ନୂଆଦିଲ୍ଲୀ-ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା (ପିଏଲଆଇ) ଯୋଗୁଁ ମୋବାଇଲ ଓ ଇଲେକ୍ଟ୍ରୋନିକ୍ସ ଯନ୍ତ୍ରାଂଶ ନିର୍ମାଣକାରୀ ସଂସ୍ଥାଗୁଡିକୁ ବିରାଟ ସଫଳତା ହାସଲ ହେବ ବୋଲି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି, ଦୂରସଞ୍ଚାର ତଥା ଆଇନ ଓ ନ୍ୟାୟ ମନ୍ତ୍ରୀ ଶ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି । ଯୋଜନା ଅଧୀନ ଆପ୍ଲିକେସନ ୱିଣ୍ଡୋର ଅନ୍ତିମ ଦିବସରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପ୍ରସାଦ ଏହା ପ୍ରକାଶ କରିଛନ୍ତି । ଉଭୟ ଦେଶ ବାହାରୁ ଓ ଭିତରୁ ଅନେକ ନିର୍ମାଣକାରୀ ସଂସ୍ଥା ଏଥିପାଇଁ ଆବେଦନ କରିଛନ୍ତି । ଶିଳ୍ପ ଜଗତ ଭାରତକୁ ଏକ ବିଶ୍ଵସ୍ତରୀୟ ଉତ୍ପାଦନକାରୀ ଭାବେ ବିବେଚନା କରୁଛି ଓ ଏହା ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଗଠନର ଉଦାତ୍ତ ଘୋଷଣାକୁ ସାକାର କରୁଛି । ଶ୍ରୀ ପ୍ରସାଦ ଆହୁରି କହିଛନ୍ତି ଯେ, ଗୁଣାତ୍ମକ ମାନକୁ ବିଶ୍ଵସ୍ତରୀୟ କରି ଆମେ ଦେଶରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିପାରିବୁ । ବୃହତ ସ୍ତରରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ପାଇଁ ପିଏଲଆଇ ଗତ ଏପ୍ରିଲ ପହିଲା ଦିନ ବିଜ୍ଞପିତ ହୋଇଥିଲା । ବିକ୍ରି ବୃଦ୍ଧି ଅନୁସାରେ ପିଏଲଆଇ ଯୋଜନା ଶତକଡା 4 ରୁ 6 ଭାଗ ପର୍ଯ୍ୟନ୍ତ ପ୍ରୋତ୍ସାହନ ଭାରତରେ ଉତ୍ପାଦିତ ସାମଗ୍ରୀ କମ୍ପାନୀଗୁଡ଼ିକୁ ପ୍ରଦାନ କରିବାର ବ୍ୟବସ୍ଥା ଅଛି । ଏହି ଯୋଜନା ପାଇଁ ଆବେଦନର ସମୟ ଜୁଲାଇ 31ଥିବା ବେଳେ ଆଜି ଅଗଷ୍ଟ ପହିଲାରୁ ଏହା ଲାଗୁ ହେଉଛି । ମୋଟ 22ଟି କମ୍ପାନୀ ପିଏଲଆଇ ଯୋଜନା ଅଧୀନରେ ସେମାନଙ୍କ ଆବେଦନପତ୍ର ଦାଖଲ କରିଛନ୍ତି । ଆନ୍ତର୍ଜାତିକ ମୋବାଇଲ ଫୋନ ଉତ୍ପାଦନକାରୀ କମ୍ପାନୀ ଯେଉଁ ମୋବାଇଲ ଫୋନ (ଇନଭଏସ ମୂଲ୍ୟ ଆଇଏନଆର 15 ହଜାର)ରୁ ଅଧିକ ସେମାନେ ହେଲେ ସାମସଙ୍ଗ, ଫକ୍ସକନ ହନ ହାଇ, ରାଇଜିଂ ଷ୍ଟାର, ୱିଷ୍ଟର୍ନ ଏବଂ ପେଗାଟର୍ଣ୍ଣ । ଏଥିରୁ 3ଟି କମ୍ପାନୀ ଯଥା ଫକ୍ସକନ ହନ ହାଇ, ୱିଷ୍ଟର୍ନ ଏବଂ ପେଗାଟର୍ଣ୍ଣ ଆପଲ ଆଇ ଫୋନ ପାଇଁ ଚୁକ୍ତିବଦ୍ଧ । ଆପଲର ଶତକଡା 37 ଓ ସାମସଙ୍ଗର ଶତକଡା 22 ଏହିପରି ବିଶ୍ଵର ମୋବାଇଲ ଫୋନ ବିକ୍ରି ରାଜସ୍ୱରୁ ଶତଡକା 60 ଭାଗ ଏହି ଦୁଇ କମ୍ପାନୀ ପାଉଥିବା ବେଳେ ପିଏଲଆଇ ପରି ପ୍ରୋତ୍ସାହନମୂଳକ ଯୋଜନା ଯୋଗୁଁ ଦେଶରେ ସେମାନଙ୍କ ଉତ୍ପାଦନ ବହୁଗୁଣ ବୃଦ୍ଧି ପାଇବ ।
ଭାରତୀୟ ମୋବାଇଲ କମ୍ପାନୀଗୁଡ଼ିକ ମଧ୍ୟରୁ ଲାଭା, ଡିକ୍ସନ ଟେକ୍ନୋଲୋଜି, ସୋଯୋ ମାନ୍ୟୁଫେକ୍ଚାରିଙ୍ଗ ସର୍ଭିସ, ଭଗବତୀ (ମିଇକ୍ରୋମାକ୍ସ), ପଡଗେଟ ଇଲେକ୍ଟ୍ରୋନିକ୍ସ ଏବଂ ଅପ୍ଟିମେସ ଇଲେକ୍ଟ୍ରୋନିକ୍ସ ଏହି ଯୋଜନା ଅଧୀନରେ ଆବେଦନ କରିଛନ୍ତି । ଏହି କମ୍ପାନୀଗୁଡ଼ିକ ସେମାନଙ୍କ ନିର୍ମାଣ କାର୍ଯ୍ୟର ବହୁଳ ସଂପ୍ରସାରଣ କରି ଦେଶରେ ମୋବାଇଲ ଫୋନ ନିର୍ମାଣରେ ପ୍ରମୁଖ ଭୂମିକା ନିର୍ବାହ କରିପାରିବେ । ନିର୍ଦ୍ଦିଷ୍ଟ କେତେକ ଇଲେକ୍ଟ୍ରୋନିକ୍ସ ଉପକରଣ କ୍ଷେତ୍ରରେ 10 ଜଣ ଆବେଦନ କରିଥିବା ବେଳେ ସେମାନଙ୍କ ମଧ୍ୟରେ ଏଟି ଏଣ୍ଡ ଏସ, ଆସେଣ୍ଟ ସର୍କିଟ, ଭିଜିକନ, ୱାଲସିନ, ସହସ୍ର, ଭିଟେସ୍କୋ ଏବଂ ନିଓଲିଙ୍କ ପ୍ରମୁଖ ଅଛନ୍ତି ।
