-
ରାଜ୍ୟ ସରକାର ଗଞ୍ଜାମକୁ ସ୍ୱତନ୍ତ୍ର ଦୃଷ୍ଟି ଦେଉଛନ୍ତି
ବ୍ରହ୍ମପୁର : ସମ୍ପ୍ରତି କରୋନାରେ ଗଞ୍ଜାମ ସ୍ଥିତି ସୁଧୁରିବାରେ ଲାଗିଛି। ଜିଲ୍ଲା ପ୍ରଶାସନ ଦୀର୍ଘ ୪ମାସ ହେଲା କରୋନା ମହାମାରୀ ମୁକାବିଲାରେ ଲାଗିପଡ଼ିଛି। ଗଞ୍ଜାମ ଜିଲ୍ଲାକୁ ରାଜ୍ୟ ସରକାର ଯଥେଷ୍ଟ ଗୁରୁତ୍ବ ଦେଉଛନ୍ତି। ଅତିରିକ୍ତ ସ୍ୱାସ୍ଥ୍ୟ କର୍ମଚାରୀ, ଡାକ୍ତର, ପ୍ରଶାସନିକ ଅଧିକାରୀଙ୍କୁ ନିୟୋଜିତ କରି ଜିଲ୍ଲା ଉପରେ ସମ୍ପୂର୍ଣ୍ଣ ଦୃଷ୍ଟି ରଖାଯାଇଛି। ପ୍ରତ୍ୟେହ ଦୁଇ ଥର ମୁଖ୍ୟମନ୍ତ୍ରୀ ନିଜେ ସମୀକ୍ଷା କରୁଛନ୍ତି। ଗଞ୍ଜାମ ଜିଲ୍ଲାରେ ପୂର୍ବ ତୁଳନାରେ ବର୍ତ୍ତମାନ ଅଧିକ କରୋନା ପରୀକ୍ଷା କରାଯାଉଛି। କିନ୍ତୁ ଗତ କିଛିଦିନ ହେବ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା କମିବାରେ ଲାଗିଛି ବୋଲି ଗଞ୍ଜାମ ଗସ୍ତରେ ଆସି ସୂଚନା ଲୋକସମ୍ପର୍କ ବିଭାଗ ଉପଦେଷ୍ଟା ମାନସ ମଙ୍ଗରାଜ ମତବ୍ୟକ୍ତ କରିଛନ୍ତି।
ଉପଦେଷ୍ଟା ଶ୍ରୀ ମଙ୍ଗରାଜ ଆଜି ପୂର୍ବାହ୍ନରେ ବ୍ରହ୍ମପୁର ସର୍କିଟ ହାଉସ୍ ଠାରେ ପହଞ୍ଚି ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା କରିଥିଲେ। କରୋନା ଯୁଦ୍ଧରେ ଆମକୁ ବିଜୟୀ ହେବାକୁ ପଡ଼ିବ। ଏଥିପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ। କିନ୍ତୁ ଏହି ଯୁଦ୍ଧ ସମୟରେ ବିଭିନ୍ନ ସାମାଜିକ ଗଣମାଧ୍ୟମ, ଛପା ଗଣମାଧ୍ୟମ ଓ ବୈଦୁତିକ ଗଣମାଧ୍ୟମରେ ନକରାତ୍ମକ ଖବର ପ୍ରସାରଣ ଓ ପ୍ରକାଶନ କୋଭିଡ଼୍ ଯୋଦ୍ଧାଙ୍କ ମନୋବଳକୁ ହ୍ରାସ କରୁଛି। ଏଭଳି ବିପତ୍ତି ସମୟରେ ଖବରକୁ ଭଲଭାବେ ତର୍ଜମା କରି ପ୍ରକାଶ କରିବାକୁ ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପରାମର୍ଶ ଦେଇଥିଲେ। ସକରାତ୍ମକ ଖବର କରୋନା ମୁ୍କାବିଲା କାମ କରୁଥିବା ଅଙ୍ଗନବାଡ଼ି, ଆଶାକର୍ମୀ, ଡାକ୍ତର, ପାରା ମେଡିକାଲ କର୍ମଚାରୀ,ପୁଲିସ ଆଦି କୋଭିଡ଼୍ ଯୋଦ୍ଧାଙ୍କୁ ମନୋବଳ ଦୃଢ କରିବ।
ପ୍ରବାସୀ ମାନେ ଆସିବାରୁ ଗଞ୍ଜାମର ସ୍ଥିତି ବିଗିଡ଼ିଗଲା ବୋଲି କହିବା ଠିକ୍ ନୁହଁ। ଗୁଜୁରାଟରୁ ଯେତେବେଳ ପ୍ରବାସୀଙ୍କୁ ନେଇ ବସ ଆସିଲା ରାଜ୍ୟ ସରକାରଙ୍କ ପାଖରେ ସୂଚନା ନ ଥିଲା। ରାଜ୍ୟ ସରକାର ଜାଣିଲା ବେଳେ ଅଧିକାଂଶ ବସ ଛତିଶଗଡ଼ ସୀମା ପାର ହୋଇସାରିଥିଲେ। ଏଭଳି ସ୍ଥିତିରେ କଣ କରାଯାଇପାରିଥାନ୍ତା ବୋଲି ସେ କହିଥିଲେ। ଜିଲ୍ଲା ପ୍ରଶାସନ ସମସ୍ତଙ୍କ ସହ ସମନ୍ବୟ ରଖି କୋଭିଡ଼୍ ପରିଚାଳନା କରୁଥିବା ସେ ପ୍ରକାଶ କରିଥିଲେ।
ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି କହିଥିଲେ ଯେ, ଗଞ୍ଜାମ ଓ ଗଜପତି ଜିଲ୍ଲାର କରୋନାରେ ମୃତ୍ୟୁ ବରଣ କରିଥିବା ଦୁଇ ସମ୍ବାଦିକଙ୍କୁ କ୍ଷତିପୂରଣ ରାଶି ୧୫ ଲକ୍ଷ ଲେଖାଏଁ ଜିଲ୍ଲାପାଳମାନଙ୍କୁ ପଠାଇ ଦିଆଯାଇଛି। ସାମ୍ବାଦିକ କଲ୍ୟାଣ ପାଣ୍ଠିରେ ଅର୍ଥର ଅଭାବ ନାହିଁ। ଯେକୌଣସି ସାମ୍ବାଦିକ କୌଣସି ଦୂରାରୋଗରେ ପୀଡ଼ିତ ହେଲେ କଲ୍ୟାଣ ପାଣ୍ଠିରୁ ୨ଲକ୍ଷରୁ ୧୦ଲକ୍ଷ ଯାଏଁ ଦିଆଯାଇପାରିବ। ସୂଚନା ଲୋକସମ୍ପର୍କ ବିଭାଗ ନିକଟରେ ଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ୬୦୧୧ଜଣ ସାମ୍ବାଦିକ ପଞ୍ଜିକୃତ ହୋଇଛନ୍ତି। କିନ୍ତୁ ଏହି ତଥ୍ୟ ବହୁ ପୂର୍ବର । ବର୍ତ୍ତମାନ ବିଭାଗ ପକ୍ଷରୁ ପୁଣି ଡାଟାବେସ୍ ପ୍ରସ୍ତୁତ କରାଯାଉଛି। ଖୁବଶୀଘ୍ର ତାଲିକା ପ୍ରସ୍ତୁତ ହେବ ବୋଲି ସେ କହିଥିଲେ। ଏହି ଆଲୋଚନା ବେଳେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଏବଂ ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଉପସ୍ଥିତ ଥିଲେ।