ନୂଆଦିଲ୍ଲୀ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ଦିନ କେନ୍ଦ୍ର ଶାସିତ ପ୍ରଦେଶ ଜାମ୍ମୁ କାଶ୍ମୀରର ଉପ ରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ଇସ୍ତଫା ସ୍ୱୀକାର କରିଛନ୍ତି । ସେହିପରି ତାଙ୍କର ସ୍ଥାନରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମନୋଜ ସିହ୍ନାଙ୍କୁ ନୂତନ ଉପ ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି । ରାଷ୍ଟ୍ରପତିଙ୍କ ସଚିବାଳୟ ପକ୍ଷରୁ ଏ ସମ୍ପର୍କରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରୀ କରା ଯାଇଛି ।
ଏହି ବିଜ୍ଞପ୍ତିରେ କୁହା ଯାଇଛି ଯେ ଉପ ରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ଇସ୍ତଫା ସ୍ୱୀକାର କରା ଯିବା ସହ ତାଙ୍କ ସ୍ଥାନରେ ମନୋଜ ସିହ୍ନାଙ୍କୁ ନୂତନ ଉପ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆ ଯାଇଛି ।
ଉଲ୍ଲେଖନୀୟ ଯେ ଗତ ୯ ମାସ ଧର ଶ୍ରୀ ମୁର୍ମୁ ଜାମ୍ମୁ କାଶ୍ମୀରର ଉପ ରାଜ୍ୟପାଳ ଭାବେ ଦାୟିତ୍ୱ ସମ୍ଭାଳିବା ପରେ ବୁଧବାର ରାତ୍ରୀରେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ । ୧୯୮୫ ବ୍ୟାଚର ଆଇଏଏସ ଅଧିକାର ଶ୍ରୀ ମୁର୍ମୁ ନରେନ୍ଦ୍ର ମୋଦିଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ତାଙ୍କର ପ୍ରିନସିପାଲ ସେକ୍ରେଟାରୀ ଭାବେ କାମ କରିଥିଲେ ।