ଭୁବନେଶ୍ୱର – ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୁଧବାର ଅନୁଷ୍ଠିତ ଏକ ବୈଠକରେ ଯୋଗଦେଇ ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଏବଂ ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି ଜିଲ୍ଲାରେ କରୋନା ସ୍ଥିତି , ପ୍ଲାଜମା ଥେରାପି ପାଇଁ ପ୍ଲାଜମା ଦାନର ଆବଶ୍ୟକତା ଓ କୋଭିଡ୍ କେୟାର ସେଣ୍ଟର ସମ୍ପର୍କରେ ସମୀକ୍ଷା କରିଛନ୍ତି ।
ଜିଲ୍ଲାରେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିମାନଙ୍କ ସହ ଯୋଗାଯୋଗ କରି ସେମାନଙ୍କର ପ୍ଲାଜମା ଦାନ କରିବା ପାଇଁ ଉତ୍ସାହିତ କରିବାକୁ ମନ୍ତ୍ରୀ ଶ୍ରୀ ଦାସ କହିଥିଲେ । ପ୍ଲାଜମା ଦାତାଙ୍କ ପାଇଁ ଏସ୍.ସି.ବି ମେଡିକାଲକୁ ନେବା, ଆଣିବା, ରହିବା ଏବଂ ଖାଇବା ପିଇବାର ସୁବ୍ୟବସ୍ଥା ଜିଲ୍ଲା ପ୍ରଶାସନ ତରଫରୁ କରିବା ପାଇଁ ମନ୍ତ୍ରୀ ଶ୍ରୀ ଦାସ ଆବଶ୍ୟକୀୟ ପରାମର୍ଶ ଓ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଯୋଗଦେଇ ଜଗତସିଂହପୁର ବିଧାୟକ ଶ୍ରୀ ମୁଦୁଲି ପ୍ରଥମେ ୪ରୁ ୫ ଜଣ କୋଭିଡ୍ରୁ ଆରୋଗ୍ୟ ବ୍ୟକ୍ତିଙ୍କୁ ଏସ୍.ସି.ବି ମେଡିକାଲକୁ ପଠାଯାଇ ସେମାନଙ୍କ ଦ୍ୱାରା ପ୍ଲାଜମା ଦାନ ପରେ ସେମାନଙ୍କଠାରୁ ମତାମତ ସଂଗ୍ରହ କରି ଅଧିକରୁ ଅଧିକ ବ୍ୟକ୍ତିଙ୍କୁ ଏହି ପୁଣ୍ୟ କାର୍ଯ୍ୟରେ ସାମିଲ କରିବାକୁ ମତ ରଖିଥିଲେ । ସରପଂଚ. ଅଂଙ୍ଗନବାଡି କର୍ମୀ, ଆଶା କର୍ମୀମାନଙ୍କୁ କୋଭିଡ୍ରୁ ସୁସ୍ଥ ବ୍ୟକ୍ତିମାନଙ୍କ ସହ ଯୋଗାଯୋଗ କରି ପ୍ଲାଜମା ଦାନ ପାଇଁ ଉତ୍ସାହିତ କରିବା ପାଇଁ ପରାମର୍ଶ ଦିଆଯାଇଥିଲା ।
ବୈଠକରେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର କହିଲେ ଯେ, କୋଭିଡ୍ରୁ ଆରୋଗ୍ୟ ବ୍ୟକ୍ତିଙ୍କୁ ପ୍ଲାଜମା ଦାନ ପାଇଁ ଯୋଗାଯୋଗ କରାଯାଉଛି । ସେମାନେ ପ୍ଲାଜମା ଦାନ ପାଇଁ ଯିବା ଆସିବା ବାବଦରେ ଆନୁଷଙ୍ଗିକ ଖର୍ଚ୍ଚ ଜିଲ୍ଲା ରେଡ୍କ୍ରସ୍ ପାଣ୍ଠିରୁ ବହନ କରାଯିବ । ଜିଲ୍ଲାରେ ଆଜିଠାରୁ ଟ୍ରୁନାଣ୍ଟ ମେସିନ୍ ମାଧ୍ୟମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ କୋଭିଡ୍-୧୯ ସ୍ୱାବ୍ ପରୀକ୍ଷଣ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଜିଲ୍ଲାରେ ଏ ପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ । କୋଭିଡ୍ ପଜିଟିଭ୍ ବାହାରିଥିବା ଜିଲ୍ଲାର ମଙ୍ଗରାଜପୁର,ବଡଲହଙ୍ଗୀ, ପଡାଶୋଳ, ପୁରୁଣାବସନ୍ତ ଏବଂ ଶଙ୍ଖଗ୍ରାମରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ଥିବାରୁ ମାତ୍ରାଧିକ ପରୀକ୍ଷା କରାଯାଇଥିଲା । ପରୀକ୍ଷା ଫଳାଫଳକୁ ବିଶ୍ଳେଷଣ କରାଯାଇ ସେସବୁ ଗ୍ରାମରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ନଥିବା ଜଣାଯାଇଛି । ଜିଲ୍ଲାରେ ପାରାଦ୍ୱୀପ ଟ୍ରେଡ୍ ସେଣ୍ଟରରେ ୨୦୦ ଶଯ୍ୟା , ଜଗତସିଂହପୁର ଶରଳାଦେବୀ କଲ୍ୟାଣ ମଣ୍ଡପଠାରେ ୩୦ ଶଯ୍ୟା ,ପୁରୋହିତପୁରଠାରେ ୭୦ ଶଯ୍ୟା, ଆଶ୍ରା ଠାରେ ୮୦ ଶଯ୍ୟା , ଜିଲ୍ଲା ନିୟୋଜନ କାର୍ଯ୍ୟାଳୟଠାରେ ୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର ପ୍ରତିଷ୍ଠା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିବା ବୈଠକରୁ ଜଣାଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଚିକିତ୍ସାଧିକାରୀ ଡା. ବିଜୟା ପଣ୍ଡା, ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ (ପି.ଏଚ୍) ଡା. ବସନ୍ତ ବାରିକ , ଅନ୍ୟ ଡାକ୍ତର ଓ ପଦାଧିକାରୀମାନେ ଉପସ୍ଥିତ ଥିଲେ ।