
ଭୁବନେଶ୍ୱର – ସବୁ ପରିବାର ଅତ୍ୟାବଶ୍ୟକ ପଦାର୍ଥ ପିଆଜର ଅହେତୁକ ଆକାଶଛୁଆଁ ଦରବୃଦ୍ଧି ବିରୋଧରେ ସିପିଆଇ ପକ୍ଷରୁ ଆଜି ରାଜଧାନୀ ଭୁବନେଶ୍ୱରରେ ବିକ୍ଷୋଭ ଓ ରାସ୍ତାରେକୋ ଆନ୍ଦୋଳନ ସଂଗଠିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ଶତାଧିକ ସିପିଆଇ କର୍ମୀ ପିଆଜ ଦର ବୃଦ୍ଧି ବିରୋଧରେ ପିଆଜ ଆଖିରେ ଲୁହ – ଗରୀବ ଛାତିରେ କୋହ ମୋଦି ଶାସନରେ କ’ଣ ପିଆଜ ଦର ଅଣ୍ଡାକୁ ଟପିଯିବ ? ଲେଖାଥିବା ପ୍ଲାକାର୍ଡ଼ମାନ ହାତରେ ଧରି ଓ ମହିଳାମାନେ ବେକରେ ପିଆଜର ମାଳା ପକାଇ ପାର୍ଟିର ରାଜ୍ୟ ଦପ୍ତର ଭଗବତୀ ଭବନଠାରୁ ଏକ ଶୋଭାଯାତ୍ରାରେ ବାହାରି ରାଜମହଲ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସଂଗେ ସଂଗେ ରାସ୍ତାରୋକେ ମଧ୍ୟ କରିଥିଲେ । ସେଠାରେ ସିପିଆଇ ଜୋନ ସମ୍ପାଦକ ସୁର ଜେନା ଓ ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ଜୟନ୍ତ ଦାସ ବିକ୍ଷୋଭକାରୀମାନଙ୍କୁ ଉଦବୋଧନ ଦେଇ ମୋଦି ସରକାର ଭାରତର ଅର୍ଥନୀତିକୁ ବିପର୍ଯ୍ୟସ୍ତ କରିବା ସଂଗେ ସଂଗେ ଗରୀବଙ୍କ ପଖାଳର ସାଥି ପିଆଜର ଦରକୁ ଆକାଶଛୁଆଁ କରିଦେଇ ସେମାନଙ୍କ ପେଟରେ ଲାତ ମାରୁଛନ୍ତି ବୋଲି ଅଭିଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜୋନ୍ ସହସମ୍ପାଦକ କୈଳସ ପୁହାଣ, ନାରୀ ନେତ୍ରୀ ମମତା ବରାଳ, ବାସନ୍ତୀ ପ୍ରଧାନ, ଛେତମ୍ବର ଭୋଇ, ରୀତା ସେଠୀ, ଲୋକନାଥ ଭୋଇ, ସସ୍ମିତା ନାୟକ ଓ ଛାତ୍ରନେତା ପବିତ୍ର ସ୍ୱାଇଁ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।