କନ୍ଧମାଳ– ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ୯୨.୬ ପ୍ରତିଶତ ନମ୍ବର ରଖି କନ୍ଧମାଳ ଜିଲ୍ଲାରେ ଟପ୍ପର ହୋଇଥିବା ଛାତ୍ରୀ ମିନାକ୍ଷୀ ମଲ୍ଲିକଙ୍କ ଉଚ୍ଚଶିକ୍ଷା ପାଇଁ ସମସ୍ତ ଖର୍ଚ୍ଚ ବହନ କରିବାକୁ ପ୍ରସ୍ତାବ ଦେଇଛନ୍ତି ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବନବାସୀ ସେବା ସମିତି । ଏହି ପ୍ରସ୍ତାବକୁ ଜିଲ୍ଲାରେ ଅନେକ ବୁଦ୍ଧିଜିବୀ ଓ ବରିଷ୍ଠ ନାଗରିକ ମହଲରେ ପ୍ରଶଂସା କରାଯାଇଛି । କନ୍ଧମାଳ ଜିଲ୍ଲାର ପଛୁଆ ଅଂଚଳ ଭାବେ ପରିଚିତ ମହାସିଙ୍ଗ ପଚାଂୟତର ଗୋଇବାନ୍ଦା ଗ୍ରାମର ରାଜୀବଲୋଚନ ମଲ୍ଲିକ ଓ ମାଆ ନିଳନ୍ତୀ ମଲ୍ଲିକଙ୍କ ଝିଅ ମିନାକ୍ଷୀ ଜଣେ ଚାଷୀ ପରିବାରରୁ ଆସିଛନ୍ତି । ସେ ଗୋଇବାନ୍ଦା ପ୍ରାଥମିକ ସ୍କୁଲରେ ପଚଂମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ଶେଷ କରିବା ପରେ ତୁମୁଡ଼ିବନ୍ଧ ଜଲେଶପଟା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ନାମ ଲେଖାଇଥିଲେ । ଆର୍ଥିକ ଅନାଟନ ସତ୍ୱେ ଝିଅର ପାଠ ପଢ଼ା ପ୍ରତି କେବେହେଲେ ଅବହେଳା କରିନାହାଁନ୍ତି ପରିବାର ଲୋକେ । ବାପା ରାଜୀବ ଜଣେ କ୍ଷୁଦ୍ର ଚାଷୀ ଭାବେ ଯାହାକିଛି ରୋଜଗାର କରନ୍ତି ସେଥିରେ ପରିବାରର ୬ ପ୍ରାଣୀ କୁଟୁମ୍ବ ଚଳିଥାନ୍ତି । ମିନାକ୍ଷୀ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ୫୫୬ ନମ୍ବର ରଖି କନ୍ଧମାଳ ଜିଲ୍ଲାରେ ଟପ୍ପର ହୋଇଛନ୍ତି । ଯାହାକୁ ନେଇ ପରିବାର ଲୋକେ ଓ ଅଂଚଳବାସୀ ବେଶ୍ ଖୁସି ଜାହିର୍ କରିଛନ୍ତି । ମିନାକ୍ଷୀଙ୍କ ଏଭଳି ସଫଳତା ପରେ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ଏବେ ବନବାସୀ ସେବା ସମିତି ସହଯୋଗର ହାତ ବଢ଼ାଇଥିବାରୁ ଆଗକୁ ତାଙ୍କର ଡ଼ାକ୍ତର ହେବାର ସ୍ୱପ୍ନ ସାକାର ହେବ ବୋଲି ଆଶା ରଖିଛନ୍ତି ମିନାକ୍ଷୀ ।