ଭୁୁବନେଶ୍ୱର– ଓପିଜିସି କମ୍ପାନୀକୁ ଏଇଏସ ହାତରୁ ଯାଇ ଅଦାନୀ କମ୍ପାନୀକୁ ପ୍ରଦାନ କରା ଯିବାକୁ ନେଇ ପ୍ରଶ୍ନ କରିଛି କଂଗ୍ରେସ । ଏହା କାହା ସ୍ୱାର୍ଥରେ ତଥା ଏହା ମହରଗରୁ ଯାଇ କାନ୍ତାରରେ ପଡିବା ଭଳି ବୋଲି ଦଳ ପକ୍ଷରୁ କୁହା ଯାଇଛି ।
ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଅର୍ଥ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଂଚାନନ କାନୁନ୍ଗୋ ଓ ଜ୍ଞାନଦେବ ବେଉରା କଂଗ୍ରେସ ପକ୍ଷରୁ ଏହି ପରିପ୍ରେୀକ୍ଷରେ ରାଜ୍ୟ ସରକାରଙ୍କୁ କେତେଗୋଟି ପ୍ରଶ୍ନ ପଚାରିବା ସହ କିଛି ଦାବି ଉପସ୍ଥାପନ କରିଛନ୍ତି । ଶ୍ରୀ କାନୁନଗୋ କହିଛନ୍ତି ଯେ ଏ.ଇ.ଏସ୍ କମ୍ପାନୀ ଏବଂ ରାଜ୍ୟ ସରକାର ମଧ୍ୟରେ ହୋଇଥିବା ଚୁକ୍ତି – ଏଗ୍ରୀମେଂଟ ଧାରା-୧୪ର କେଉଁ କେଉଁ ପକ୍ଷ କେଉଁ କେଉଁ ଉପଧାରା ଖିଲାପ କରିଛନ୍ତି ? ଯେଉଁଥିପାଇଁ ଉଭୟ ଓହରି ଯିବାକୁ ବସିଛନ୍ତି ବା ନିଜ ନିଜର ସେୟାର ବିକ୍ରି କରିବାକୁ ଚାହାନ୍ତି । ଏହି ଖିଲାପକାରୀଙ୍କ ଉପରେ କି କି ଆଇନାନୁମୋଦିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ?
ରାଜ୍ୟ ସରକାର ନିଜସ୍ୱ ଗ୍ରୀଡ଼୍ରୁ ବିଦ୍ୟୁତ୍ ଉତ୍ପାଦନ ନିମନ୍ତେ ନିର୍ମାଣ କରିଥିବା ୟୁନିଟ୍-୩, ୟୁନିଟ୍-୪ କେଉଁ ସ୍ଥିତିରେ ଅଛି । ଏଥିରୁ ଉତ୍ପାଦନ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ହୋଇଥିଲା କି ନାହିଁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।
ଏଥିପାଇଁ ଓପିଜିସି ଯେଉଁ ଋଣ କରିଥିଲେ (୭୫୬୦ କୋଟି) ଟଙ୍କାରୁ କେଉଁ ସେୟାର ହୋଲ୍ଡର କେତେ ଭାଗିଦାର ଥିଲା ଓ କାହା ଉପରେ ସୁଧମୂଳ ସହିତ କେତେ ବାକି ଅଛି ? ଅବା କେଉଁ ଧରଣର ଗ୍ୟାରେଂଟି ପ୍ରଦାନ କରାଯାଇଥିଲା ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ସେମାନେ ପ୍ରଶ୍ନ କରିଛନ୍ତି ଯେ ଆଦାନୀଙ୍କର ନୂଆ କମ୍ପାନୀ ରାଜ୍ୟ ଓପିଜିସି କର୍ପୋରେସନ୍ ହାତକୁ ନେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ସେ ସୁଧ ଓ ମୂଳ କେଉଁ ହାରରେ ପରିଶୋଧ କରିବେ? ଓ ସର୍ତ ସବୁ କ’ଣ ?
ରାଜ୍ୟ ସରକାର ଓ ପାବାର ଜେନେରସନ କର୍ପୋରେସନ ପାଇଁ ଯେଉଁ କୋଲ ବ୍ଲକ୍ ପାଇଥିଲେ ସେଥିରୁ ଉତ୍ପାଦିତ ସମସ୍ତ କୋଇଲା ଉତ୍ପାଦନରେ ଲାଗିବା ପରେ ଅଧିକ ବା ଉଦ୍ବୃତ ବଜାରରେ କିଏ ବିକ୍ରି କରିବ ଓ ସେହି ଧନ କାହାକୁ ପ୍ରାପ୍ତି ହେବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।
ବିଦ୍ୟୁତ୍ ଉତ୍ପାଦନ କରପୋରେସନର ଅଂଶ କ୍ରୟ ପାଇଁ ଆଗ୍ରହ ପ୍ରକାଶ କରିଥିବା କମ୍ପାନୀ ଏକ ନା ଏକାଧିକ । ସେମାନଙ୍କର ସର୍ତର୍ଗୁଡ଼ିକ ସଂପର୍କରେ ସରକାର ଅବଗତ ଥିବେ । ସେଗୁଡ଼ିକୁ ସାଧାରଣରେ ପ୍ରକାଶ କରୁ ନାହାନ୍ତି କାହିଁକି ବୋଲି ପ୍ରଶ୍ନ କରିଛନ୍ତି । ଅତି କମ୍ ଦରରେ ସୁଝୁଥିବା ଟନ୍ ପିଛା ରୟାଲଟି ମାତ୍ର ୧୦୦ଟଙ୍କା – ମନୋହରପୁର ଓ ଡିପ୍ ମନୋହରପୁର କୋଲ ବ୍ଲକ ହେତୁ ୟୁନିଟ୍ ପିଛା ଉତ୍ପାଦନ ଖର୍ଚ୍ଚ ଖୁବ୍ କମ୍ ପଡ଼ିଥାନ୍ତା । ଫଳତଃ ରାଜ୍ୟବାସୀ ବା ଉପଭୋକ୍ତାମାନେ କମ୍ ଦରରେ ବିଦ୍ୟୁତ୍ କ୍ରୟ କରିବାର ସୁଯୋଗ ପାଇଥାନ୍ତେ । ରାଜ୍ୟରେ ମଧ୍ୟ ରାଜସ୍ୱ ବୃଦ୍ଧି ଘଟିଥାନ୍ତା ବୋଲି ସେମାନେ କହିଛନ୍ତି ।
ଏକ ଦେଶ ଏକ ଗ୍ରୀଡ଼୍ର ନାରା ଦେଇ ବି.ଜେ.ପି ସରକାର ରାଜ୍ୟର ବିଦ୍ୟୁତଊ ଗ୍ରୀଡ଼୍କୁ କେନ୍ଦ୍ରୀୟ ଗ୍ରୀଡ଼୍ ସହିତ ମିଶାଇବାକୁ ନୂତନ ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି । ଏହାଦ୍ୱାରା ଓଡ଼ିଶା ଓ ଓଡ଼ିଶାର ଲୋକେ କ୍ଷତିଗ୍ରସ୍ତ ହେବେ । ବିଦ୍ୟୁତ୍ କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ଉତ୍ପାଦନକାରୀ କ୍ଷେତ୍ର । ଏବେ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରକୁ ବିତରଣ ବ୍ୟବସ୍ଥାକୁ କେତେକ ନିର୍ଦ୍ଦିଷ୍ଟ କମ୍ପାନୀ ଓ ପୁଞ୍ଜିପତି ଯଥା ଟାଟା, ଆଦାନୀ, ଅମ୍ବାନୀଙ୍କ ହାତକୁ ରାଜ୍ୟ ସରକାର କାହାର ଓ କେଉଁ ସ୍ୱାର୍ଥରେ ଟେକି ଦେବାକୁ ଚାହାନ୍ତି ?
