
ବ୍ରହ୍ମପୁର(ବ୍ୟୁରୋ) : ବ୍ରହ୍ମପୁର ଟ୍ରାଫିକ୍ ଥାନାରେ କାର୍ଯ୍ୟରତ ଏଏସ୍ଆଇ କୃଷ୍ଣଚନ୍ଦ୍ର ମଣ୍ଡଳ(୫୬)ଙ୍କ ଶୁକ୍ରବାର ଶୀତଳାପଲ୍ଲୀସ୍ଥିତ କୋଭିଡ୍ ହସ୍ପିଟାଲରେ ମୃତ୍ୟୁ ଘଟିଛି । ଏହି ଦୁଃଖଦ ଖବର ପ୍ରଚାରିତ ହେବାପରେ ବ୍ରହ୍ମପୁର ପୋଲିସ ଜିଲ୍ଲାର ଅଧିକାରୀ ଓ କର୍ମଚାରୀମାନେ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଅପରାହ୍ନରେ ପରିବାରବର୍ଗଙ୍କ ଉପସ୍ଥିତିରେ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ଗୋଷାଣୀନୂଆଗାଁରେ ଥିବା କବରସ୍ଥାନରେ ଅନ୍ତିମ ସଂସ୍କାର କରାଯାଇଛି । ଗଜପତି ଜିଲ୍ଲା ରାମଗିରି ମଣ୍ଡଳସାହି ନିବାସୀ ଏଏସ୍ଆଇ କୃଷ୍ଣଚନ୍ଦ୍ର ଗତ ମାର୍ଚ୍ଚ ୨୬ତାରିଖରେ ବ୍ରହ୍ମପୁର ଟ୍ରାଫିକ୍ ଥାନାରେ ଯୋଗ ଦେଇଥିଲେ । ସେ ଲାଞ୍ଜିପଲ୍ଲୀରେ ପରିବାରବର୍ଗଙ୍କୁ ନେଇ ଭଡାରେ ରହୁଥିଲେ ।
ଗତ ୨୨ତାରିଖରେ ତାଙ୍କର ଦେହ ଅସୁସ୍ଥ ହୋଇଥିଲା । କୋଭିଡ୍ ଲକ୍ଷଣ ଦେଖା ଦେବାରୁ ତାଙ୍କର ସ୍ୱାବ୍ ପରୀକ୍ଷା କରାଯାଇଥିଲା । ରିପୋର୍ଟ ପଜିଟିଭ ଆସିବାପରେ ଗତ ୨୫ତାରିଖରେ ତାଙ୍କୁ ଶୀତଳାପଲ୍ଲୀସ୍ଥିତ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଶୁକ୍ରବାର ସକାଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସେ ମଧୁମେୟ ରୋଗରେ ମଧ୍ୟ ପୀଡିତ ଥିଲେ ବୋଲି ଜଣାପଡିଛି । କୋଭିଡ୍ ଯୋଦ୍ଧା ତଥା ଏଏସ୍ଆଇ କୃଷ୍ଣଚନ୍ଦ୍ରଙ୍କ ଅନ୍ତିମ ସଂସ୍କାର ସମୟରେ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର, ଏଏସ୍ପି ପ୍ରଭାତ ରାଉତରାୟ, ଟାଉନ୍ ଏସ୍ଡିପିଓ ବିଷ୍ଣୁପ୍ରସାଦ ପତି, ଟ୍ରାଫିକ୍ ଡିଏସ୍ପି ସାର୍ଥକ ରାୟ ପ୍ରମୁଖ ଉପସ୍ଥିତ ଥିଲେ । ପୋଲିସ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ସ୍ୱର୍ଗତ ଏଏସ୍ଆଇଙ୍କ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିବା ସହିତ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି ।