ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ଭୋର୍ ପ୍ରାୟ ୫ଟା ସମୟରେ ବିଶାଖାପାଟଣାରୁ ୮ ଜଣ ଯାତ୍ରୀଙ୍କୁ ନେଇ ଏକ ଟାଟା ପିକଅପ୍ ଭ୍ୟାନ୍ ନଂ ଏପି୩୯ଟି ଏଲ-୮୦୦୩ ପୁରୀ ପେଣ୍ଠକଟା ଅଂଚଳ ଅଭିମୁଖେ ଯାଉଥିବା ବେଳେ ବାଣପୁର-ବାଲୁଗାଁ ବାଇପାସର ପାରିକଂସାରି ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଡ଼୍ରାଇଭରଙ୍କ ଆଖି ଲାଗିଯିବାରୁ ଗାଡିଟି ଡ଼ିଭାଇଡର ଡେଇଁ ବିପରିତ ଦିଗରେ ରାସ୍ତା ପାଶ୍ୱର୍କୁ ଓଲଟି ପଡିଥିଲା । ଫଳରେ ଭ୍ୟାନ୍ ପଛ ପାଶ୍ୱର୍ରେ ଡାଲାରେ ବସିଥିବା ଏମ୍. ତାତା ନାମକ ଜଣେ ବୃଦ୍ଧ ବ୍ୟକ୍ତି ଛିଟିକି ପଡି ଗାଡି ସାମ୍ନାରେ ପଡି ଯାଇଥିଲେ । ଗାଡ଼ିଟି ତାଙ୍କ ଉପରେ ଚଢ଼ିଯିବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଡାଲାରେ ଥିବା ଅନ୍ୟ ଜଣେ ବ୍ୟକ୍ତି ଜି. ନକରାଜୁ ନାମକ ବ୍ୟକ୍ତିଙ୍କ ବାମ ଗୋଡ଼ ଉପରେ ମଧ୍ୟ ଗାଡିଟି ଚଢ଼ି ଯାଇଥିଲା । ଯାହା ଫଳରେ ତାଙ୍କ ବାମ ଗୋଡ ସମ୍ପୂର୍ଣ୍ଣ କଟିଯାଇଛି । ଜି. କୋଣ୍ଡବା ନାମକ ଅନ୍ୟ ଜଣେ ମହିଳାଙ୍କ ଗୋଡ଼ରେ ମଧ୍ୟ ଗଭୀର ଆଘାତ ଲାଗିଛି ଏବଂ ପଶୁଲୁ ବଳରାମ ନାମକ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି ।
ଖବର ପାଇ ବାଲୁଗାଁ ଥାନା ଅଧିକାରୀ ରମାକାନ୍ତ ମହାଳିକ, ନାଭାଲ୍ ଫାଣ୍ଡି ଅଧିକାରୀ ଗୋବିନ୍ଦ ଗୌଡ଼, ବାଲୁଗାଁ ଥାନା ଏଏସଆଇ ଦିଲ୍ଲୀପ ବିଶ୍ୱାଳ ଏବଂ ବାଲୁଗାଁ ଅଗ୍ନିଶମ ଅଧିକାରୀ ନିତ୍ୟାନନ୍ଦ ଜେନା ସଦଳବଳେ ଘଟଣାସ୍ଥଳରେ ପହଂଚି ଆହତ ମାନଙ୍କୁ ଉଦ୍ଧାର କରି ବାଣପୁର ମେଡ଼ିକାଲରେ ଭର୍ତି କରିଥିବା ବେଳେ ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି । ଦୁର୍ଘଟଣା ପରେ ଗାଡ଼ି ଚାଳକ ସେଠାରୁ ଫେରାର୍ ହୋଇଯାଇଛି । ବାଲୁଗାଁ ପୋଲିସ ଦୁର୍ଘଟଣାଗ୍ରସ୍ତ ପିକଅପ୍ ଭ୍ୟାନଟିକୁ ଜବତ କରିଛି । ମୃତାହତଙ୍କ ପରିବାର ଲୋକଙ୍କୁ ଏ ସମ୍ପର୍କରେ ଖବର ଦିଆଯିବା ସହ ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।