ନୂଆଦିଲ୍ଲୀ– କରୋନା ମହାମାରୀର ମୁକାବିଲା ପାଇଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାର ଯେଉଁ ଅବିଶ୍ରାନ୍ତ ଲଢେଇ ଲଢୁଛନ୍ତି ସେଥିରେ କେନ୍ଦ୍ର ସରକାର ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । ଆବଶ୍ୟକ ସ୍ୱାସ୍ଥ୍ୟ ଭିତ୍ତିଭୂମି ଯୋଗାଇ କରୋନାର ସଫଳ ମୁକାବିଲା ପାଇଁ କେନ୍ଦ୍ର ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି । ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କରୋନା ଚିକିତ୍ସା ବ୍ୟବସ୍ଥା ସୁବିଧା ଯୋଗାଣ ସହ କେନ୍ଦ୍ର ସରକାର ମଧ୍ୟ ମାଗଣାରେ ରାଜ୍ୟମାନଙ୍କୁ ଡାକ୍ତରୀ ସାମଗ୍ରୀ ଓ ଉପକରଣ ଯୋଗାଇ ଦେଉଛନ୍ତି । କେନ୍ଦ୍ର ଦ୍ୱାରା ଯେଉଁସବୁ ସାମଗ୍ରୀ ରାଜ୍ୟମାନଙ୍କୁ ଯୋଗାଇ ଦିଆଯାଉଛି ସେଥିମଧ୍ୟରୁ ଅଧିକାଂଶ ପୂର୍ବରୁ ଦେଶରେ ଉତ୍ପାଦିତ ହେଉ ନ ଥିଲା । ଆହୁରି ମଧ୍ୟ କରୋନା ମହାମାରୀ ସମଗ୍ର ବିଶ୍ୱରେ ବ୍ୟାପିବା ଫଳରେ ଏସବୁ ସାମଗ୍ରୀର ଗୁରୁତର ଅଭାବ ପରିଲକ୍ଷିତ ହେଉଥିଲା । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ବୟନ ମନ୍ତ୍ରଣାଳୟ, ଭେଷଜ ମନ୍ତ୍ରଣାଳୟ, ଡିପିଆଇଆଇଟି, ଡିଆରଡିଓ ଏବଂ ଆଉ କେତେକ ଘରୋଇ ଉଦ୍ୟୋଗର ମିଳିତ ସହାଯୋଗରେ ଭାରତ କୋଭିଡ୍ ଚିକିତ୍ସାରେ ବ୍ୟବହୃତ ସାମଗ୍ରୀ ଉତ୍ପାଦନରେ ସଫଳତା ଲାଭ କରି ଏକ ପ୍ରକାର ଆତ୍ମନିର୍ଭରଶୀଳ ହୋଇଛି । ପିପିଇ, ଏନ୍-95 ମାସ୍କ, ଭେଣ୍ଟିଲେଟର ଆଦି କ୍ଷେତ୍ରରେ ଭାରତ ଇତିମଧ୍ୟରେ ଆତ୍ମନିର୍ଭରଶୀଳ ହୋଇପାରିଛି । ଆତ୍ମନିର୍ଭର ଭାରତ ଯୋଜନା ଓ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଯୋଗୁଁ ଭାରତ ଏ କ୍ଷେତ୍ରରେ ସଫଳତା ପାଇଛି । ଚଳିତବର୍ଷ ମାର୍ଚ୍ଚ 11 ତାରିଖଠାରୁ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ଓ କେନ୍ଦ୍ରୀୟ ଅନୁଷ୍ଠାନକୁ 3.04 କୋଟି ଏନ୍-95 ମାସ୍କ, 1.28 କୋଟି ପିପିଇ କିଟ୍ ବିନା ମୂଲ୍ୟରେ ଯୋଗାଇ ଦେଇଛନ୍ତି । ଏହାଛଡା ସେମାନଙ୍କୁ ମଧ୍ୟ 10.83 କୋଟିରୁ ଅଧିକ ହାଇଡ୍ରୋକ୍ସିକ୍ଲୋରୋକୁଇନ ବା ଏଚ୍ସିକ୍ୟୁ ଟାବଲେଟ ମାଗଣାରେ ଦିଆଯାଇଛି ।
ଏହା ସହିତ ସଂପୃକ୍ତ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ଓ କେନ୍ଦ୍ରୀୟ ଅନୁଷ୍ଠାନଗୁଡିକୁ 22,533 ମେକ୍ ଇନ୍ ଇଣ୍ଡିଆ ଭେଣ୍ଟିଲେଟର ମଧ୍ୟ ଦିଆଯାଇଛି । ଏସବୁର ବ୍ୟବହାର ଓ ସ୍ଥାପନ କାର୍ଯ୍ୟରେ କେନ୍ଦ୍ର ସରକାର ସହାୟତା କରୁଛନ୍ତି ।