା କମିବା ସହ ଗଞ୍ଜାମର ସ୍ଥିତିରେ ସୁଧାରକୁ ଆସୁଛି । ଟେଷ୍ଟ ବଢ଼ୁଥିବାରୁ ରୋଗୀଙ୍କ ସଂଖ୍ୟା ମଧ୍ୟ କମୁଛି । ବର୍ତ୍ତମାନ ୧୫ପ୍ରତିଶତ ହିଁ ଚିହ୍ନଟ ହେଉଛନ୍ତି ବୋଲି ସ୍ଥାନୀୟ ଟାଉନ୍ ହଲ୍ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି । ଗତ ଏପ୍ରିଲ୍ ମାସ ଠାରୁ ପ୍ରବାସୀମାନେ ଜିଲ୍ଲାକୁ ଆସିଥିଲେ । ପ୍ରାୟ ୪ଲକ୍ଷ ପ୍ରବାସୀ ଆସିବାପରେ ସେମାନଙ୍କୁ ୨୨ଟି ବ୍ଲକ୍ ଓ ୧୭ଟି ଏନ୍ଏସି ଅଞ୍ଚଳରେ ୩ହଜାରରୁ ଊର୍ଦ୍ଧ୍ୱ ମେଡିକାଲ୍ କ୍ୟାମ୍ପ ପ୍ରତିଷ୍ଠା କରାଯାଇ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖାଯାଇଥିଲା । ବର୍ତ୍ତମାନ ଗ୍ରାମାଞ୍ଚଳରେ ଗ୍ରୀନ୍ ଜୋନ୍ ସଂଖ୍ୟା ବଢ଼ୁଛି । ପ୍ରାୟ ୮୪ପ୍ରତିଶତ ଗ୍ରାମ ଏବେ ଗ୍ରୀନ୍ ଜୋନ୍ରେ ରହିଛି । ସହରାଞ୍ଚଳର ମଧ୍ୟ ଗ୍ରୀନ୍ ଜୋନ୍ ପ୍ରତିଶତ ଅଗଷ୍ଟରୁ ବଢ଼ିଛି । ବର୍ତ୍ତମାନ ଜିଲ୍ଲାରେ ପଞ୍ଚମ ପର୍ଯ୍ୟାୟ ସ୍ୱାସ୍ଥ୍ୟ ଯାଞ୍ଚ ଆରମ୍ଭ ହେଉଛି । ଆଜି ସୁଦ୍ଧା ଜିଲ୍ଲାରେ ୧ଲକ୍ଷ ଟପିଲାଣି ଟେଷ୍ଟ । ଏହା ଆମ ପାଇଁ ଖୁସିର ଖବର । ରାଜ୍ୟରେ ଏହା ପ୍ରଥମ ଜିଲ୍ଲା ଭାବେ କରୋନା ଚିହ୍ନଟ ପାଇଁ କରାଯାଉଥିବା ଟେଷ୍ଟରେ ଲକ୍ଷେ ଛୁଇଁଛି । ଦିନକୁ ପ୍ରାୟ ୮ହଜାର ଟେଷ୍ଟ କରାଯାଉଛି । ତାହିଁରୁ ୩ପ୍ରତିଶତ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ବର୍ତ୍ତମାନ ଆର୍ଟିିପିସିଆର ଓ ଆଣ୍ଟିଜେଣ୍ଟ ଟେଷ୍ଟ ଜିଲ୍ଲାରେ ହେଉଛି । ଅଗଷ୍ଟ ମାସରେ ସଂକ୍ରମିତଙ୍କ ସଂଖ୍ୟା କମିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ତହସିଲଦାର ଓ ପୋଲିସଗଣ । ସେମାନଙ୍କ ଏନ୍ଫୋର୍ସମେଣ୍ଟ ଓ ବ୍ୟବସାୟୀଙ୍କ ପଞ୍ଚସୂତ୍ରୀ ନିୟମ ହେଲା ସଂକ୍ରମିତ କମିବାର ମୁଖ୍ୟ କାରଣ । ଜିଲ୍ଲାରେ ସ୍ୱାସ୍ଥ୍ୟ ଭୂତିଭୂମି ସୁଦୃଢ଼ କରାଯାଇଛି । ଗ୍ରାମାଞ୍ଚଳରେ କରାଯାଇଥିବା କୋଭିଡ୍ କେୟାର ସେଣ୍ଟରରେ ୫୦୨୮ ଶଯ୍ୟା ଥିବାବେଳେ ସଂକ୍ରମିତ ଅଛନ୍ତି ୧୮୦ । ସେପଟେ କୋଭିଡ୍ କେୟାର ହୋମ୍ରେ ୩୭୩୪ ଶଯ୍ୟା