ପାରଳାଖେମୁଣ୍ଡି– ଗଜପତି ଜିଲ୍ଲାରେ ଆଜି ନୂଆ ୭୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୯ କୁ ବୃଦ୍ଧି ପାଇଛି । ଗତ ୭ ଓ ୯ ତାରିଖରେ ଏମାନଙ୍କର ସ୍ୱାବ୍ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ରିପୋର୍ଟ ପଜିଟିଭ୍ ଆସିବା ପରେ ଆକ୍ରାନ୍ତ ମାନଙ୍କୁ କୋଭିଡ଼୍ ହସ୍ପିଟାଲ ଓ କୋଭିଡ଼୍ କେୟାର୍ ସେଂଟରକୁ ସ୍ଥାନାନ୍ତରିତ କରାଯାଇଛି । ସେହିପରି ସାମାନ୍ୟ ଲକ୍ଷଣ ଥିବା ବ୍ୟକ୍ତିବିଶେଷ ମାନଙ୍କୁ ହୋମ୍ ଆଇସୋଲେସନକୁ ପଠାଇ ଦିଆଯାଇଛି ।
ନୂଆ ଚିହ୍ନଟ ୭୦ ଆକ୍ରାନ୍ତଙ୍କ ମଧ୍ୟରୁ ୪୬ ଜଣ ପୁରୁଷ ଓ ୨୪ ଜଣ ମହିଳା ରହିଛନ୍ତି । ନୂଆ ଚିହ୍ନଟ ଏହି ଆକ୍ରାନ୍ତ ମାନଙ୍କର ବୟସ ୬ ବର୍ଷରୁ ୭୦ ବର୍ଷ ମଧ୍ୟରେ ରହିଛି । ଏମାନଙ୍କ ମଧ୍ୟରେ ୬ ଜଣ ନାବାଳକ ରହିଛନ୍ତି । ଏହି ଆକ୍ରାନ୍ତ ମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରୁ ୩୫ ଜଣ, ଗୁମ୍ମା ବ୍ଲକ୍ ୯ ଜଣ, ଗୋଷାଣି ବ୍ଲକରୁ ୫ ଜଣ, କାଶୀନଗର ବ୍ଲକରୁ ୫ ଜଣ, ମୋହନା ବ୍ଲକରୁ ଜଣେ, ନୂଆଗଡ଼ ବ୍ଲକରୁ ୫ ଜଣ, ଆର୍. ଉଦୟଗିରି ବ୍ଲକରୁ ୧୦ ଜଣ ଆକ୍ରାନ୍ତ ରହିଛନ୍ତି ।
ସ୍ୱାସ୍ଥ୍ୟ କର୍ମୀଙ୍କ ଦ୍ୱାରା ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ୫୦ ଜଣଙ୍କୁ ଚିହ୍ନଟ କରାଯାଇଛି । ପ୍ରାଥମିକ ସ୍ତରରେ ୧୨ ଜଣ ପଜିଟିଭଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି । ୮ ଜଣ କୋଭିଡ଼୍ ଯୋଦ୍ଧା ରହିଛନ୍ତି । ସେମାନେ ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଥିବା ବେଳେ ସଂକ୍ରମିତ ହୋଇଛନ୍ତି । ଅଦ୍ୟାବଧି ଗଜପତି ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୬ ରହିଛି । ଜଣକର ଅନ୍ୟ କାରଣରୁ ମୃତ୍ୟୁ ଘଟିଥିବା ନେଇ ଜିଲ୍ଲା ପ୍ରଶାସନ ସୂତ୍ରରୁ ପ୍ରକାଶ ।