ଭୁବନେଶ୍ୱର -ଖୋର୍ଦ୍ଧା ଜିଳ୍ଲାବାସୀଙ୍କ ତରଫରୁ ୨ୟ ପର୍ଯ୍ୟାୟରେ କୋଭିଡ଼୍-୧୯ ଲଢ଼େଇରେ ସହଯୋଗ ରାଶି ଭାବେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ କୋଟି ୩୧ ଲକ୍ଷ ୮୨ ହଜାର ୪୪୫ ଟଙ୍କା ପ୍ରଦାନ କରାଯାଇଛି । ଖୋର୍ଦ୍ଧାର ଜିଲ୍ଲାପାଳ ସିତାଂଶୁ ରାଉତ, ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ କୁମାର ସ୍ୱାଇଁ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ବନ୍ଦନା ମହାପାତ୍ର ଆଜି ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ ତ୍ରିପାଠୀଙ୍କୁ ଏହି ରାଶିର ଡ୍ରାଫ୍ଟ୍ ପ୍ରଦାନ କରିଥିଲେ ।
ଡ୍ରାଫ୍ଟ୍ ଗ୍ରହଣ କରି ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଖୋର୍ଦ୍ଧା ଜିଲ୍ଲାର ଶିକ୍ଷକ, ଅଧିକାରୀ, କର୍ମଚାରୀ ଓ ଜିଲ୍ଲାବାସୀଙ୍କୁ ଏତାଦୃଶ ଅବଦାନ ପାଇଁ ସାଧୁବାଦ ଜଣାଇବା ସହ ନିଜ ନିଜ ସ୍ତରରେ ‘ସାମାଜିକ ଦୂରତା’ ଓ ସ୍ୱଚ୍ଛତା ନିୟମ ଅନୁପାଳନ ସଚେତନତା ଜାରି ରଖିବାକୁ ଅନୁରୋଧ କରିଥିଲେ ।
ଜିଲ୍ଲାପାଳ ଶ୍ରୀ ରାଉତ କହିଥିଲେ ଯେ ଖୋର୍ଦ୍ଧା ଶିକ୍ଷାଜିଲ୍ଲାର ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷକ, ଶିକ୍ଷା ଅଧିକାରୀ ଏବଂ କର୍ମଚାରୀମାନେ ନିଜର ୧ ଦିନର ଦରମାରୁ ପ୍ରାୟ ୧.୭ କୋଟି ଟଙ୍କା ଦାନ କରିଛନ୍ତି । ଅବଶିଷ୍ଟ ରାଶି ଜିଲ୍ଲାର ସ୍ୱେଚ୍ଚାସେବୀ ଅନୁଷ୍ଠାନ, ସ୍ୱୟଂ ସହାୟକଗୋଷ୍ଠୀ ବ୍ୟବସାୟିକ ସଂସ୍ଥା ଏବଂ ବ୍ୟକ୍ତି ବିଶେଷମାନେ ଦାନ କରିଛନ୍ତି । ସୂଚନା ଯୋଗ୍ୟ, ଚଳିତ ବର୍ଷ ମେ ମାସ ୮ ତାରିଖ ଦିନ ଖୋର୍ଦ୍ଧା ଜିଲ୍ଲାବାସୀ ୧ମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ କୋଟି ଟଙ୍କା ପ୍ରଦାନ କରିଥିଲେ ।