ନୂଆଦିଲ୍ଲୀ– ଜୈବିକ କୃଷି କ୍ରମଶଃ ଅଧିକରୁ ଅଧିକ ସଫଳତା ଓ ଲୋକପ୍ରିୟତା ଅର୍ଜନ କରୁଛି । କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ଜୈବିକ କୃଷିଜାତ ସାମଗ୍ରୀର ଚାହିଦା ବଢିବାରେ ଲାଗିଛି । କରୋନା ଦ୍ୱାରା ଗୁରୁତରଭାବେ ପ୍ରଭାବିତ ବିଶ୍ୱ ଏବେ ଅଧିକରୁ ଅଧିକ ପୁଷ୍ଟିକର, ସ୍ୱାସ୍ଥ୍ୟକର ଓ ନିରାପଦ ଖାଦ୍ୟ ଲୋଡୁଛି । ଫଳରେ ଜୈବିକ କୃଷିଜାତ ସାମଗ୍ରୀ ଚାହିଦା ବଢୁଛି; ଫଳରେ ଚାଷୀ, ଖାଉଟି ଓ ପରିବେଶ ସମସ୍ତଙ୍କୁ ଏହି ଚାଷଦ୍ୱାରା ଲାଭ ମିଳୁଛି ।
ଭାରତରେ ବିଶ୍ୱର ସର୍ବାଧିକ ଜୈବିକ ଚାଷୀ ଅଛନ୍ତି । ସେହିଭଳି ଭାରତରେ ବିଶ୍ୱରେ ନବମ ସର୍ବାଧିକ ଜମିରେ ଜୈବିକ ଚାଷ କରାଯାଉଛି । ସିକ୍କିମ୍ ରାଜ୍ୟ କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ପ୍ରଥମକରି ସଂପୂର୍ଣ୍ଣ ଜୈବିକ କୃଷି ମାନ୍ୟତା ହାସଲ କରିଛି । ଏଠାରେ ଜୈବିକ କୃଷି ଛଡା ଅନ୍ୟ କୌଣସି ପ୍ରକାରର ଚାଷ କରାଯାଉନାହିଁ । ତ୍ରିପୁରା ଏବଂ ଉତ୍ତରାଖଣ୍ଡ ମଧ୍ୟ ସମାନ ଲକ୍ଷ୍ୟରଖି ଆଗେଇ ଚାଲିଛନ୍ତି । ପାରମ୍ପରିକ ଦୃଷ୍ଟିରୁ ଭାରତର ଉତ୍ତର ପୂର୍ବାଞ୍ଚଳରେ ଜୈବିକ ପଦ୍ଧତିରେ କୃଷି କାର୍ଯ୍ୟ ହୋଇଥାଏ । ଏସବୁ ରାଜ୍ୟରେ ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଅପେକ୍ଷାକୃତ ଖୁବ୍ କମ୍ ରାସାୟନିକ ସାର ବ୍ୟବହାର କରାଯାଇଥାଏ । ଦେଶର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଏବଂ ଦ୍ୱୀପାଞ୍ଚଳଗୁଡିକରେ ଏବେ ଜୈବିକ ଚାଷକୁ ଗୁରୁତ୍ୱ ଦିଆଯାଉଛି ।
ଜୈବିକ କୃଷି ପଦ୍ଧତି ଅବଲମ୍ବନ କରି ନିଜର ଆୟ ବୃଦ୍ଧି କରିବାକୁ ଚାଷୀମାନଙ୍କୁ ପ୍ରୋତ୍ସାହିତ କରାଯାଉଛି । ଜୈବିକ କୃଷି ପଦ୍ଧତିରେ ଉତ୍ପାଦିତ ସାମଗ୍ରୀର ମୂଲ୍ୟ ଓ ବଜାର ଚାହିଦା ମଧ୍ୟ ଭଲ ରହୁଛି । ଏହି କାର୍ଯ୍ୟରେ ଚାଷୀଙ୍କୁ ସହାୟତା ଦେବାପାଇଁ ସରକାର ଦୁଇଟି ଉତ୍ସର୍ଗୀକୃତ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ସେଥିରୁ ଗୋଟିଏ ହେଲା ଉତ୍ତର ପୂର୍ବାଞ୍ଚଳ ଅର୍ଗାନିକ ଭ୍ୟାଲୁଚେନ ମିଶନ ବା ଏମ୍ଓଭିସିଡି ଏବଂ ଅନ୍ୟଟି ହେଲା ପରମ୍ପରାଗତ କୃଷି ବିକାଶ ଯୋଜନା ବା ପିକେଭିୱାଇ । 2015ରୁ ଆରମ୍ଭ ହୋଇଥିବା ଏହି ଦୁଇ ଯୋଜନାରେ ରାସାୟନିକ ସାର ମୁକ୍ତ ଚାଷ ପାଇଁ ଚାଷୀଙ୍କୁ ଉତ୍ସାହିତ କରାଯାଉଛି । 