କନ୍ଧମାଳ– କନ୍ଧମାଳ ଜିଲ୍ଲାରେ ଆଜି ଆଉ ୧୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୯ ଜଣ ପୁରୁଷ ଓ ୫ ଜଣ ମହିଳା ରହିଛନ୍ତି । ଏହି ଆକ୍ରାନ୍ତ ମାନଙ୍କ ମଧ୍ୟରୁ ଫୁଲବାଣୀ ଟାଉନର ସାଲୁଙ୍କୀ ସାହିରୁ ଜଣେ, ଜି. ଉଦୟଗିରି ବ୍ଲକରୁ ୩ ଜଣ, ଟିକାବାଲି ବ୍ଲକ୍ ରୁ ୩ ଜଣ, ତୁମୁଡ଼ିବନ୍ଧ ବ୍ଲକରୁ ଜଣେ, ରାଇକିଆରୁ ଜଣେ, ବାଲିଗୁଡ଼ା ଏନଏସିରୁ ୪ ଜଣ ଓ ଚକାପାଦ ବ୍ଲକରୁ ଜଣେ ପଜିଟିଭ୍ ରହିଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୭୭ କୁ ବୃଦ୍ଧି ପାଇଛି । ଗତକାଲି ସୁସ୍ଥ ହୋଇଥିବା ୨୯ ଜଣଙ୍କୁ ମିଶାଇ ଅଦ୍ୟାବଧି ୨୯୦ ଆକ୍ରାନ୍ତ ସୁସ୍ଥ ହୋଇ କୋଭିଡ଼୍ ହସ୍ପିଟାଲରୁ ଘରକୁ ଫେରିଛନ୍ତି । ଜିଲ୍ଲାରେ କରୋନାଜନିତ ସକ୍ରିୟ ମାମଲା ୧୮୫ ରହିଛି । ସେହିପରି ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ରହିଥିବା ନେଇ କନ୍ଧମାଳ ଜିଲ୍ଲାପାଳ ଡଃ. ବୃନ୍ଦା ଡି ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ।
ତେବେ କୌଣସି ପ୍ରକାରେ ଏଥିରେ ଭୟଭିତ ନହେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ନିରାପଦରେ ଘରେ ରହିବା ଏବଂ କୌଣସି ଜରୁରୀ କାମରେ ବାହାରକୁ ବାହାରିବା ବେଳେ ମୁହଁରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ସେହିପରି ନିୟମିତ ବ୍ୟବଧାନରେ ହାତ ଧୋଇବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।