-
ଟ୍ରକ ପଛକୁ ଧକ୍କା କାର,ଘଟଣାସ୍ଥଳରେ ୩ ବଙ୍ଗୀୟ ଯୁବକ ମୃତ,୨ ଗୁରୁତର
ଧର୍ମଶାଳା : ୧୬ ନମ୍ବର ଜାତୀୟ ରାଜପଥ ନେଲା ଜୀବନ । ଆଜି ଭୋରୁ ଅକାଳରେ ଝଡି ପଡିଲା ୩ ଜୀବନ । ଆଜି ଭୋରୁ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜାରକା ନିକଟସ୍ଥ ରଥିଆଠାରେ ଥିବା ଫଗୁ ଢାବା ନିକଟରେ । ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକ ପଛ ପଟକୁ ଧକ୍କା ଦେଲା ମାରୁତି ସୁଇଫଟ୍ ଡିଜେଆର କାର । ଫଳରେ ଘଟଣାସ୍ଥଳରେ ୩ଜଣ ବଙ୍ଗୀୟ ଯୁବକଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣେ ମହିଳା ଥିବା ଜଣାପଡିଛି । ଭୁବନେଶ୍ୱରରୁ କୋଲକାତା ଫେରୁଥିବା ବେଳେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିଲା । ଡ୍ରାଇଭର ଆଖି ଲାଗି ଯାଇଥିବାରୁ ଏଭଳି ଦୁର୍ଘଟଣା ଘଟିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଧର୍ମଶାଳା ପୁଲିସ ଘଟଣାସ୍ଥଳରେ ପଂହଚି ଟ୍ରକ ପଛରୁ ଗ୍ୟାସ କଟର ଓ ଜେସିବି ଦ୍ୱାରା କାରକୁ ବାହାର କରାଯାଇ କାର ଭିତରୁ ସେମାନଙ୍କୁ ଉଦ୍ଧାର କରିଥିଲା । ମୃତକମାନେ ହେଲେ କୋଲକାତା ରାଜ୍ୟର ପୂର୍ବନନ୍ଦପୁର ଜିଲା କଟାଇ ଥାନା ଅନ୍ତର୍ଗତ କୋଟାଇକେ କେଶପୁରା ଅଂଚଳର ବୋଲି ଜଣାପଡିଛି । ମୃତକମାନେ ହେଲେ ସୁଜିତ ଗିରି,ଅଜଗର ଅଲ୍ଲୀ ସାହା ଓ ଦୀପଙ୍କର ପଞ୍ଜା ବୋଲି ଜଣାପଡିଥିବା ବେଳେ ଆହତମାନେ ହେଲେ କାରର ଡ୍ରାଇଭର ଓ ମୃତ ସୁଜିତଙ୍କ ସମ୍ପର୍କୀୟ ସୁନିତା ଗିରି ବୋଲି ଜଣାପଡିଛି । ସମସ୍ତଙ୍କ ବୟସ ୪୦ରୁ ୪୫ ହେବ ବୋଲି ଜଣାପଡିଛି । ଏହି କାରଟି ୩ଦିନ ତଳେ ଭୁବନେଶ୍ୱର ଯାଇ ଆଜି ଭୋରୁ ଫେରୁଥିବା ଦେଳେ ଏହି ଦୁର୍ଘଟଣା ଘଟିଛି । ସୂଚନା ମୁତାବକ ଆଜି ସାଢେ ୪ଟା ସମୟରେ କୋଲକାତାର ରାଜ୍ୟର କୋଟାଇକେ ଅଂଚଳର ଲୋକେ ତିନି ଦିନ ତଳେ ମାରୁତି ସୁଇଫଟ ଡିଜେଆର କାର(ଡବ୍ଲୁ୩୨ଏଲ୦୭୫୨)ରେ ଡ୍ରାଇଭର ସମେତ ୫ଜଣ ଭୁବନେଶ୍ୱର ଯାଇଥିଲେ । ସେଠାରୁ କାମସାରି ଆଜି ଭୋରୁ ସେମାନେ ଏହି କାର ଯୋଗେ ଘରକୁ ଫେରୁଥିଲେ । ଯାଜପୁର ଜିଲା ୧୬ ନଂ ଜାତୀୟ ରାଜପଥ ଜାରକା ନିକଟସ୍ଥ ରଥିଆ ନିକଟରେ ଥିବା ଫଗୁ ଢାବା ନିକଟରେ ରାସ୍ତା କଡରେ ଏକ ୧୦ ଚକିଆ ଟ୍ରକ(ଡବ୍ଲୁ୨୩ବି୩୭୩୮)ଟି ଛିଡା ହୋଇଥିବା ବେଳେ କାରଟି ଦୃତ ଗତିରେ ଆସି ଟ୍ରକ ପଛପଟେ ଧକ୍କା ଦେଇଥିଲା । ଦୁର୍ଘଟଣା ଖବର ପାଇ ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ ସଦଳବଳେ ଘଟଣାସ୍ଥଳରେ ପଂହଚି ଗ୍ୟାସ କଟର ସହାୟତାରେ ଆହତମାନଙ୍କୁ କାର ଭିତରୁ ବାହାର କରିଥିଲେ । ସେମାନଙ୍କ ମଧ୍ୟ ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ୨ଜଣ ଗୁରୁତର ଆହତମାନଙ୍କୁ କଟକ ବଡ ମେଡିକାଲକୁ ପଠାଇ ଦେଇ ଘଟଣାର ତଦନ୍ତ ଚଳାଇଛି । ଏବଂ ୩ ମୃତ ଦେହକୁ ଜବତ କରି ଧର୍ମଶାଳା ଶବ ଗୃହକୁ ପଠାଇଦେଇ ଏକ ଅପମୃତ ମାମଲା ରୁଜୁ କରିଛି । ପରିବାର ଲୋକେ ପଂହଚିବା ପରେ ଶବ ହସ୍ତାନ୍ତରିତ କରାଯିବା ସହ ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଇ ଦିଆଯିବ ବୋଲି ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ ସୂଚନା ଦେଇଛନ୍ତି ।