ପାରଳାଖେମୁଣ୍ଡି– ଗଜପତି ଜିଲ୍ଲାରେ ଆଜି ଆଉ ୫୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୮୩୩ କୁ ବୃଦ୍ଧି ପାଇଛି ।
ଗତ ୩ ଓ ୪ ତାରିଖରେ ଏମାନଙ୍କର ସ୍ୱାବ୍ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ପଠାଯାଇଥିଲା । ରିପୋର୍ଟ ପଜିଟିଭ୍ ଆସିବା ପରେ ଆକ୍ରାନ୍ତ ମାନଙ୍କୁ କୋଭିଡ଼୍ ହସ୍ପିଟାଲ ଓ କୋଭିଡ଼୍ କେୟାର୍ ସେଂଟରକୁ ସ୍ଥାନାନ୍ତରିତ କରାଯାଇଛି । ସେହିପରି ସାମାନ୍ୟ ଲକ୍ଷଣ ଥିବା ବ୍ୟକ୍ତିବିଶେଷ ମାନଙ୍କୁ ହୋମ୍ ଆଇସୋଲେସନକୁ ପଠାଇ ଦିଆଯାଇଛି ।
ନୂଆ ଚିହ୍ନଟ ୫୯ ଆକ୍ରାନ୍ତଙ୍କ ମଧ୍ୟରୁ ୩୩ ଜଣ ପୁରୁଷ ଓ ୨୬ ଜଣ ମହିଳା ରହିଛନ୍ତି । ଏମାନଙ୍କର ବୟସ ୧୮ ବର୍ଷରୁ ୬୫ ବର୍ଷ ମଧ୍ୟରେ ରହିଛି । ନୂଆ ଚିହ୍ନଟ ଏହି ଆକ୍ରାନ୍ତ ମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରୁ ୩୬ ଜଣ, ରାୟଗଡ଼ ବ୍ଲକରୁ ୩ ଜଣ, ଗୁମ୍ମା ବ୍ଲକ୍ ରୁ ୮ ଜଣ, ଗୋଷାଣି ବ୍ଲକରୁ ୩ ଜଣ, କାଶୀନଗର ବ୍ଲକରୁ ୩ ଜଣ ଏବଂ ମୋହନା ବ୍ଲକରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସ୍ୱାସ୍ଥ୍ୟ କର୍ମୀଙ୍କ ଦ୍ୱାରା ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ୩୭ ଜଣଙ୍କୁ ଚିହ୍ନଟ କରାଯାଇଛି । ପ୍ରାଥମିକ ସ୍ତରରେ ୯ ଜଣ ପଜିଟିଭଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି । ଆକ୍ରାନ୍ତମାନଙ୍କ ମଧ୍ୟରେ ୧୩ ଜଣ କୋଭିଡ଼୍ ଯୋଦ୍ଧା ରହିଛନ୍ତି । ଯେଉଁମାନେ କି ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଥିବା ବେଳେ ସଂକ୍ରମିତ ହୋଇଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ ପ୍ରକାଶ । ସେହିପରି ଅଦ୍ୟାବଧି ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୪ ରହିଛି । ଜଣକର ଅନ୍ୟ କାରଣରୁ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।