ଭୁବନେଶ୍ୱର – ଆରଟିଓ ଅଫିସ୍ କୁ ଦଲାଲ୍ ମୁକ୍ତ କରିବା ଲକ୍ଷ୍ୟରେ ଆଜି ଭୁବନେଶ୍ୱର ଆରଟିଓ -୧ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଦଲାଲଙ୍କୁ ଝୁମ୍ପୁଡି ଘରକୁ ଭାଙ୍ଗିଛି ପ୍ରଶାସନ । ସୋମବାର ସକାଳେ ବିଡିଏ ଓ ବିଏମସି ପକ୍ଷରୁ ଆଚର୍ଯ୍ୟ ବିହାର ସ୍ଥିତ ଆରଟିଓ ଅଫିସ ସମ୍ମୁଖ ଓ ପଛ ପଟେ ଥିବା ଘରକୁ ବୁଲଡୋଜର ସାହାଯ୍ୟରେ ଭଙ୍ଗାଯାଇଛି । ପାଖାପାଖି ୩୦ଟି ଚାଳିଆକୁ ଭଙ୍ଗାଯାଇଛି ।
ଏସମ୍ପର୍କରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ କେବଳ ଭୁବନେଶ୍ୱର ନୁହେଁ ଅନ୍ୟ ସ୍ଥାନରେ ଥିବା ଆରଟିଓ ଅଫିସ୍ ପରିସରରୁ ମଧ୍ୟ ଦଲାଲଙ୍କ ଚାଳିଆ ଗୁଡିକୁ ହଟାଯିବ ।
ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବାକୁ ଥିବା “ମୋ ସରକାର’କାର୍ଯ୍ୟକ୍ରମ ପୂର୍ବରୁ ବିଭିନ୍ନ ସରକାରୀ ଅଫିସରେ ଥିବା ଦଲାଲଙ୍କ ଉପରେ କଡା କାର୍ଯ୍ୟାନୁÂାନ ନିଆଯାଉଛି । ପ୍ରତିଦିନ ମେଡିକାଲ ଓ ଆରଟିଓ ଅଫିସ ମାନଙ୍କରେ ଥିବା ଦଲାଲଙ୍କୁ ଗିରଫ କରାଯାଉଛି ।
ଅନ୍ୟପକ୍ଷରେ ଲୋକଙ୍କର ସମସ୍ୟା ସମାଧାନ ପାଇଁ ଆଜିଠୁ ଭୁବନେଶ୍ୱରରେ ଦୁଇଟି ସ୍ଥାନରେ କ୍ୟାମ୍ପ ଖୋଲାଯାଇଛି । ଆରଟିଓ-୧ ଅଧୀନରେ ବନ୍ଦ ହୋଇ ଯାଇଥିବା ଦୁଇ ଲର୍ଣ୍ଣର୍ସ ଲାଇସେନ୍ସ ପ୍ରସ୍ତୁତ କ୍ୟାମ୍ପ ଅଫିସକୁ ପୁଣି ଥରେ ଖୋଲାଯିବା ପାଇଁ ନିଷ୍ପତି ହୋଇଛି । ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ସହିଦ ନଗର ବିଏମସି ୱାର୍ଡ ଅଫିସ୍ ଓ ଏଜି ଛକରେ ଥିବା ଓଏସଆରଟିସି ଅଫିସ୍ ପରିସରରେ ଏହି କ୍ୟାମ୍ପ ଖୋଲିବାକୁ ନୋଟିସ୍ ଜାରି ହୋଇଛି । ସକାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଏହି ଅଫିସ୍ କାମ କରିବ ।