ଭୁବନେଶ୍ୱର – ଗତବର୍ଷ ତୁଳନାରେ ଚଳିତ ବର୍ଷ ୨୦ ପ୍ରତିଶତ ଅଧିକ ଡାଲି ଓ ତୈଳବୀଜ ସଂଗ୍ରହ କରାଯାଇଛି । ଗତବର୍ଷ ମୋଟ ୫୦ କୋଟି ୮୩ ଲକ୍ଷ ୮୪ ହଜାର ୯୦୦ ଟଙ୍କା ମୂଲ୍ୟର ଡାଲି ଓ ତୈଳବୀଜ ସଂଗ୍ରହ କରାଯାଇଥିବାବେଳେ ଚଳିତ ବର୍ଷ ୬୦ କୋଟି ୨୩ ଲକ୍ଷ ୯୨ ହଜାର ୩୪୬ ଟଙ୍କା ମୂଲ୍ୟର ସଂଗ୍ରହ କରାଯାଇଛି । ଏଥି ମଧ୍ୟରେ ୬୯୯୫.୩୮୨ ମେଟ୍ରିକ୍ ଟନ୍ ମୁଗ, ୨୦୧୧.୩୩୫ ମେଟ୍ରିକ୍ ଟନ୍ ଚିନାବାଦାମ ଏବଂ ୧୨୧.୦୭୯ ମେଟ୍ରିକ୍ ଟନ୍ ସୂର୍ଯ୍ୟମୁଖୀ ମଂଜି ଅନ୍ତର୍ଭୁକ୍ତ । ଗତବର୍ଷ ସମୁଦାୟ ୭୫୯୩.୨୮୦ ମେଟ୍ରିକ ଟନ୍ ଡାଲି ଓ ତୈଳବୀଜ ସଂଗ୍ରହ କରାଯାଇଥିବାବେଳେ ୨୦୧୯-୨୦ ରବି ଋତୁରେ ୯୧୨୭.୭୯୬ ମେଟ୍ରିକ୍ ଟନ ସଂଗ୍ରହ କରାଯାଇଛି ।
ସାରା ରାଜ୍ୟରେ କୋଭିଡ୍-୧୯ ସ୍ଥିତିରେ ଉପୁଜୁଥିବା ଆହ୍ୱାନକୁ ମୁକାବିଲା କରିବା ସହିତ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଓ ସାମାଜିକ ଦୂରତ୍ୱ ବଜାୟ ରଖି ଏବଂ ସଂପୃକ୍ତ ଅଧିକାରୀଙ୍କ ସହିତ ସ୍ଥିତିର ନିୟମିତ ସମୀକ୍ଷା କରି ଗତବର୍ଷ ତୁଳନାରେ ଅଧିକ ଡାଲି ଓ ତୈଳବୀଜ ସଂଗ୍ରହ କରାଯାଇପାରିଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ସମବାୟ ବିଭାଗ ପକ୍ଷରୁ ମାର୍କଫେଡ୍ ଦ୍ୱାରା ରାଜ୍ୟର ଗତବର୍ଷ ୮ଟି ଜିଲ୍ଲା ତୁଳନାରେ ଚଳିତ ବର୍ଷ ୧୩ଟି ଜିଲ୍ଲାରୁ ବିଭିନ୍ନ ପ୍ୟାକସ୍ ଜରିଆରେ ସର୍ବନିମ୍ନ ସହାୟକ ମୂଲ୍ୟରେ ଚାଷୀମାନଙ୍କଠାରୁ ମୁଗ, ଚିନାବାଦାମ ଓ ସୂର୍ଯ୍ୟମୁଖୀ ମଂଜି ସଂଗ୍ରହ କରାଯାଇଛି । ଏଥି ମଧ୍ୟରେ ଯାଜପୁର ଜିଲ୍ଲାରୁ ମୋଟ ୨୫ କୋଟି ୨୪ ଲକ୍ଷ ୪୯ ହଜାର ୯୨୫ ଟଙ୍କା ମୂଲ୍ୟର ଡାଲି ଓ ତୈଳବୀଜ ସଂଗ୍ରହ କରାଯାଇଥିବାବେଳେ ମାଲକାନଗିରି ଜିଲ୍ଲାରୁ ୯ କୋଟି ୮୬ ଲକ୍ଷ ୭୩ ହଜାର ୪୪୦ ଟଙ୍କା ମୂଲ୍ୟର, ଜଗତସିଂହପୁର ଜିଲ୍ଲାରୁ ୮ କୋଟି ୯୮ ଲକ୍ଷ ୪୭ ହଜାର ୩୧୫ ଟଙ୍କାର ଏବଂ ପୁରୀ ଜିଲ୍ଲାରୁ ୬ କୋଟି ୬୬ ଲକ୍ଷ ୩୭ ହଜାର ୧୫୮ ଟଙ୍କା ମୂଲ୍ୟର ଡାଲି ଓ ତୈଳବୀଜ ସଂଗ୍ରହ କରାଯାଇଛି ।