
ଭଦ୍ରକ – ଭଦ୍ରକ-ଧାମରା ରେଳପଥର ପାଳିଆ ନିକଟ ଜିଝାରପୁର ଠାରେ ଏକ ମାଲବାହୀ ଟ୍ରେନ୍ ଆଜି ସକାଳେ ଲାଇନଚ୍ୟୁତ ହୋଇଛି । ଏହାର ୭ଟି ବଗି ଟ୍ରାକ୍ ରୁ ଖସି ଯାଇଥିବା ବେଳେ ଦୁଇଟି ବଗି ରେଳଧାରଣା ଉପରେ ସମ୍ପୂର୍ଣ୍ଣ ଓଲଟି ପଡିଛି । ଟ୍ରେନ୍ ଟି ଧାମରାରୁ କୋଇଲା ବୋଝେଇ କରି ଭଦ୍ରକ ଅଭିମୁଖେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଏଥିରେ କେହି ମୃତାହତ ହୋଇନଥିବା ଜଣାପଡିଛି । ତେବେ ଦୁର୍ଘଟଣାର କାରଣ ଅଦ୍ୟାବଧି ଅସ୍ପଷ୍ଟ ରହିଛି । ଦୁର୍ଘଟଣା ପରେ ଏହି ଲାଇନରେ ରେଳ ଚଳାଚଳ ବ୍ୟାହତ ହୋଇଛି । ପୂର୍ବାଚଂଳ ରେଳ ବିଭାଗର ବରିଷ୍ଠ ଅଧିକାରୀ ମାନେ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛନ୍ତି । କିପରି ଓ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ସେନେଇ ଅଧିକାରୀ ମାନେ ଖୋଳତାଡ଼ ଆରମ୍ଭ କରିଛନ୍ତି । ଟ୍ରାକ୍ ରୁ ବଗି ଗୁଡିକୁ ହଟାଯିବା କାର୍ଯ୍ୟ ଜାରୀ ରହିଛି ।