ପାରଳାଖେମୁଣ୍ଡି– ଗଜପତି ଜିଲ୍ଲାରେ ଆଜି ନୂଆ ୩୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୦୧୯ କୁ ବୃଦ୍ଧି ପାଇଛି । ଗତ ୮ ତାରିଖରେ ଏମାନଙ୍କର ସ୍ୱାବ୍ ନମୂନା ସଂଗ୍ରହ କରାଯାଇ ପରୀକ୍ଷା (ର୍ୟାପିଡ୍ ଆଂଟିଜେନ୍ ଟେଷ୍ଟ) ନିମନ୍ତେ ପଠାଯାଇଥିଲା । ରିପୋର୍ଟ ପଜିଟିଭ୍ ଆସିବା ପରେ ଆକ୍ରାନ୍ତ ମାନଙ୍କୁ କୋଭିଡ଼୍ ହସ୍ପିଟାଲ ଓ କୋଭିଡ଼୍ କେୟାର୍ ସେଂଟରକୁ ସ୍ଥାନାନ୍ତରିତ କରାଯାଇଛି । ସେହିପରି ସାମାନ୍ୟ ଲକ୍ଷଣ ଥିବା ବ୍ୟକ୍ତିବିଶେଷ ମାନଙ୍କୁ ହୋମ୍ ଆଇସୋଲେସନକୁ ପଠାଇ ଦିଆଯାଇଛି ।
ନୂଆ ଚିହ୍ନଟ ୩୧ ଆକ୍ରାନ୍ତଙ୍କ ମଧ୍ୟରୁ ୧୫ ଜଣ ପୁରୁଷ ଓ ୧୬ ଜଣ ମହିଳା ରହିଛନ୍ତି । ଏମାନଙ୍କ ମଧ୍ୟରେ ଦୁଇ ଜଣ ନାବାଳକା ରହିଛନ୍ତି । ନୂଆ ଚିହ୍ନଟ ଏହି ଆକ୍ରାନ୍ତ ମାନଙ୍କର ବୟସ ୫ ବର୍ଷରୁ ୬୫ ବର୍ଷ ମଧ୍ୟରେ ରହିଛି । ଏହି ଆକ୍ରାନ୍ତ ମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରୁ ୧୦ ଜଣ, ଗୁମ୍ମା ବ୍ଲକ୍ ରୁ ୭ ଜଣ, ଗୋଷାଣି ବ୍ଲକରୁ ୪ ଜଣ, କାଶୀନଗର ବ୍ଲକରୁ ୬ ଜଣ, ନୂଆଗଡ଼ ବ୍ଲକରୁ ୨ ଜଣ ଏବଂ ରାୟଗଡ଼ ବ୍ଲକରୁ ୨ ଜଣ ଆକ୍ରାନ୍ତ ରହିଛନ୍ତି ।
ସ୍ୱାସ୍ଥ୍ୟ କର୍ମୀଙ୍କ ଦ୍ୱାରା ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ୨୪ ଜଣଙ୍କୁ ଚିହ୍ନଟ କରାଯାଇଛି । ପ୍ରାଥମିକ ସ୍ତରରେ ୭ ଜଣ ପଜିଟିଭଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି । ଅଦ୍ୟାବଧି ଗଜପତି ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୬ ରହିଛି । ଜଣକର ଅନ୍ୟ କାରଣରୁ ମୃତ୍ୟୁ ଘଟିଥିବା ନେଇ ଜିଲ୍ଲା ପ୍ରଶାସନ ସୂତ୍ରରୁ ପ୍ରକାଶ ।