ଆଗାମୀ 5 ବର୍ଷ ମଧ୍ୟରେ ଏହି ଯୋଜନା ଯୋଗୁଁ ମୋଟ ଉତ୍ପାଦନ 11.50 ଲକ୍ଷ କୋଟି ଟଙ୍କାକୁ ଟପି ଯିବାର ଆଶା କରାଯାଉଛି । ମୋବାଇଲ ଫୋନ ଉତ୍ପାଦନ କରୁଥିବା କମ୍ପାନୀଗୁଡ଼ିକ ମଧ୍ୟରେ 15 ହଜାର ବା ତଦୁର୍ଦ୍ଧ ଇନଭଏସ ଥିବା କ୍ଷେତ୍ରରେ ଉତ୍ପାଦନ 9 ଲକ୍ଷ କୋଟି ଟଙ୍କା ହେବାର ଲକ୍ଷ୍ୟ ଥିବା ବେଳେ ଘରୋଇ କମ୍ପାନୀ ଉତ୍ପାଦନ କ୍ଷେତ୍ରରେ ଏହା 2 ଲକ୍ଷ କୋଟି ଓ ନିର୍ଦ୍ଦିଷ୍ଟ ଇଲେକ୍ଟ୍ରୋନିକ୍ସ ଯନ୍ତ୍ରାଂଶ କ୍ଷେତ୍ରରେ 45 ହଜାର କୋଟି ଟଙ୍କାରେ ପହଞ୍ଚିବାର ଆକଳନ କରାଯାଇଛି । ଏହି ଯୋଜନା ଯୋଗୁଁ ରପ୍ତାନିରେ ଉଲ୍ଲେଖନୀୟ ଅଗ୍ରଗତି ହେବାର ଆଶା କରାଯାଉଛି । ଆଗାମୀ 5 ବର୍ଷ ମଧ୍ୟରେ ମୋଟ ଉତ୍ପାଦନ 11.50 ଲକ୍ଷ କୋଟି ଥିବା ବେଳେ ସେଥିରୁ ରପ୍ତାନି ବାବଦରୁ 7 ଲକ୍ଷ କୋଟି ଟଙ୍କା ଆସିବା ଆକଳନ କରାଯାଉଛି । ଏହାଛଡା ଏହି ଯୋଜନାରେ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ 11 ହଜାର କୋଟି ଟଙ୍କାର ଅତିରିକ୍ତ ନିବେଶ କରାଯିବ । ପିଏଲଆଇ ଯୋଜନା ଯୋଗୁଁ ଆଗାମୀ 5 ବର୍ଷ ମଧ୍ୟରେ ପ୍ରାୟ 3 ଲକ୍ଷ ପ୍ରତ୍ୟକ୍ଷ କର୍ମନିଯୁକ୍ତି ସୃଷ୍ଟି ହେଉଥିବା ବେଳେ ଏହାର 3ଗୁଣରୁ ଅଧିକ ପରୋକ୍ଷ ନିଯୁକ୍ତ ସୃଷ୍ଟି ହେବ । ଘରୋଇ ମୂଲ୍ୟ ବର୍ତ୍ତମାନ 15 ରୁ 20 ପ୍ରତିଶତ ଥିବା ବେଳେ ଏହା ମୋବାଇଲ କ୍ଷେତ୍ରରେ 30 ରୁ 40 ଭାଗ ଓ ଇଲେକ୍ଟ୍ରୋନିକ୍ସ ଉପକରଣ କ୍ଷେତ୍ରରେ 45 ରୁ 50 ଭାଗ ବୃଦ୍ଧି ପାଇବ । ଆଗାମୀ 2025 ସୁଦ୍ଧା ଦେଶରେ ଇଲେକ୍ଟ୍ରୋନିକ୍ସର ଚାହିଦା ବୃଦ୍ଧି ପାଇବାକୁ ଥିବା ବେଳେ ପିଏଲଆଇ ଯୋଜନା ଯୋଗୁଁ ଇଲେକ୍ଟ୍ରୋନିକ୍ସ ଉପକରଣ ନିର୍ମାଣକାରୀମାନେ ଦେଶରେ ଏକ ପ୍ରତିଯୋଗିତାମୂଳକ ବଜାର ସୃଷ୍ଟି କରିବାରେ ସକ୍ଷମ ହେବେ ଯାହାକି ଆତ୍ମନିର୍ଭର ଭାରତ ଯୋଜନାକୁ ସାକାର କରିବ । ଇଲେକ୍ଟ୍ରୋନିକ ଉତ୍ପାଦନକାରୀ ଘରୋଇ କମ୍ପାନୀମାନେ ସ୍ଥାନୀୟ ଆବଶ୍ୟକତା ପ୍ରତି ଅଧିକ ଗୁରୁତ୍ଵ ଦେବା ସହ ଏହାକୁ ବିଶ୍ଵ ସ୍ତରରେ ପରିଚିତ କରାଇବେ ।