
ବ୍ରହ୍ମପୁର : ଗୁରୁବାର ଦିନ ବ୍ରହ୍ମପୁର ପୋଲିସ ଜିଲ୍ଲାରେ କାର୍ଯ୍ୟରତ ଅଧିକାରୀ ଓ ପୋଲିସ କର୍ମଚାରୀଙ୍କ ସେରୋଲୋଜିକଲ୍ ଟେଷ୍ଟ ସ୍ଥାନୀୟ ଆମ୍ବପୁଆ ରିଜର୍ଭ ପଡିଆ ଠାରେ ଏସ୍ପି ପିନାକ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏସ୍ପି ଶ୍ରୀ ମିଶ୍ର ଓ ତାଙ୍କ ସହଧର୍ମିଣୀ ଡାକ୍ତର ସାରା ମିଶ୍ର ପ୍ରଥମେ ରକ୍ତ ନମୁନା ଦେଇଥିଲେ । ଏହାପରେ ଜିଲ୍ଲାରେ କାର୍ଯ୍ୟରତ ୨ ଅତିରିକ୍ତ ଏସ୍ପି, ଡିଏସ୍ପି, ଏସ୍ଡିପିଓଙ୍କ ସମେତ ସମସ୍ତ ଥାନାଧିକାରୀ, କର୍ମଚାରୀଙ୍କ ସମେତ ପ୍ରାୟ ୨୦୩ଜଣ ଏହି ସେରୋଲୋଜିକଲ୍ ଟେଷ୍ଟରେ ଭାଗ ନେଇଥିଲେ । ସୂଚନାଥାଉକି, ଭୁବନେଶ୍ୱର, ପୁରୀ ପରେ ବ୍ରହ୍ମପୁର ମହାନଗର ନିଗମରେ ୫ଦିନିଆ ସେରୋଲୋଜିକଲ୍ ସର୍ଭେ ଆରମ୍ଭ ହୋଇଛି । ଗତ ୩ତାରିଖ ଠାରୁ ଏହି ସର୍ଭେ ବ୍ରହ୍ମପୁର ମହାନଗର ନିଗମର ବିଭିନ୍ନ ୱାର୍ଡରେ ସର୍ଭେ ଆରମ୍ଭ ହୋଇଛି । ମହାନଗର ନିଗମର ୪୦ଟି ୱାର୍ଡ ଇଲାକାରୁ ବିଏମ୍ସି ଓ ଭୁବନେଶ୍ୱରସ୍ଥିତ ରିଜିଓନାଲ ମେଡିକାଲ୍ ରିସର୍ଚ୍ଚ ସେଣ୍ଟର (ଆର୍ଏମ୍ଆର୍ସି) ପକ୍ଷରୁ ଏହି ସର୍ଭେ କରାଯାଉଛି । ପ୍ରତ୍ୟେକ ଦିନ ୧୦ଟି ୱାର୍ଡରେ ସର୍ଭେ ଚାଲୁ ରହିଛି । ପ୍ରତି ୱାର୍ଡରେ ଥିବା ଔଷଧ ଦୋକାନୀ, ବ୍ୟବସାୟୀକ ପ୍ରତିଷ୍ଠାନ ଓ କରୋନା ମୁକାବିଲାରେ ଆଗଧାଡିରେ ରହୁଥିବା ବ୍ୟକ୍ତିବିଶେଷ ଏଭଳି ୫୦ଜଣଙ୍କ ସର୍ଭେ କରାଯାଉଛି । ନିଗମ ଅଞ୍ଚଳରୁ ପ୍ରାୟ ୨୫୦୦ ରକ୍ତ ନମୁନା ସଂଗ୍ରହ କରିବା ପାଇଁ ବିଏମ୍ସି ଲକ୍ଷ୍ୟ ରଖିଥିବା ଜଣାପଡିଛି । ଆୟୋଜିତ ନମୁନା ସଂଗ୍ରହ ବେଳେ ଡିଏସ୍ପି ଟ୍ରାଫିକ୍ ସାର୍ଥକ ରଏ, ଏସ୍ଡିପିଓ ଜୟନ୍ତ ମହାପାତ୍ର, ବିଷ୍ଣୁପ୍ରସାଦ ପତି, ସୁରେନ୍ଦ୍ରନାଥ ମୁର୍ମୁ, ଇନ୍ସିପେକ୍ଟର ସୁରେଶ କୁମାର ତ୍ରିପାଠୀ, ବିବେକାନନ୍ଦ ମହନ୍ତ, ମୃତ୍ୟୁଞ୍ଜୟ ସ୍ୱାଇଁ, ବାବୁଲି ନାୟକଙ୍କ ସମେତ ବହୁ ଅଧିକାରୀ ଓ କର୍ମଚାରୀ ସମେତ ହାବିଲ୍ଦାର ଓ କନେଷ୍ଟବଳ ସଂଘର ସଭାପତି କାଳୀଚରଣ ଷଢ଼ଙ୍ଗୀ, ସମ୍ପାଦକ କେ.ଶ୍ରୀନିବାସ ପାତ୍ରଙ୍କ ପ୍ରମୁଖ ସହଯୋଗ କରିଥିଲେ ।