ଭୁବନେଶ୍ୱର– କରୋନା ପାଇଁ ବନ୍ଦ ଥିବା ମନ୍ଦିର ଓ ଅନ୍ୟାନ୍ୟ ଧର୍ମାନୁଷ୍ଠାନ ଗୁଡିକ ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତି ନେବେ । ରାଜ୍ୟରେ ମନ୍ଦିର ଖୋଲିବା ନେଇ ହୋଇଥିବା ଏକ ଆବେଦନର ଶୁଣାଣି କରି ଓଡିଶା ହାଇକୋର୍ଟ ଏହି ରାୟ ଦେଇଛନ୍ତି । ଅନ୍ୟପକ୍ଷରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ରାଜ୍ୟର ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ନେଇ ବିଚାର ବିମର୍ଶ ଚାଲିଛି ବୋଲି ଗଣମାଧ୍ୟମକୁ କହିଛନ୍ତି ।
ରାଜ୍ୟରେ ମନ୍ଦିର ଓ ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି ଦାବି କରି ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଦୁଇଟି ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା । ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ୍ ରଫିକ୍ ଓ ଡକ୍ଟର ଜଷ୍ଟିସ୍ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ନଜରରେ ରଖି ରାଜ୍ୟ ସରକାର ନିଷ୍ପଲି ନିଅନ୍ତୁ ବୋଲି ସୋମବାର ଦିନ ରାୟ ଦେଇଛନ୍ତି ।
ସୂଚନାଯୋଗ୍ୟ, ପୁରୀର ତ୍ରିଲୋଚନ ରଥ ତାଙ୍କ ଆବେଦନରେ ଦର୍ଶାଇଥିଲେ ଯେ କେନ୍ଦ୍ର ସରକାର ଜାରି କରିଥିବା ନିୟମାବଳୀ ଅନୁସାରେ ଧର୍ମାନୁଷ୍ଠାନ ଖୋଲା ରହିପାରିବ । କିନ୍ତୁ ରାଜ୍ୟ ସରକାର କେନ୍ଦ୍ରର ନିୟମାବଳୀ ଉଲ୍ଲଂଘନ କରି ଜୁଲାଇ ୩୧ରେ ଜାରି କରିଥିବା ନିୟମାବଳୀରେ ପୂର୍ବ ଭଳି ଧର୍ମାନୁଷ୍ଠାନ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି । ଏହା କେନ୍ଦ୍ର ସରକାରଙ୍କ ନିୟମାବଳୀର ଉଲ୍ଲଂଘନ । ରାଜ୍ୟ ସରକାର ମଦ ଦୋକାନଠାରୁ ଆରମ୍ଭ କରି ସପିଂ ମଲ୍ ପର୍ଯ୍ୟନ୍ତ ସବୁ କିଛି ଖୋଲିବାକୁ ଅନୁମତି ଦେଇ ସାରିଛନ୍ତି ।ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କ କୋଭିଡ-୧୯ ନିୟମାବଳୀ ଓ କେନ୍ଦ୍ର ସରକାରଙ୍କ ନିୟମ ପାଳନ କରି ମନ୍ଦିରରେ ସାଧାରଣ ଦର୍ଶନ ବ୍ୟବସ୍ଥା ପାଇଁ ଅନୁମତି ଦେବାରେ କିଛି ବାଧା ନାହିଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି ।
ଆଇନଜୀବୀ ଜୟନ୍ତ କୁମାର ବଳ ବି ଏହି ପ୍ରସଙ୍ଗରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ ।