
ବ୍ରହ୍ମପୁର:ଦିଗପହଣ୍ଡି ରେ ରହୁଥିବା ସାନଖେମୁଣ୍ଡି ବ୍ଳକଏରେଣ୍ଡ୍ରା ଗ୍ରାମର ଠିକାଦାର ସନ୍ତୋଷ କୁମାର ଜେନା ଙ୍କୁ ଆକ୍ରମଣ ଓ ଲୁଟ୍ ମାମଲା ରେ ସମ୍ପୃକ୍ତ ଥିବା ୩ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ପୋଲିସ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଅଭିଯୁକ୍ତ ଜଣକ ହେଲେ ପାଟପୁର ଥାନା କଙ୍କୋରଡା ଗ୍ରାମର ରାମଚନ୍ଦ୍ର ସେଠୀ।ଥାନା ମାମଲା ନଂ.୧୫୨/୨୦ ଦଫା – ୩୯୪ ଆଇ ପି ସି ଅନୁଯାୟୀ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି। ପାଟପୁର ଥାନା ଏରେଣ୍ଡ୍ରା ଗ୍ରାମର ଠିକାଦାର ସନ୍ତୋଷ ଗତ ଜୁଲାଇ ୧୪ ତାରିଖ ସନ୍ଧ୍ୟା ପ୍ରାୟ ୮ ଟା ରେ ତାଙ୍କ ବାଇକ ନଂ. ଓଆର ୦୭ ଡ଼ବ୍ଲ୍ୟୁ – ୭୬୩୧ ଯୋଗେ ପୈତୃକ ଗ୍ରାମ ଏରେଣ୍ଡ୍ରା କୁ ଯାଉଥିବା ବେଳେ ଚୁଡୁଙ୍ଗପୁର – ତିତିଖଣ୍ଡି ଗ୍ରାମ ରାସ୍ତା ର କ୍ରସର ନିକଟରେ ୩ ଜଣ ଯୁବକ ଏକ ନମ୍ବର ବିହୀନ ବାଇକ ଯୋଗେ ତାଙ୍କୁ ପିଛା କରି ଅଟକାଇବା ସହ ଅତର୍କିତ ଭାବେ ତାଙ୍କୁ ଆକ୍ରମଣ କରିଥିଲେ । ପରେ ଠିକାଦାରଙ୍କ ଠାରୁ ନଗଦ ୨୦ ହଜାର ଟଙ୍କା ସହ ମୋବାଇଲ ଫୋନ ଛଡାଇ ନେଇ ଆସିକା ମୁଖ୍ୟ ରାସ୍ତା ଦେଇ ଦ୍ରୁତ ଗତିରେ ଚାଲି ଯାଇଥିଲେ । ସନ୍ତୋଷ ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ।ଏତଲାକୁ ଭିତ୍ତି କରି ଆଇ ଆଇ ସି ବସନ୍ତ କୁମାର ସେଠୀ ମକଦ୍ଦମା ରୁଜୁ କରିବାସହ ଘଟଣାର ତଦନ୍ତ ଚଳାଇଥିଲେ। ପ୍ରାପ୍ତସୁଚନାକୁ ଆଧାରକରି ଥାନା ଆଇ ଆଇ ସି ସଦଳବଳ ଅଭିଯୁକ୍ତ ରାମଚନ୍ଦ୍ର ସେଠୀ ଙ୍କ କଙ୍କୋରଡା ଗ୍ରାମସ୍ଥିତ ବାସଭବନ ରେ ଚଢାଉ କରି ତାଙ୍କୁ ଉଠାଇଆଣି ଜେରା କରିବାପରେ ପୋଲିସ ସମ୍ମୁଖରେ ସେ ସମସ୍ତ ଘଟଣା ସ୍ବୀକାର କରିଥିଲେ।ତାଙ୍କ ନିକଟରୁ ୨୦ ହଜାର ଟଙ୍କା ଓ ୨ ଟି ମୋବାଇଲ ଫୋନ ଜବତ କରାଯାଇଛି। ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ୨ ଜଣଙ୍କୁ ଚିହ୍ନଟ କରାଯାଇଛି। ଜଣେ ହିଞ୍ଜିଳି ଥାନା ଅଞ୍ଚଳରେ ଏକ ଡକାୟତି ମାମଲାରେ ଗିରଫ ହୋଇ ଜେଲ ରେ ଥିବା ବେଳେ ଅନ୍ୟ ଜଣେ ଗିରଫ ଭୟରେ ଫେରାର ଥିବା ଜଣାପଡିଛି । ଅଭିଯୁକ୍ତ ଦୟଙ୍କୁ ଖୁବଶିଘ୍ର ଗିରଫ କରାଯିବ ବୋଲି ତଦନ୍ତକାରୀ ପୋଲିସ ଅଧିକାରୀ ତଥା ଆଇଆଇସି ବସନ୍ତ କୁମାର ସେଠୀ କହିଛନ୍ତି।