ଧର୍ମଶାଳା – ସରକାର ବିଭିନ୍ନ ଯୋଜନା କରୁଛନ୍ତି । ବାସ୍ତବରେ ତାହା କାମରେ ପରିଣତ ହେଉ ନ ଥିବା ଅଭିଯୋଗ ହୋଇଛି । ପ୍ରଶାସନ ପକ୍ଷରୁ ସରକାରୀ ସହାୟତା ନ ମିଳିବାରୁ ବାଧ୍ୟ ହୋଇ ପୁଅ ରୋସନ ଭିକ୍ଷାବୃତିକୁ ଆପଣେଇ ନେଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲା ବଡଚଣା ବ୍ଳକ ଭୁଷଣ୍ଡପୁର ପଂଚାୟତର ପଞ୍ଜାବ ନେସେନାଲ ବ୍ୟାଙ୍କ ନିକଟରେ ରହୁଥିବା ରମେଶ ଠାକୁର(୪୦)ଙ୍କ ପରିବାର କ୍ଷେତ୍ରରେ । ନିଜ ସ୍ତ୍ରୀ ସଞ୍ଜୁ, ୨ ଜଣ ୯ ବର୍ଷର ଝିଅ ଓ ଏକମାତ୍ର ପୁଅ ରୋସନ ଠାକୁର ଯେ କି ସ୍ଥାନୀୟ ବିଦ୍ୟାଳୟରେ ୭ମ ଶ୍ରେଣୀରେ ପାଠ ପଢେ । ବ୍ୟାଙ୍କ ନିକଟ ଏକ ଭଡା ଘରେ ରମେଶ ଦୀର୍ଘ ଦିନରୁ ରହି ଆସୁଅଛି । ଗୁପଚୁପ ଆଇସକ୍ରିମ ବିକ୍ରୟ କରି ସେ ତାର ପରିବାର ପ୍ରତିପୋଷଣ କରିଥାଏ । ଦେଢବର୍ଷ ତଳେ ରମେଶ ହଠାତ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ପ୍ରଥମେ ବଡଚଣା ଓ ପରେ କଟକ ବଡ ମେଡିକାଲରେ ଚିକିତ୍ସିତ ହେବାକୁ ଯାଇଥାଏ । ଅର୍ଥାଭାବରୁ ଅଧିକ ଚିକିତ୍ସା ପାଇଁ ସମ୍ବଳ ନଥିବାରୁ ତାର ସ୍ତ୍ରୀ ସଞ୍ଜୁ ବାଧ୍ୟ ହୋଇ ତାକୁ ଘରକୁ ନେଇଆସେ । ଏବେ ବାପାର ଔଷଧ ଖର୍ଚ୍ଚ ଓ ପରିବାରର ଖର୍ଚ୍ଚ ପାଇଁ ରୋସନ ଏବେ ଭିକ୍ଷାବୃତିକୁ ଆପନାଇ ନେଇଛି । ସକାଳ କିଛି ଘଂଟା ସ୍ଥାନୀୟ ଦର୍ପଣ, ମହବିନାନୟକ ଓ ଚଣ୍ଡିଖୋଲ ଛକରେ ଭିକ୍ଷାବୃତି କରି ଯେଉଁ ୧୦୦/୨୦୦ ଟଙ୍କା ଆଣିଥାଏ ସେଇଥିରେ ବାପାର ଔଷଧ ଖର୍ଚ୍ଚ ଓ ଘର ଖର୍ଚ୍ଚ ହୋଇଥାଏ । ସ୍ତ୍ରୀ ମଧ୍ୟ ପାଖ ପଡିଶା ଘରୁ ମାଗିଯାଚି ଘର ଚଳାଇଥାଏ । ସ୍ୱାମୀଙ୍କର ସ୍ୱାସ୍ଥ୍ୟ ଭଲ ହୋଇଗଲେ ପୁଅ ଆଉ ଭିକ୍ଷାବୃତି କରନ୍ତା ନାହିଁ ସ୍ତ୍ରୀ ସଞ୍ଜୁ ବୁଲି ବୁଲି ଲୋକମାନଙ୍କୁ ନିଜର ଦୁଃଖ ଦୁର୍ଦ୍ଦଶା ଜଣାଉଛି । ତେବେ ସ୍ୱାମୀଙ୍କର ଚିକିତ୍ସା ପାଇଁ ଅଧିକ ଅର୍ଥ ଦରକାର ହୋଇଥିବାରୁ ନିକଟରେ ବଡଚଣା ବ୍ଳକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ସଞ୍ଜୁ ପହଂଚି ନିଜର ଗ୍ୁହାରୀ ଜଣାଇଥିଲା । କିନ୍ତୁ ଜିଲ୍ଲାପାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ସୁଦ୍ଧା ଅର୍ଥାଭାବରୁ ଚିକିତ୍ସା ଅଧିକାରୀଙ୍କୁ ଭେଟିବାକୁ ସେ ଯାଇ ପାରୁ ନ ଥିବା ଜଣାପଡିଛି । ରମେଶଙ୍କ ନାମରେ ବଡଚଣା ବ୍ଳକରେ ଆଧାରକାର୍ଡ ଓ ଭୋଟର ପରିଚୟ ପତ୍ର ଥିଲେ ସୁଦ୍ଧା ରେସନକାର୍ଡ ଖଣ୍ଡିଏ ପାଇବା ପାଇଁ ସ୍ଥାନୀୟ ସରପଂଚଙ୍କୁ ନେହୁରା ହୋଇଥିଲେ ସୁଦ୍ଧା ରାସନକାର୍ଡ ଖଣ୍ଡିଏ ପାଇପାରିଲା ନାହିଁ । ଦୁଇ କୁନି ଝିଅ ମଧ୍ୟ ନିକଟସ୍ଥ ବିଦ୍ୟାଳୟରେ ପାଠ ପଢୁଛନ୍ତି । କିନ୍ତୁ ନିଜର ସ୍ୱାମୀ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସିଲେ ସବୁ ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି ସ୍ତ୍ରୀ ସଂଜୁ ପ୍ରକାଶକରିଛନ୍ତି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ରମେଶଙ୍କ ପରିବାରକୁ ଏକ ରାସନକାର୍ଡ ଓ ପୀଡିତାଙ୍କୁ ଅଧିକ ଚିକିତ୍ସା ପାଇଁ ଆର୍ଥିକ ସାହାର୍ଯ୍ୟ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।