ଓଡ଼ିଶା ପାୱାର ଜେନେରେସନ୍ କରପୋରେସନର ଆବଶ୍ୟକ ପୁଞ୍ଜି ନିମନ୍ତେ ରାଜ୍ୟ ସରକାର ଓଏଚପିସି ଓ ଓଏମସି ର ସହାୟତା ନେଲେ ନାହିଁ କାହିଁକି ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।
ଆଦାନୀ ନିୟନ୍ତ୍ରିତ ବିଦ୍ୟୁତ୍ କମ୍ପାନୀର ଅତୀତ ଦେଖିଲେ ସେ ଯେ ଆଦୌ ସଫଳ ହେବ ନାହିଁ ଏକଥା ସ୍ପଷ୍ଟ । ସେହିସବୁ ବିଦ୍ୟୁତ୍ ଉତ୍ପାଦନ ସଂସ୍କାର କମ୍ପାନୀ ବାଲାନ୍ସ ସିଟ୍ ରାଜ୍ୟ ସରକାର ଅଧ୍ୟୟନ କରିଛନ୍ତି କି ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଅଧ୍ୟୟନ କରିଥିଲେ ଜାଣିଥାନ୍ତେ କେତେବଡ଼ କ୍ଷତିରେ ସେ ସବୁ ଚାଲିଛି । ଏଠି ଉତ୍ପାଦନରେ ହେଳା କରି ସେ କୋଇଲା ବିକ୍ରି ପାଇଁ ମସୁଧା କରିଛି ବୋଲି ସେମାନେ କହିଛନ୍ତି ।
ଆଦାନୀ କମ୍ପାନୀକୁ ସୋଲାର ଏନର୍ଜୀ ଉତ୍ପାଦନ ପାଇଁ ୧୪୭ ହେକ୍ଟର ଜମି ମାଗଣା ବା ଅଳ୍ପଦରରେ ଦେବାର ବ୍ୟବସ୍ଥା ରାଜ୍ୟ ସରକାର କେଉଁ ସ୍ୱାର୍ଥରେ କଲେ । ଏଥି ସହିତ ତାକୁ ଯୋଡ଼ି ରଖା ଯାଇଛି କି ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।
ଏହି ପ୍ରଶ୍ନଗୁଡ଼ିକର ଉତର ରାଜ୍ୟବାସୀଙ୍କ ସ୍ୱାର୍ଥ ଓ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ସରକାର ତୁରନ୍ତ ଦେବା ଦରକାର ବୋଲି ଶ୍ରୀ କାନୁନ୍ଗୋ କହିଛନ୍ତି ।
ବିଧାନସଭାରେ ଆଗାମୀ ଅଧିବେଶନରେ ରାଜ୍ୟ ବିଦ୍ୟୁତ୍ ସଂସ୍କାରର ପରବର୍ତୀ ଅବସ୍ଥାରେ ଘଟିଥିବା ଲାଭ, କ୍ଷତି ସଂପର୍କିତ ତଥ୍ୟ ରଖି ଶ୍ୱେତପତ୍ର ଉପସ୍ଥାପନ ନିମନ୍ତେ କଂଗ୍ରେସ ଦଳ ଦାବୀ କରିବ । ଉଭୟ ଏନର୍ଜୀ ଓ ଫାଇନାନ୍ସିଆଲ ଅଡିଟ୍ର ଆବଶ୍ୟକତା ଥିବାରୁ ଏନର୍ଜୀ ଅଡ଼ିଟ୍ ଏକ ବାହାର ବୈଷୟିକଜ୍ଞାନ ସଂପନ୍ନ ଗୋଷ୍ଠୀ ଦ୍ୱାରା ଓ ଫାଇନାନ୍ସିଆଲ ଅଡ଼ିଟ୍ ସି.ଏ.ଜିଙ୍କ ଦ୍ୱାରା କରାଇବାକୁ କଂଗ୍ରେସ ଦାବି କରୁଛି । ରାଜ୍ୟ ବିଦ୍ୟୁତ୍ ଉତ୍ପାଦନ ଓପିିଜିସି କୁ ରାଜ୍ୟ ସରକାର ରାଜ୍ୟର ମାଇନିଂ କର୍ପୋରେସନ୍, ଜଳବିଦ୍ୟୁତ୍ ନିଗମ ସହାୟତରେ ପରିଚାଳନା କରିବାକୁ ଆମେ ଦାବି କରୁଛୁ ଓ ଏଇଏସ ର ୪୯% ଅଂଶକୁ ପ୍ରଦାନ କରାଯାଉ । ଟାଟାକୁ ବିତରଣ ଦାୟିତ୍ୱ ନ ଦେଇ ସେସୁ ହାତରେ ରଖାଯାଇ ଓ ଟାଟାର ରିପୋର୍ଟ ଅନୁସାରେ ସେସୁର କ୍ଷୟକ୍ଷତି ପାଇଁ ଦାୟୀ ସେକ୍ରେଟାରୀ ହେମନ୍ତ ଶର୍ମା ସେସୁ ଅଫିସର ଇଂଜିନିୟର ଓ ସଂପୃକ୍ତ ଅଫିସରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଶ୍ରୀ କାନୁନ୍ଗୋ ଦାବି କରିଛନ୍ତି ।
ଏହି ସମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ବିପିନ୍ ଦାସ ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।