
ଅମରାବତୀ– ଆନ୍ଧ୍ରପ୍ରଦେଶର ପ୍ରକାଶମ୍ ଜିଲ୍ଲାର କୁରିଚେଦୁ ରେ ସାନିଟାଇଜର ପିଇବାରୁ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ଲକ୍ ଡାଉନ୍ ଯୋଗୁଁ ରାଜ୍ୟର ସମସ୍ତ ମଦ ଦୋକାନ ବନ୍ଦ ଥିବା ବେଳେ ମୃତକମାନେ ସ୍ଥାନୀୟ ଦୋକାନ ରୁ ସାନିଟାଇଜର କିଣି ପିଇଦେଇଥିଲେ । ଏହି ଘଟଣା ପରେ ପୋଲିସ ସମସ୍ତ ସ୍ଥାନୀୟ ଦୋକାନରୁ ସାନିଟାଇଜର ଜବତ କରିଛି ।
ସୂଚନା ଅନୁଯାୟୀ ଦେଶବ୍ୟାପୀ ତାଲାବନ୍ଦ ପରେ ଆନ୍ଧ୍ରପ୍ରଦେଶ ସରକାର ମଇ ୪ ରେ ମଦ ଦୋକାନ ଖୋଲିଥିଲେ । ଏହା ପରେ ସରକାର ମଦ ଦର ବୃଦ୍ଧି କରି ଦୋକାନ ସଂଖ୍ୟା ହ୍ରାସ କରିଥିଲେ ମଧ୍ୟ ଲୋକଙ୍କ ନିଶା କମି ନଥିଲା । ୧୦ ଦିନରୁ ଅଧିକ ସମୟ ଧରି ତାଲାବନ୍ଦ ଥିବାରୁ ଆନ୍ଧ୍ରପ୍ରଦେଶର ପ୍ରକାଶମ୍ ଜିଲ୍ଲାରେ ଅନେକ ଲୋକ ସାନିଟାଇଜର ପିଇଥିଲେ । ପରେ ସେମାନେ ପେଟରେ ଯନ୍ତ୍ରଣା ହେବାରୁ ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା । ଗୁରୁବାର ମଧ୍ୟରାତ୍ରିରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଶୁକ୍ରବାର ଦିନ ଅନ୍ୟ ୧୦ ଜଣଙ୍କର ମୃତ୍ୟୁ ଘଟିଛି । ଏସପି ସିଦ୍ଧାର୍ଥ କୌଶଲ ସୂଚନା ଅନୁଯାୟୀ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ତିନିଜଣ ଭିକାରୀ ଅଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଆହୁରି ୨୦ ଜଣ ସାନିଟାଇଜର ପିଇଥିବା ସ୍ୱୀକାର କରିଛନ୍ତି । ପ୍ରଶାସନ ସ୍ଥାନୀୟ ଦୋକାନରୁ ସାନିଟାଇଜର ଜବତ କରି ପରୀକ୍ଷା ପାଇଁ ଲ୍ୟାବକୁ ନମୁନା ପଠାଇଛି ।