ଭୁବନେଶ୍ୱର– ଗଂଜାମରେ କରୋନାର ଅଣାୟତ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ସାହାଯ୍ୟ ଓ ହସ୍ତକ୍ଷେପ ଲୋଡିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ।
ଦୀର୍ଘ ୨୦ ବର୍ଷ ଧରି ମୁଖ୍ୟମନ୍ତ୍ରୀ ନୀରବଚ୍ଛିନ୍ନ ଭାବେ ଗଂଜାମରୁ ବିଜୟୀ ହୋଇ ଆସୁଛନ୍ତି । ଏହା ସତ୍ୱେ ବି ଗଂଜାମର ମୌଳିକ ସ୍ୱାସ୍ଥ୍ୟସେବା ଓ ଚିକିତ୍ସା କ୍ଷେତ୍ରରେ ଆନୁସଙ୍ଗିକ ଭିତିଭୂମିର ବିକାଶ ହୋଇନାହିଁ । ଫଳସ୍ୱରୂପ ବର୍ତମାନ କରୋନାର ସ୍ଥିତି ସାଂଘାତିକ ଆଡକୁ ଗତି କରିଛି । କରୋନା ପ୍ରାରମ୍ଭରୁ ଅନେକ ଅବ୍ୟବସ୍ଥା ଲାଗି ରହିଥିବାବେଳେ ମୁଖ୍ୟମନ୍ତ୍ରୀ ପ୍ରତ୍ୟକ୍ଷ ଭାବେ ଏହି ସଂପର୍କରେ କୌଣସି ପଦକ୍ଷେପ ଗ୍ରହଣ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଗଂଜାମ ଜିଲ୍ଲାକୁ ପ୍ରବାସୀ ଶ୍ରମିକମାନେ ଫେରିବା ବେଳେ ଜିଲ୍ଲା ପ୍ରଶାସନିକ ଅଧିକାରୀ ମାନଙ୍କ ମଧ୍ୟରେ ସମନ୍ୱୟ ରହିଲା ନାହିଁ । ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ରହିଲା ନାହିଁ । ଫଳସ୍ୱରୂପ ପ୍ରତ୍ୟେକ ଦିନ କରୋନା ଯୋଗୁଁ ଲୋକ ପୋକମାଛି ଭଳି ମୃତ୍ୟୁବରଣ କରୁଛନ୍ତି ।
ଶେରଗଡରେ ଅବସରପ୍ରାପ୍ତ ଶିକ୍ଷକ, ହିଂଜିଳି ଗୋଦରାପଲ୍ଲୀର ମା ଓ ପୁଅ ଏବଂ କୋଦଳାରେ ଜଣେ କରୋନା ଯୋଦ୍ଧା ପୋଲିସ ଏ.ଏସ.ଆଇଙ୍କ ମୃତ୍ୟୁପରେ ଶବ ନଉଠିବା । ଆମ୍ବୁଲାନ୍ସର କୁପରିଚାଳନା ଯୋଗୁଁ ପୋଲସରାର ପ୍ରବାସୀ ଶ୍ରମିକ, ଆସ୍କାରେ କରୋନା ଯୋଦ୍ଧା ଶିକ୍ଷକ ସୁଦ୍ଧାର୍ଥ ପାଢୀ, ବ୍ରହ୍ମପୁର ସହରର ଶ୍ରୀରାମ ନଗର ଓ ପ୍ରହଲ୍ଲାଦ ନଗରର ଘଟଣା ଲୋକଙ୍କ ଜୀବନ ଗଲା । ମୃତ୍ୟୁର ୪-୫ ଦିନଯାଏଁ ପରିବାର ଲୋକଙ୍କୁ ସୂଚନର ଦିଆଗଲାନାହିଁ ।
ଜିଲ୍ଲା ପ୍ରଶାସନ କୌଣସି ଗୋଟିଏ କ୍ଷେତ୍ରରେ ମଧ୍ୟ ନିୟନ୍ତ୍ରଣ ପାଇଁ ଠୋସ ପଦକ୍ଷେପ ନେଉନାହାଁନ୍ତି, । ବିଗତ ୪ ମାସରେ ବିଜେପି ରାଜ୍ୟସରକାରଙ୍କୁ କରୋନାକୁ ସାମ୍ନା କରିବା ପାଇଁ ସଂପୂର୍ଣ୍ଣ ସହଯୋଗ କରିଆସିଛି । ଅନୁରୂପ ଭାବରେ ଗଂଜାମ ଜିଲ୍ଲାରେ ଭାରତୀୟ ଜନତା ପାର୍ଟିର ସମସ୍ତ ସ୍ତରର ନେତୃବର୍ଗ ଜିଲ୍ଲା ପ୍ରଶାସନକୁ ସହଯୋଗର ହାତ ନିଜ ଆଡୁ ବଢାଇ ଆସିଛନ୍ତି କିନ୍ତୁ ଅବସ୍ଥାରେ ସୁଧାର ଆସୁନାହିଁ ।
କେନ୍ଦ୍ରସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ପରେ ଦିଲ୍ଲୀ ଓ ମହାରାଷ୍ଟ୍ର ଭଳି ମାତ୍ରାଧିକ ସଂକ୍ରମିତ ରାଜ୍ୟ ଆଜି ନିୟନ୍ତ୍ରଣ ହେବା ରାସ୍ତାରେ ଅଛନ୍ତି । ଏହା ଉକ୍ତ ରାଜ୍ୟଗୁଡିକର ମିଳିତ ପ୍ରୟାଶରେ ସମ୍ଭବ ହୋଇପାରିଲା । ଗଂଜାମ ଜିଲ୍ଲା ଓଡିଶା ପ୍ରଦେଶର ଶ୍ରମ-ଅର୍ଥନୀତିର ଏକ ବଡ ପେଣ୍ଠସ୍ଥଳୀ ଏବଂ ଓଡିଶା ଅର୍ଥନୀତିର ମେରୁଦଣ୍ଡ । କିନ୍ତୁ କରୋନାର ନିୟନ୍ତ୍ରଣ ଓ ପରିଚାଳନା ତ୍ରୁଟି ଯୋଗୁଁ ଏହି ମାନବ ସମ୍ବଳ ଶକ୍ତିର ମୃତ୍ୟୁ ଘଟୁଛି । ଗଂଜାମର ଗଭୀର ଅଣାୟତ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ସାହାଯ୍ୟ ଓ ହସ୍ତକ୍ଷେପ ଲୋଡିବା ପାଇଁ ଶ୍ରୀ ବକ୍ସିପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।