ଭୁବନେଶ୍ୱର– କରୋନାରେ ପ୍ରାଣ ହରାଇଥିବା ରାଜ୍ୟର ୨ ସାମ୍ବାଦିକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବାକୁ ମଂଜୁର କରିଛନ୍ତି । ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି ।
କରୋନା ଯୋଦ୍ଧା ଭାବେ ମୃତ୍ୟୁବରଣ କରିଥିବା ଦୁଇ ସାମ୍ବାଦିକ ହେଲେ ଗଞ୍ଜାମ ଜିଲ୍ଲାର ‘ସମାଜ’ ପ୍ରତିନିଧି ପ୍ରିୟଦର୍ଶୀ ପଟ୍ଟନାୟକ ଏବଂ ଗଜପତି ଜିଲ୍ଲାର ‘ନ୍ୟୁଜ୍ ଟୁଡେ ପ୍ରାଇଭେଟ୍ ଲିମିଟେଡ୍’ର ପ୍ରତିନିଧି କେ.ସିଏଚ୍. ରତ୍ନମ । ଏହି ଦୁଇ ଗଣମାଧ୍ୟମ ପ୍ରତିନିଧି ମହାମାରୀକୁ ଭ୍ରୁକ୍ଷେପ ନକରି କାର୍ଯ୍ୟ କରୁଥିବାବେଳେ କରୋନା ଆକ୍ରାନ୍ତ ହୋଇଥିଲେ । ପରେ ତାଙ୍କୁ ଚିକିତ୍ସା ଲାଗି ଭୁବନେଶ୍ୱରର କୋଭିଡ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ଟୁଇଟ୍ କରି ଉଭୟଙ୍କ ପରିବାରକୁ ସହାୟତା ପ୍ରଦାନ କରିଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।
ସୂଚନାଯୋଗ୍ୟ, ଓଡ଼ିଶା ସରକାର ସାମ୍ବାଦିକଙ୍କର କରୋନାରେ ମୃତ୍ୟୁ ହେଲେ ୧୫ ଲକ୍ଷ ଟଙ୍କାର ସହାୟତା ତାଙ୍କ ପରିବାରକୁ ସହାୟତା ଦିଆଯିବ ବୋଲି ଘୋଷଣା କରିଥିଲେ ।