-
ଅତିଥି କହିଲେ, ଶିଶୁର ସୃଜନାତ୍ମକ ଶକ୍ତିର ବିକାଶ କରେ ସଙ୍ଗୀତ ଓ ନୃତ୍ୟ
ବାଲେଶ୍ବର,୧୩/୮: ବାଲେଶ୍ବରର ଅଗ୍ରଣୀ ନୃତ୍ୟ ଓ ସଂଗୀତ ଅନୁଷ୍ଠାନ ‘ନାଚ୍’ (ନ୍ୟାସନାଲ ଏକାେଡ଼ମୀ ଫର୍ ଆର୍ଟ ଏଣ୍ତ୍ କୋରିଓଗ୍ରାଫି ହବ୍) ପକ୍ଷରୁ ଅନଲାଇନ ‘ନାଚ୍ ଜୁନିଅର ମଡେଲ ୨୦୨୦’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ ବିଭିନ୍ନ ଜିଲ୍ଲାରୁ ପ୍ରାୟ ୭୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ। ପ୍ରଥମେ ୨୦ ଜଣ ପ୍ରତିଯୋଗୀ ଏବଂ ପରେ ଚୁଡାନ୍ତ ପର୍ଯ୍ୟାୟରେ ୬ ଜଣ ପ୍ରତିଯୋଗୀ ପହଁଚିଥିଲେ। କରୋନା ମହାମାରୀ ସମୟରେ ସରକାରଙ୍କ ନିୟମକୁ ମାନି ନୃତ୍ୟ ଅନୁଷ୍ଠାନ ବନ୍ଦ ଥିବା ସତ୍ତ୍ଵେ ‘ନାଚ୍’ ପକ୍ଷରୁ ପିଲାମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ଆଜିର ଏହି ପୁରସ୍କାର ବିତରଣ ଉତ୍ସବରେ କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ପରେ ପରେ ପିଲାମାନଙ୍କ ପାଇଁ ‘ଶିଶୁର ଜୀବନ ସର୍ବଦା ଆନନ୍ଦପୂର୍ଣ୍ଣ’ ଶୀର୍ଷକ ଏଟ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା।ଆରମ୍ଭରେ ଅର୍ଚ୍ଚିଶା ପାଣିଗ୍ରାହୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। କୃତି ପ୍ରତିଯୋଗୀମାନେ ସେମାନଙ୍କ ଅନୁଭୂତି ବିଷୟରେ ମଧ୍ୟ ବର୍ଣ୍ଣନା କରିଥିଲେ।
ଏହି ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ କବି ପ୍ରଶାନ୍ତ ଦାସ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ‘ସମାଜ’ର ଉତ୍ତର ଓଡ଼ିଶା ସଂସ୍କରଣର ମୁଖ୍ୟ ଶଶିରଂଜନ ମଲ୍ଲିକ। ଯେଉଁଠି ଖୁସି ଓ ଆନନ୍ଦ ଥାଏ ଶିଶୁର ମନ ସେଇଠି ଥାଏ। କ୍ରୀଡ଼ା ଓ ସାଂସ୍କୃତିକ ପରିବେଶ ମଧ୍ୟରେ ଶିଶୁଟି ସର୍ବଦା ରହିବାକୁ ଭଲପାଏ। ତେଣୁ ଶିଶୁର ମନକୁ ମୁକ୍ତ ରଖିବା ପାଇଁ ଅଭିଭାବକମାନେ ଯତ୍ନବାନ ହେବା ଆବଶ୍ୟକ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ‘ନାଚ୍’ର ଅଧ୍ୟକ୍ଷା ରୋନାଲିସା ପଣ୍ତା ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିବା ବେଳେ ସମସ୍ତ କୃତି ପ୍ରତିଯୋଗୀ ଏବଂ ଅଭିଭାବକଙ୍କୁ ପ୍ରୋତ୍ସାହନ ପାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ। ଆଗକୁ ଅନେକ କାର୍ଯ୍ୟକ୍ରମ ଅନଲାଇନ ମାଧ୍ୟମରେ କରାଯିବ ବାଲି ଅନୁଷ୍ଠାନ ପକ୍ଷରୁ ସୂଚନ ଦିଆ ଯାଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ମୁଖ୍ୟ ଅରୁଣାଂଶୁ ପାଣିଗ୍ରାହୀ ଏବଂ ନୃତ୍ୟଗୁରୁ ଏସ୍.କେ. ରାଜା ପରିଚାଳନା କରିଥିଲେ।