2018ର କୃଷି ରପ୍ତାନୀ ନୀତିରେ ଜୈବିକ ଚାଷକୁ ମଧ୍ୟ ଅଗ୍ରାଧିକାର ଦିଆଯାଇଛି । ଏହା ଫଳରେ ଆନ୍ତର୍ଜାତିକ ଜୈବିକ ବଜାରରେ ଭାରତ ଏକ ପ୍ରମୁଖ ରାଷ୍ଟ୍ରଭାବେ ଉଭା ହୋଇପାରିବ । ଭାରତରୁ ମୁଖ୍ୟତଃ ଜୈବିକ ଉପାୟରେ ଉତ୍ପାଦିତ ଅଳସୀ, ସିସମ ବା ରୋଜଉଡ୍, ସୋୟାବିନ୍, ଚା, ଔଷଧୀୟ ଗୁଳ୍ମ, ଚାଉଳ ଓ ଡାଲି ଆଦି ରପ୍ତାନୀ ହୋଇଥାଏ । 2018-19 ବର୍ଷରେ ଭାରତ ଯେତେ ଜୈବିକ କୃଷିଜାତ ସାମଗ୍ରୀ ରପ୍ତାନୀ କରିଥିଲା ଏସବୁ ସାମଗ୍ରୀର ଅଂଶ ସେଥିରେ ଥିଲା 50 ଶତାଂଶ ଏବଂ ମୂଲ୍ୟ ହିସାବରେ ଏହା ଥିଲା 5151 କୋଟି ଟଙ୍କା । ଆସାମ, ମିଜୋରାମ, ମଣିପୁର ଓ ନାଗାଲାଣ୍ଡରୁ ପ୍ରଥମକରି ଏହିସବୁ ସାମଗ୍ରୀ ଆମେରିକା, ବ୍ରିଟେନ, ସୁଇଜରଲାଣ୍ଡ ଏବଂ ଇଟାଲୀ ଆଦି ଦେଶକୁ ରପ୍ତାନୀ କରାଯାଇଥିଲା । ଏବେ ଏସବୁ ସାମଗ୍ରୀର ଚାହିଦା ବୃଦ୍ଧି ପାଉଛି । ଫଳରେ ଭାରତ ପାଇଁ ଏସବୁ ଦେଶ ବ୍ୟତୀତ ଅନ୍ୟାନ୍ୟ ଦେଶକୁ ମଧ୍ୟ ଏହି ସାମଗ୍ରୀ ଅଧିକରୁ ଅଧିକ ରପ୍ତାନୀ କରିବାରେ ସୁଯୋଗ ସୃଷ୍ଟି ହୋଇଛି । ଜୈବିକ କୃଷିରେ ପ୍ରମାଣନ ବ୍ୟବସ୍ଥାର ଗୁରୁତ୍ୱ ଅଧିକ । ଜୈବିକ ଉପାୟରେ ଉତ୍ପାଦିତ କୃଷିଜାତ ସାମଗ୍ରୀକୁ ବୈଧାନିକ ପ୍ରମାଣପତ୍ର ବା ସାର୍ଟିଫିକେଟ ମିଳିଲେ ତାହାକୁ ଭିତ୍ତିକରି କ୍ରେତା ଏସବୁ ସାମଗ୍ରୀ କିଣିବାକୁ ଆଗ୍ରହୀ ହୋଇଥାନ୍ତି । ଏହାଦ୍ୱାରା ସେମାନଙ୍କର ସାମଗ୍ରୀର ଗୁଣ ଓ ମାନ ପ୍ରତି ବିଶ୍ୱାସ ବଢିଥାଏ । ଉଭୟ ପିକେଭିୱାଇ ଏବଂ ଏମ୍ଓଭିସିଡି ଦ୍ୱାରା ସହଯୋଗଭିତ୍ତିକ ଗ୍ୟାରେଣ୍ଟି ବ୍ୟବସ୍ଥାରେ ଏହି ସାର୍ଟିଫିକେଟ ପ୍ରଦାନ କାର୍ଯ୍ୟ କରାଯାଉଛି । ସେହିଭଳି ଜାତୀୟ ଜୈବିକ ଉତ୍ପାଦନ କାର୍ଯ୍ୟକ୍ରମ ବା ଏମ୍ପିଓପି ଏସବୁ ସାମଗ୍ରୀର ଘରୋଇ ଓ ରପ୍ତାନୀ ବଜାରକୁ ଅନୁଧ୍ୟାନକରି ଏହାର କାରବାର ପାଇଁ ଆବଶ୍ୟକ ସହାୟତା ଓ ପରାମର୍ଶ ଯୋଗାଉଛି । ଜୈବିକ ଖାଦ୍ୟ ନିରାପତ୍ତା ଓ ମାନ ନିୟମ 2017 ଏନ୍ପିଓପିଜିଏସ୍ର ମାନକୁ ବିଚାରକୁ ନେଇ ଏହି ସାମଗ୍ରୀର ମାନକୀକରଣ ମଧ୍ୟ କରିଥାଏ । ଏହିସବୁ ଉତ୍ପାଦିତ ସାମଗ୍ରୀ ପ୍ୟାକେଟ ଉପରେ ଏଫ୍ଏସ୍ଏସ୍ଏଆଇ, ଜୀବିକା ଭାରତ/ପିଜିଏସ୍ ଅର୍ଗାନିକ୍ ଇଣ୍ଡିଆ ଆଦି ଲୋଗୋ ଲଗାଯାଇଥାଏ । ଏହି ଲୋଗୋରୁ ସାମଗ୍ରୀର ମାନ, ଗୁଣ ଏବଂ ଜୈବିକିତା ସଂପର୍କରେ ପ୍ରମାଣ ମିଳେ । ରସାୟନ ମୁକ୍ତ କୃଷିଜାତ ସାମଗ୍ରୀକୁ ମଧ୍ୟ ପିଜିଏସ୍ ଗ୍ରୀନ୍ ସାର୍ଟିଫିକେଟ ଦିଆଯାଉଛି, ଯାହା ଅର୍ଗାନିକ ନାମରେ ପରିଚିତ ।