ବ୍ରହ୍ମପୁର: ସ୍ୱର୍ଗତ ସରକାରୀ ପରିବହନ ଠିକାଦାର ଲକ୍ଷ୍ମୀନାରାୟଣ ପାତ୍ରଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିବାକୁ ଗଞ୍ଜାମ ଜିଲ୍ଲା ସରକାରୀ ଠିକାଦାର ସଂଘ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଛି । ସଂଘ ପକ୍ଷରୁ ଏକ ଲିଖିତ ପତ୍ର ମାଧ୍ୟମରେ ଜିଲ୍ଲାପାଳଙ୍କୁ ଦିଆଯାଇଛି ଯେ, ଗତ ୨ତାରିଖ ଦିନ ପରିବହନ ଠିକାଦାର ଲକ୍ଷ୍ମୀନାରାୟଣ ପାତ୍ର ୩୭ ବୟସରେ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ସେ ବର୍ତ୍ତମାନ ଲେବଲ-୨ ଠିକାଦାର ଓ ଏମ୍ଡିଏମ୍ ଠିକାଦାର ଏବଂ ଏସ୍ଏନ୍ପି ଠିକାଦାର ରୂପେ କାର୍ଯ୍ୟକରି ଆସୁଥିଲେ । କେନ୍ଦ୍ର ସରକାରଙ୍କ ମାଗଣା ଚାଉଳ ଓ ରାଜ୍ୟ ସରକାରଙ୍କ ଟଙ୍କିକିଆ ଚାଉଳ ସହ ଅଙ୍ଗନୱାଡ଼ି ଗହମ, ଚାଉଳ ବଣ୍ଟନକରି ଆସୁଥିଲେ । ଯାହାଫଳରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ । ତେଣୁ ଗଞ୍ଜାମ ଜିଲ୍ଲା ଠିକାଦାର ସଂଘ ପକ୍ଷରୁ ସ୍ୱର୍ଗତ ପାତ୍ରଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିବା ସହ ତାଙ୍କ ପରିବାରବର୍ଗଙ୍କୁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରାଯାଉ ବୋଲି ଦାବି କରାଯାଇଛି । ସୂଚନାଥାଉକି, ରାଜ୍ୟରେ ପ୍ରଥମ ସରକାରୀ ପରିବହନ ଠିକାଦାର ଭାବେ ଶ୍ରୀ ପାତ୍ର ମୃତ୍ୟୁବରଣ କରିଥିବା ଜଣାପଡିଛି । ଦାବିପତ୍ର ପ୍ରଦାନ ବେଳେ ସତ୍ୟନାରାୟଣ ସ୍ୱାଇଁ, କବିନ୍ଦ୍ରନାଥ ପଣ୍ଡା, ଶିଶର କୁମାର ପାଣିଗ୍ରାହୀ, ପ୍ରମୋଦ କୁମାର ସାହୁ, ବିମ୍ବାଧର ତ୍ରିପାଠୀ, ଏସ୍.ସୁବାଷ ଚନ୍ଦ୍ର ପାତ୍ର, ଟୁଟୁ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।