
ଗଞ୍ଜାମ– ଗଞ୍ଜାମ ଜିଲ୍ଲାରେ ବ୍ୟବସାୟୀ ଓ ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ ଲକ୍ ଡାଉନ୍ ଓ ସଟ୍ ଡାଉନ୍ କଟକଣାକୁ କିଛି ମାତ୍ରାରେ କୋହଳ କରାଯାଇଛି । ସକାଳ ୫ଟା ଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ । ଅପରାହ୍ନ ୪ଟା ଠାରୁ ତା ପରଦିନ ସକାଳ ୫ଟା ଯାଏଁ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଏହି ସମୟ ମଧ୍ୟରେ ଜନସାଧାରଣ ଘରେ ରହିବାକୁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପରାମର୍ଶ ଦେଇଛନ୍ତି । ତେବେ ଅତ୍ୟାବଶ୍ୟକ ସ୍ଥଳେ ତଥା ଡ଼ାକ୍ତରଖାନା ଯିବା ପାଇଁ ଅନୁମତି ମିଳିବ । ସେହିପରି ଗଞ୍ଜାମ ଜିଲ୍ଲାର ସମସ୍ତ ପ୍ରବେଶ ପଥକୁ ପୂର୍ବଭଳି ସିଲ୍ କରାଯିବା ସହ ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବ । ବିଶେଷ କାରଣ ନଥିଲେ ଜିଲ୍ଲା ବାହାରକୁ କେହି ଯାଇପାରିବେ ନାହିଁ କିମ୍ବା ଜିଲ୍ଲା ବାହାରର ଲୋକ ମଧ୍ୟ ଗଞ୍ଜାମ ଜିଲ୍ଲାକୁ ପ୍ରବେଶ କରିପାରିବେ ନାହିଁ । ଅନୁରୂପ ଭାବେ ଜିଲ୍ଲାର ଗ୍ରାମାଚଂଳର ଲୋକ ସହରାଚଂଳକୁ ପ୍ରବେଶ ଉପରେ ମଧ୍ୟ କଟକଣା ରହିବ । ବ୍ରହ୍ମପୁରରେ ମଧ୍ୟ ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲାଗୁ କରାଯିବ । ବିଶେଷ କରି ଅଗଷ୍ଟ ମାସରେ ଆମକୁ ଆହୁରି ସତର୍କ ରହିବାକୁ ପଡିବ ବୋଲି ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଅନ୍ୟପକ୍ଷରେ ଜିଲ୍ଲାରେ ଏବେ ଡୋର୍ ଟୁ ଡୋର୍ କଂଟାକ୍ଟ ଟ୍ରେସିଂ ଜାରୀ ରହିଥିବା ସେ କହିଛନ୍ତି ।
ଜିଲ୍ଲାପାଳ ପୂର୍ବରୁ ଜାରୀ କରିଥିବା ୫ ସୂତ୍ରୀ କାର୍ଯ୍ୟକ୍ରମକୁ ବ୍ୟବସାୟୀ ମାନେ କଡ଼ାକଡ଼ି ଭାବେ ପାଳନ କରିବେ । ନଚେତ୍ ସେମାନଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସମସ୍ତ ଜନସାଧାରଣ ମୁହଁରେ ମାସ୍କ ପରିଧାନ କରିବେ ଏବଂ ସାମାଜିକ ଦୂରତା ରକ୍ଷା କରିବାକୁ ବାଧ୍ୟ; ନଚେତ୍ ସେମାନଙ୍କ ବିରୋଧରେ ମଧ୍ୟ ପୋଲିସ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଚଳିତ ସପ୍ତାହର ଶନିବାର, ରବିବାରକୁ ବାଦ୍ ଦେଲେ ଆଗାମୀ ସପ୍ତାହ ମାନଙ୍କରେ ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ଶନିବାର, ରବିବାର ସଟ୍ ଡାଉନ୍ କଟକଣା ପୂର୍ବଭଳି ବଳବତର ରହିବ ।