ପାରଳାଖେମୁଣ୍ଡି– ଗଜପତି ଜିଲ୍ଲାରେ ଗତକାଲି ୩୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ମଧ୍ୟ ସମାନ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୯୦୩ କୁ ବୃଦ୍ଧି ପାଇଛି । ଗତ ୬ ତାରିଖରେ ଏମାନଙ୍କର ସ୍ୱାବ୍ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ପଠାଯାଇଥିଲା । ରିପୋର୍ଟ ପଜିଟିଭ୍ ଆସିବା ପରେ ଆକ୍ରାନ୍ତ ମାନଙ୍କୁ କୋଭିଡ଼୍ ହସ୍ପିଟାଲ ଓ କୋଭିଡ଼୍ କେୟାର୍ ସେଂଟରକୁ ସ୍ଥାନାନ୍ତରିତ କରାଯାଇଛି । ସେହିପରି ସାମାନ୍ୟ ଲକ୍ଷଣ ଥିବା ବ୍ୟକ୍ତିବିଶେଷ ମାନଙ୍କୁ ହୋମ୍ ଆଇସୋଲେସନକୁ ପଠାଇ ଦିଆଯାଇଛି ।
ନୂଆ ଚିହ୍ନଟ ୩୫ ଆକ୍ରାନ୍ତଙ୍କ ମଧ୍ୟରୁ ୨୮ ଜଣ ପୁରୁଷ ଓ ୭ ଜଣ ମହିଳା ରହିଛନ୍ତି । ଏମାନଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ରହିଛନ୍ତି । ନୂଆ ଚିହ୍ନଟ ଏହି ଆକ୍ରାନ୍ତ ମାନଙ୍କର ବୟସ ୧୩ ବର୍ଷରୁ ୬୭ ବର୍ଷ ମଧ୍ୟରେ ରହିଛି । ଏହି ଆକ୍ରାନ୍ତ ମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରୁ ୧୨ ଜଣ, ଗୁମ୍ମା ବ୍ଲକ୍ ରୁ ୮ ଜଣ, ଗୋଷାଣି ବ୍ଲକରୁ ୮ ଜଣ, କାଶୀନଗର ବ୍ଲକରୁ ଜଣେ, ମୋହନା ବ୍ଲକରୁ ୨ ଜଣ ଏବଂ ନୂଆଗଡ଼ ବ୍ଲକରୁ ୪ ଜଣ ଆକ୍ରାନ୍ତ ରହିଛନ୍ତି ।
ସ୍ୱାସ୍ଥ୍ୟ କର୍ମୀଙ୍କ ଦ୍ୱାରା ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ୩୧ ଜଣଙ୍କୁ ଚିହ୍ନଟ କରାଯାଇଛି । ପ୍ରାଥମିକ ସ୍ତରରେ ୩ ଜଣ ପଜିଟିଭଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି । ଆକ୍ରାନ୍ତମାନଙ୍କ ମଧ୍ୟରେ ଜଣେ କୋଭିଡ଼୍ ଯୋଦ୍ଧା ରହିଛନ୍ତି । ଅଦ୍ୟାବଧି ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୫ ରହିଛି ।