ଥିବାବେଳେ ସଂକ୍ରମିତ ଅଛନ୍ତି ୪୬୧ । ସେହିପରି ଜିଲ୍ଲାର ୩ଟି କୋଭିଡ୍ ହସ୍ପିଟାଲ ଶୀତଳାପଲ୍ଲୀ ଟାଟା କୋଭିଡ୍, ଏମ୍କେସିଜି ଓ କନିଷି ଅମିତ୍ ହସ୍ପିଟାଲ ପରିସରରେ ୫୨୦ ଶଯ୍ୟାରେ ପ୍ରାୟ ୨୫୦ଜଣ ରୋଗୀ ଚିକିତ୍ସିତ ହେଉଥିବା ଜଣାପଡିଛି । ବର୍ତ୍ତମାନ ସାମୂହିକ ଟେଷ୍ଟ ପାଇଁ ଜନସାଧାରଣ ନିଜସ୍ୱ ଇଛା କରି ଆଗକୁ ଆସନ୍ତୁ । ସୁସ୍ଥ ହୋଇଥିବା ରୋଗୀ ପ୍ଲାଜମା ଦାନ କରନ୍ତୁ ବୋଲି ଜିଲ୍ଲାପାଳ ଅନୁରୋଧ କରିଥିଲେ । ସଂକ୍ରମିତ ଚିହ୍ନଟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉଛି । ସଂଘରୋଧରେ ରହିଥିବା ରୋଗୀକୁ ୧୦ଦିନିଆ ରୋଗୀ ସେବା ଦିଆଯିବା ସହ ଡାକ୍ତରୀ ଦଳଙ୍କ ନଜରବନ୍ଦିରେ ରହୁଥିବା ସେ କହିଛନ୍ତି । ଗଞ୍ଜାମରେ କରୋନା ହାରିବ ଆଉ ଆମେ ଜୀତିବା ରାସ୍ତାରେ ପହଞ୍ôଚଗଲେଣି ବୋଲି ଜିଲ୍ଲାପାଳ କହିଥିଲେ । ସେହିପରି ସାମ୍ବାଦିକ ସମ୍ମିଳନୀରେ ବିଏମ୍ସି କମିଶନର ଚକ୍ରବର୍ତ୍ତି ସିଂ ରାଥୋଡ ଯୋଗଦେଇ କହିଥିଲେ ଯେ, ନିଗମ ଅଞ୍ଚଳରେ କୋଭିଡ୍ ମନିଟରର ସଦସ୍ୟମାନେ ସଂକ୍ରମିତଙ୍କୁ ଚିହ୍ନଟ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଛନ୍ତି । ସ୍ୱଚ୍ଛ ସାଥିମାନେ ଘରକୁ ଘର ବୁଲି ବିଭିନ୍ନ ରୋଗରେ ପୀଡିତ ଥିବା ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ କରୁଛନ୍ତି । ୩୭ଜଣ କୋଭିଡ୍ ବନ୍ଧୁ ୱାର୍ଡକୁ ୱାର୍ଡ ବୁଲି ସଂକ୍ରମିତ ଚିହ୍ନଟ କରିବା ସହ ଲୋକଙ୍କୁ ସଚେତନତା କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । ବ୍ରହ୍ମପୁର ସହରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଶୂନ ନହେବା ପର୍ଯ୍ୟନ୍ତ ସହରକୁ ପ୍ରବେଶ ଓ ପ୍ରସ୍ତାନ କରୁଥିବା ସମସ୍ତ ସୀମା ସିଲ୍ କରିବା ସହ ସମସ୍ତ ବଜାର ଓ ଦୋକାନ ସମ୍ମୁଖରେ ବ୍ୟାରିକେଟ୍ ରହିବ । ଏହାସହ ସହର ଭିତରକୁ ଆସୁଥିବା ବାହାର ଅଞ୍ଚଳର ଲୋକଙ୍କ ଉପରେ ନଜର ରଖାଯିବ ବୋଲି କମିଶନର ସୂଚନା ଦେଇଥିଲେ । ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତାତ୍ରୟ ଭାଉସାହେବ ଯୋଗଦେଇ ସବ୍ଡିଭିଜନସ୍ତରରେ ସ୍କ୍ରିନିଂ କରାଯାଊଛି । ଗତ କିଛିଦିନତଳେ ୩୫ହଜାର ସ୍କ୍ରିନିଂ ସବ୍ଡିଭିଜନର ସମସ୍ତ ବ୍ଳକ୍ରେ କରାଯାଇଥିଲା । କିନ୍ତୁ ମାତ୍ର ୧୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ତେଣୁ ବ୍ଲକ୍, ତହସିଲ, ଏନ୍ଏସି ଓ ପୋଲିସ ପ୍ରଶାସନର ମିଳିତ ଉଦ୍ୟମରେ ସବ୍ଡିଭିଜନର ବିଭିନ୍ନ ଅଞ୍ଚଳରେ ସଂକ୍ରମିତ ସଂଖ୍ୟା କମିବା ସହ ଗ୍ରୀନ୍ ଜୋନ୍ରେ ଆସିବାରେ ସକ୍ଷମ ହୋଇଛି । ବିଶେଷକରି ସାନଖେମୁଣ୍ଡି ଓ ପାତ୍ରପୁର ବ୍ଲକ୍ରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଥିଲା । ବର୍ତ୍ତମାନ ଜନସଚେତନତା ଓ ପ୍ରଶାନିକ ଅଧିକାରୀଙ୍କ ସଚେତନତା ଯୋଗୁ ତାହା ଗ୍ରୀନ୍ ଜୋନ୍କୁ ଆସିଛି ବୋଲି ସେ କହିଥିଲେ । ବର୍ତ୍ତମାନ ଜିଲ୍ଲାର ଗ୍ରାମାଞ୍ଚଳରେ ସଙ୍ଗରୋଧରେ ୬୯୪ଜଣ ସଂକ୍ରମିତ ରହିଥିବା ବେଳେ ସହରାଞ୍ଚଳରେ ୧୭୦ ଓ ବିଏମ୍ସି ଅଞ୍ଚଳରେ ୬୫ଜଣ ରହିଛନ୍ତି । ସେମାନଙ୍କୁ ୧୦ଦିନିଆ ଔଷଧ କିଟ୍ ଦେବାସହ ଡାକ୍ତରୀଦଳଙ୍କ ନଜର ବନ୍ଦିରେ ରହିଛନ୍ତି । ୨୪ଘଣ୍ଟିଆ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ କାର୍ଯ୍ୟ କରୁଛି ବୋଲି ଜିଲ୍ଳାପାଳ ସୂଚନା ଦେଇଥିଲେ । ବର୍ତ୍ତମାନ ଜିଲ୍ଲାରେ ୧୫୮୯ କରୋନା ଯୋଦ୍ଧା ସଂକ୍ରମିତ ହୋଇଥିବା ବେଳେ ୧ହଜାରରୁ ଉର୍ଦ୍ଧ୍ୱ ସୁସ୍ଥ ହୋଇଛନ୍ତି ଓ ୨୫ଜଣ ଏଥିମଧ୍ୟରେ ମୃତ୍ୟୁବରଣ କରିଥିବା ଜିଲ୍ଲାପାଳ ସୂଚନା ଦେଇଥିଲେ । ପଞ୍ଚସୂତ୍ରୀ ପାଳନ ନକରିବା ଅଭିଯୋଗରେ ଶୁକ୍ରବାର ଦିନ ବ୍ରହ୍ମପୁର ସହରର ୨୧ଟି ଦୋକାନ ସିଲ୍ କରାଯାଇଛି । ଆଗାମୀ ୧୫ଦିନ ପର୍ଯ୍ୟନ୍ତ ଦୋକାନ ସିଲ୍ କରିବା ସହ କୋଭିଡ୍ ୧୯ ନିୟମ ଉଲ୍ଳଂଘନ କରିବା ଅଭିଯୋଗରେ ପ୍ରଶାସନ ଓ ବିଏମ୍ସିର ମିଳିତ ଉଦ୍ୟମରେ ୧୫ଟି ସ୍କ୍ୱାର୍ଡ ସହରର ବିଭିନ୍ନ ଅଞ୍ଚଳ ବୁଲି ଏହି କାର୍ଯ୍ୟ କରିଥିବା ୧ଲକ୍ଷ ୪୪ହଜାର ୫୦୦ ଜୋରିମାନା ଆଦାୟ କରାଯାଇଛି ବୋଲି କମିଶନର ସୂଚନା ଦେଇଥିଲେ ।