-
୧୦ଦିନରେ ୧୨୫୪୬ ନମୁନା ପରୀକ୍ଷା, ୪୨୧୯ପଜିଟିଭ ଚିହ୍ନଟ, ୩୬ ମୃତ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ପ୍ରାୟ ୩ମାସ ହେଲା କରୋନା ଭୁତାଣୁ ରାଜ କରୁଛି । କରୋନାର ସଂକ୍ରମଣ ଓ ମୃତ୍ୟୁହାର ଗଞ୍ଜାମବାସୀଙ୍କୁ ଭୟଭୀତ କରିଛି । ଜିଲ୍ଲାବାସୀ ଏବେ ଅଜଣା ଭୟ ଭିତରେ ଜୀବନ କାଟୁଛନ୍ତି । କିନ୍ତୁ ଏ ସବୁ ଭିତରେ ଗୁରୁବାର ଏକ ଖୁସିଖବର ଜିଲ୍ଲା ପାଇଁ ଆସିଛି । ଜିଲ୍ଲାରେ କରୋନା ଭୁତାଣୁ ସଂକ୍ରମଣ କମିବା ସାଙ୍ଗକୁ ପଜିଟିଭ ମଧ୍ୟ କମୁଥିବା ପ୍ରଶାସନ ସ୍ପଷ୍ଟ କରିଛି । ଗୁରୁବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ୧୦ଦିନ ମଧ୍ୟରେ ହୋଇଥିବା ନମୁନା ପରୀକ୍ଷା ଓ ପଜିଟିଭ ଚିହ୍ନଟଙ୍କ ପରିସଂଖ୍ୟାନକୁ ସର୍ବଜାନୀନ କରାଯାଇଛି । ଏହି ତଥ୍ୟ ବୟାନ କରୁଛି ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଉଛି । ଏହି ଟ୍ରେଣ୍ଡ ଯଦି ବଜାଇ ରହେ ତେବେ ଗଞ୍ଜାମ କରୋନା ହଟ୍ସ୍ପଟ୍ରୁ ଗ୍ରୀନ୍ ଜୋନ୍କୁ ଫେରିବାର ଆଶା କରାଯାଉଛି । ଜିଲ୍ଲ।।ରେ ବର୍ତ୍ତମାନ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୯୯୯୬ ପହଞ୍ôଚଥିବା ବେଳେ ସେଥିମଧ୍ୟରୁ ୭୧୩୦ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ୨୭୭୩ଜଣ ଚିକିତ୍ସିତ ହେଉଥିବା ବେଳେ ୯୦ଜଣ କରୋନା ସଂକ୍ରମିତରେ ଓ ୬ଜଣ ଅଣକୋଭିଡ୍ରେ ମୃତ୍ୟୁବରଣ କରିଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରୁଛି । ଏବେ ଜୁଲାଇ ମାସ ଜିଲ୍ଲା ପାଇଁ କାଳ ସାବ୍ୟସ୍ତ ହୋଇଥିବା ବେଳେ ଏହି ମାସରେ ହିଁ ଅଧିକ ସଂକ୍ରମିତ ଚିହ୍ନଟ ଓ ମୃତ୍ୟୁ ସଂଖ୍ୟା ବଢ଼ିଛି । ଏହା ଉପରେ ଜିଲ୍ଲା ପ୍ରଶାସନ କରୋନା ମୁକାବିଲା କରିବା ପାଇଁ ରୂପରେଖ ପ୍ରସ୍ତୁତକରି ଯୁଦ୍ଧକାଳୀନଭିତ୍ତିରେ ୩-ଟି(ଟ୍ରେସିଂ, ଟେଷ୍ଟିଂ, ଟ୍ରିଟ୍ମେଣ୍ଟ)କୁ ଜୋର୍ଦାରକରି ଅଧିକ ପରୀକ୍ଷା ଉପରେ ଗୁରୁତ୍ୱ ଦେଇଥିଲା । ଆର୍ଡିପିସିଟିଆର୍ ଟେଷ୍ଟ ସହିତ ଆଣ୍ଟିଜେଣ୍ଟ ଟେଷ୍ଟ ମଧ୍ୟ କରିବା ଫଳରେ କରୋନା ରୋଗୀ ଚିହ୍ନଟ ହେବାସହ ଗୋଷ୍ଠୀ ସଂକ୍ରମଣକୁ ଚେକ୍ ଦେବାରେ ସଫଳ ହୋଇଛି । ଗତ ୧୦ଦିନ ଭିତରେ ମିଳିଥିବା ତଥ୍ୟ ଅନୁସାରେ ଗତ ୨୦ତାରିଖ ଦିନ ୮୬୦ଜଣଙ୍କ ନମୁନା ସଂଗ୍ରହ କରାଯାଇଥିବା ବେଳେ ୨୩୯ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସେହିପରି ୨୧ତାରିଖରେ ୮୧୭ରୁ ୨୨୫, ୨୨ରେ ୯୬୯ରୁ ୩୭୧, ୨୩ରେ ୯୩୨ରୁ ୫୪୦, ୨୪ରେ ୧୨୨୮ରୁ ୭୩୨, ୨୫ରେ ୧୨୦୭ରୁ ୫୬୦, ୨୬ରେ ୧୨୬୫ରୁ ୪୮୪, ୨୭ରେ ୧୭୨୦ରୁ ୪୯୧, ୨୮ରେ ୧୬୮୫ରୁ ୩୩୨ ଓ ୨୯ତାରିଖରେ ୧୮୬୩ରୁ ୨୪୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତିି ବୋଲି ଜିଲ୍ଲା ପ୍ରଶାସନ ଟ୍ୱିଟ୍କରି ଗ୍ରାଫ୍ ଜାରି କରିଛି । ବିଗତ ୧୦ଦିନ ମଧ୍ୟରେ କୋଭିଡ୍ ଓ ଅଣକୋଭିଡ୍ରେ ୩୬ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଉଛି ଓ ସେମାନଙ୍କ ସ୍ୱାବ୍ ସଂଗ୍ରହକରି ପରୀକ୍ଷା କରାଯାଉଛି । ଯଦି ଏଭଳି ପ୍ରକ୍ରିୟା ଜାରି ରହେ ତା’ହେଲେ ଅଗଷ୍ଟ ମାସରେ ଗଞ୍ଜାମ ଜିଲ୍ଲାର ସ୍ଥିତି ସୁଧିରିବା ଆଶା କରାଯାଉଛି । ଜିଲ୍ଲାରେ ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ଏମ୍କେସିଜିର ଶିଶୁ ବିଭାଗରେ ୧୫୦ ଶଯ୍ୟ ବିଶିଷ୍ଟ ଆଇସିୟୁ ଓ ଅକ୍ସଜେନ ସପଟ ଥିବା ଆଉ ଏକ କୋଭିଡ୍ ହସ୍ପିଟାଲ ଓ ଅମିତ ହସ୍ପିଟାଲ ପରିସରରେ କଟକର ଅଶ୍ୱିନୀ ହସ୍ପିଟାଲ ସହାୟତାରେ ଆଉ ଏକ କୋଭିଡ୍ ହସ୍ପିଟାଲ ଖୁବଶୀଘ୍ର ଆରମ୍ଭ କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଜାରି ରଖିଛି ।