ଭୁବନେଶ୍ୱର – ରାଜ୍ୟ କୃଷି ବିଭାଗ ଠିକ୍ ସମୟରେ ଚାଷୀମାନଙ୍କୁ ବିହନ ପ୍ରଦାନ କରିପାରିଲା ନାହିଁ । ୬ଲକ୍ଷ କ୍ୟୁଣ୍ଟାଲ ବଦଳରେ ମାତ୍ର ୩.୫ ଲକ୍ଷ କ୍ୟୁଣ୍ଟାଲ ବିହନ ଯୋଗାଣ ହେଲା । ୨୦୦୮ ମସିହାରେ ମୁଖ୍ୟମନ୍ତ୍ରୀ ବ୍ଲକ ପିଛା ୩୫% ଜଳସେଚନ ନିମନ୍ତେ ଘୋଷଣା କରିଥିଲେ ମଧ୍ୟ କାଗଜପତ୍ରରେ ୨୦୦ ବ୍ଲକରେ ୨୮% ଏବଂ ଅନ୍ୟ ବ୍ଲକ ଗୁଡ଼ିକରେ ଜଳସେଚନ ହୋଇନାହିଁ । ସଠିକ ଜଳସେଚନର ବ୍ୟବସ୍ଥା ଥିଲେ ଏଭଳି ପରିସ୍ଥିତି ଉପୁଜି ନଥାନ୍ତା ବୋଲି ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ ।
ସେ କହିଛନ୍ତି ଯେ ଏସବୁ ମୁଖ୍ୟ ସମସ୍ୟାରୁ ନଜର ହଟାଇବା ପାଇଁ କୃଷିମନ୍ତ୍ରୀ ୯ଲକ୍ଷ ୨୦ ହଜାର ଚାଷୀଙ୍କୁ ହ୍ୱାଟସ୍ଆପ ଗ୍ରୁପ୍ରେ ସାମିଲ କରାଯାଇଥବା ନେଇ ମିଥ୍ୟା ତଥ୍ୟ ଦେଇଛନ୍ତି । ଏହା ସଂପୂର୍ଣ୍ଣ ଅବାସ୍ତବ ଏବଂ କପୋଳକଳ୍ପିତ । ହ୍ୱାଟସ୍ଆପର ନିୟମ ଅନୁଯାୟୀ ଗୋଟିଏ ଗ୍ରୁପରେ ଅତିବେଶିରେ ୨୫୦ ଲୋକଙ୍କୁ ଯୋଡ଼ିପାରିବାର ବ୍ୟବସ୍ଥା ଅଛି । ୯ଲକ୍ଷ ୨୦ ହଜାର ଷୀଭାଇଙ୍କୁ ହ୍ୱାଟସ୍ଆପର କେତେଗୋଟି ଗ୍ରୁପ୍ରେ ଯୋଡ଼ାଯାଇଛି ତାହା ସବିଶେଷ ବିବରଣୀ କୃଷି ବିଭାଗ କହିପାରିବେକି ବୋଲି ସେ ପ୍ରଶ୍ନ କରିଛନ୍ତି । କୃଷିବିଭାଗ ଟ୍ୱିଟର ଆକାଉଣ୍ଟକୁ ୨୭ ହଜାର ୨ଶହ ଚାଷୀ ବ୍ୟବହାର କରୁଥିବା କୁହାଯାଇଛି କିନ୍ତୁ ଏଥିରେ ରେ ୨୨ ହଜାର ୬ଶହ ଜଣ ଫଲୋଅର ଅଛନ୍ତି । ଯେଉଁଠି ରାଜ୍ୟର ୧୪୭ ବିଧାୟକ ମାନଙ୍କର ଟ୍ୱିଟର ଆକାଉଣ୍ଟ ନାହିଁ ସେଠି ଚାଷୀମାନେ ଟ୍ୱିଟର ଆକାଉଣ୍ଟ ବ୍ୟବହାର କରୁଥିବା କଥା ସଂପୂର୍ଣ୍ଣ ହାସ୍ୟାସ୍ପଦ ।
ବର୍ତମାନ ପ୍ରରୀପ୍ରେକ୍ଷିରେ କୃଷିବିଭାଗର ଯାହା ଉପଲବ୍ଧି ତାହା କେବଳ ସୁଚନା ଓ ଲୋକ ସଂପର୍କ ବିଭାଗ ଜରିଆରେ ହାତଗଣତି ମୁଷ୍ଟିମେୟ ଲୋକମାନଙ୍କୁ ନେଇ ପ୍ରସ୍ତୁତ କରାଯାଇଛି । କୃଷିବିଭାଗ ମନ୍ତ୍ରୀ କିଛି କହିବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କର ପରାମର୍ଶ ନବା ଦରକାରଥିଲା । କାରଣ ଫସଲ ପୂର୍ବବତି ଆଉ ଫସଲ ପରବର୍ତୀ କାର୍ଯ୍ୟକ୍ରମରେ ରାଜସ୍ୱ, ଜଳସଂପଦ, କୃଷି, ବିଜ୍ଞାନ ଓ ବୈଷୟିକ ବିଭାଗ ପ୍ରଯୁକ୍ତି ଏବଂ ଅନ୍ୟାନ୍ୟ ବିଭାଗର ସଂପୃକ୍ତି ରହିଛି । କୃଷିବିଭାଗ ଅଫିସରଙ୍କ ସହାୟତରେ ମନ୍ତ୍ରୀ ଯେଉଁ ବାହାସ୍ପୋଟ୍ ଏବଂ ବାହାଦୁରି ମାରିଛନ୍ତି ତାହା ଆଦୌ ଠିକ୍ ନୁହେଁ । ତେଣୁ କୃଷିବିଭାଗର ଗୋଟିଏ ମନ୍ତ୍ରୀ ଗୋଷ୍ଠୀ ଗଠନ କରାଯାଉ ଏବଂ ଏହା ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ନଜରରେ ରହୁ ନହେଲେ ଓଡ଼ିଶାକୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଶ୍ରୀ ପଟ୍ଟନାୟକ ସରକାରଙ୍କୁ ଚେତାଇ ଦେଇଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ବିଶ୍ୱରଞ୍ଜନ ଦାସ, ମନୋଜ ମହାପାତ୍ର ଓ ଦୀପକ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।