ଜୟପୁର– କୋରାପୁଟ ଜିଲାରେ କ୍ଷୁଦ୍ର ଜଳସେଚନ ବିଭାଗରେ ଥିବା ୧୩୬୬ ଟି ଉଠା ଜଳସେଚନ ପଏଂଟ ମଧ୍ୟରୁ ୨୧୭ଟି ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି । ଏହି ଉଠା ଜଳସେଚନ ପଏଂଟ ମଧ୍ୟରୁ ପାଖା ପାଖି ୭ ହଜାର ହେକ୍ଟର ଜମିରେ ଜଳସେଚନ ହୋଇପାରିନଥିବା ଜଣାଯାଇଛି । ଫଳରେ ଜିଲାରେ ଥିବା ଅଧିକାଂଶ ଜମି ଚାଷ ନହୋଇ ସୁଖିଲା ପଡିରହିଛି । ଜିଲାରେ ଚାଷ ଜମି ୮ ଲକ୍ଷ ୮୧ ହଜାର ହେକ୍ଟର ଭୌଗଳିକ ସ୍ଥିତ ରହିଥିବା ବେଳେ ୩ ଲକ୍ଷ ୧୧୫୦୦ ହେକ୍ଟର ଚାଷ ଜମି ରହିଛି । ଏହି ଜମି ମଧ୍ୟରୁ ୨ ଲକ୍ଷ ୯୬ ହଜାର ହେକ୍ଟର ଜମିରେ ଚାଷ କରାଯାଉଛି । ତନ୍ମଧ୍ୟରୁ ଉଚ୍ଚା ଜମି ୧୮୩ ୯୯୦ ହେକ୍ଟର, ମଝିଆ ଜମି ୭୮.୫୩୦ ହେକ୍ଟର ଓ ଖାଲ ଜମି ୩୩.୪୮୦ ହେକ୍ଟର ଚାଷ ଜମି ରହିଛି । ଏହି ଜମି ମଧ୍ୟରୁ ୯୩୩୬୮ ହେକ୍ଟର ଜମିରେ ଜଳସେଚିତ ଜମି ରହିଛି । କିନ୍ତୁ, ଅନ୍ୟ ଜମି ବର୍ଷା, ଝରଣା, ଉଠା ଜଳସେଚନ, ନଳକୁପ ଉପରେ ନିର୍ଭର କରନ୍ତି । ଜିଲାରେ ଜଳସେଚନର ବ୍ୟବସ୍ଥା ପାଇଁ ଉଠା ଜଳସେଚନ ବିଭାଗ ରହିଛି । ଜିଲାର କୋରାପୁଟରେ ୪୨ଟି ଉଠା ଜଳ ସେଚନ ପଏଂଏ ରହିଥିବା ବେଳେ ସେମିଳିଗୁଡାରେ ୧୫୪, ନନ୍ଦପୁରରେ ୨୦, ପଟାଙ୍ଗିରେ ୩୨, ଲକ୍ଷ୍ମୀପୁରରେ ୧୦୧, ଦଶମନ୍ତପୁର ବ୍ଲକରେ ୯୬, ବନ୍ଧୁଗାଁ ବ୍ଲକରେ ୧୭୫, ନାରାୟଣପାଟଣା ବ୍ଲକରେ ୬୭, ଜୟପୁର ବ୍ଲକରେ ୯୯, ଲମତାପୁଟ ବ୍ଲକରେ ୩୪, ବୈପାରିଗୁଡା ବ୍ଲକରେ ୬୮, କୁନ୍ଦୁରା ବ୍ଲକରେ ୧୮୯, ବୋରିଗୁମ୍ମା ବ୍ଲକରେ ୧୭୭ ଓ କୋଟପାଡ ବ୍ଲକରେ ୧୧୨ଟି ପଏଂଟ ରହିଛି । ସେଥି ମଧ୍ୟରୁ କୋରାପୁଟ ବ୍ଲକରେ ୩୬ଟି ସଚଳ ଥିବା ବେଳେ ୬ଟି ଅଚଳ ରହିଛି । ସେମିଳିଗୁଡା ବ୍ଲକରେ ୧୧୮ଟି ସଚଳ ଥିବା ବେଳେ ୩୬ଟି ଅଚଳ ରହିଛି । ନନ୍ଦପୁର ବ୍ଲକରେ ୧୬ଟି ସଚଳ ଥିବା ବେଳେ ୪ଟି ପଏଂଟ ଅଚଳ ରହିଛି । ପଟାଙ୍ଗି ବ୍ଲକରେ ୧୮ଟି ପଏଂଟ ସଚଳ ଥିବା ବେଳେ ୧୪ଟି ଅଚଳ ରହିଛି । ଲକ୍ଷ୍ମୀପୁର ବ୍ଲକରେ ୭୪ଟି ସଚଳ ରହିଥିବା ବେଳେ ୨୭ଟି ଅଚଳ ରହିଛି । ଦଶମନ୍ତପୁର ବ୍ଲକରେ ୭୫ଟି ସଚଳ ଥିବା ବେଳେ ୨୧ଟି ଅଚଳ ରହିଛି । ବନ୍ଧୁଗାଁ ବ୍ଲକରେ ୧୩୮ଟି ସଚଳ ଥିବା ବେଳେ ୩୭ ଅଚଳ ରହିଛି । ନାରାୟଣପାଟଣା ବ୍ଲକରେ ୫୫ଟି ସଚଳ ଥିବା ବେଳେ ୧୨ଟି ଅଚଳ ରହିଛି । ଜୟପୁର ବ୍ଲକରେ ୭୪ଟି ସଚଳ ଥିବା ବେଳେ ୨୫ଟି ଅଚଳ ରହିଛି । ଲମତାପୁଟ ବ୍ଲକରେ ୨୯ଟି ସଚଳ ଥିବା ବେଳେ ୫ଟି ଅଚଳ ରହିଛି । ବୈପାରିଗୁଡା ବ୍ଲକରେ ୬୬ଟି ସଚଳ ଥିବା ବେଳେ ୨ଟି ଅଚଳ ରହିଛି । କୁନ୍ଦୁରା ବ୍ଲକରେ ୧୫୬ଟି ସଚଳ ଥିବା ବେଳେ ୩ଟି ଅଚଳ ରହିଛି । ସେହିପରି ବୋରିଗୁମ୍ମା ବ୍ଲକରେ ୧୫୭ଟି ସଚଳ ଥିବା ବେଳେ ୨୦ଟି ଅଚଳ ଏବଂ କୋଟପାଡ ବ୍ଲକରେ ୧୦୭ଟି ପଏଂଟ ସଚଳ ଥିବା ବେଳେ ୫ଟି ଅଚଳ ରହିଛି । ଏପରି ଭାବେ ଜିଲାରେ ମୋଟ୍ ୧୩୬୬ ପଏଂଟରୁ ୨୧୭ଟି ପଏଂଟ ଅଚଳ ରହିଥିବା ବିଭାଗ କହୁଥିବା ବେଳେ ଏହା ଠାରୁ ଅଧିକ ପଏଂଟ ଦୀର୍ଘ ବର୍ଷ ହେଲାଣି ଅଚଳ ହୋଇ ପଡି ରହିଛି । ଏହା ସହ ଜିଲାରେ ଥିବା ୧୫୯୪ଟି ନଳକୁପ ମଧ୍ୟରୁ ୧୦୧ଟି ଅଚଳ ହୋଇଥିବା ବିଭାଗୀୟ ସୂତ୍ରରୁ ଜଣାଯାଇଛି । ଉଠା ଜଳସେଚନ ବିଭାଗ ତରଫରୁ ଖରିଫ ଓ ରବି ଋତୁରେ ଜମିକୁ ଜଳସେଚନ ବ୍ୟବସ୍ଥା ଥିବା ବେଳେ ୨୧୭ଟି ପଏଂଟ ଖରାପ ହୋଇ ପଡିଥିବାରୁ ପାଖା ପାଖି ୭ ହଜାର ହେକ୍ଟର ଜମିରେ ଜଳସେଚନ ର ବ୍ୟବସ୍ଥା ହୋଇପାରୁ ନାହିଁ ।
ଜିଲାର ଜୟପୁର ଉପଖଣ୍ଡରେ କୋଲାବ ବହୁମୁଖୀ ଯୋଜନା ମାଧ୍ୟମରେ ଜୟପୁର, ବୋରିଗୁମ୍ମା ଓ କୋଟପାଡ ବ୍ଲକରେ ଥିବା ଅଧିକାଂଶ ଜମି ଜଳସେଚିତ ହୋଇଥିବା ବେଳେ ବୈପାରିଗୁଡା, କୁନ୍ଦୁରା ଓ କୋରାପୁଟ ଉପଖଣ୍ଡରେ ଜଳସେଚନର ବ୍ୟବସ୍ଥା ନଥିବାରୁ ଅନ୍ୟ ଜଳ ଉତ୍ସ, ଝରଣା, ଉଠା ଜଳସେଚନ, ନଳକୁପ ଆଦି ଉପରେ ନିର୍ଭର କରନ୍ତି । ଚଳିତ ଖରିଫ ଋତୁରେ ୨ ଲକ୍ଷ ୯୬ ହଜାର ହେକ୍ଟର ଜମିରେ ବିଭିନ୍ନ ଫସଲ ଚାଷ ଲାଗି କୃଷି ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତି କରାଯାଉଛି । ଏଥି ମଧ୍ୟରୁ ଧାନ ଚାଷ ୯୯ ହଜାର ହେକ୍ଟର ଜମିରେ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ମକା, ଯଅ, ବାଜରା, ମାଣ୍ଡିଆ, ଛୋଟ ଶସ୍ୟ ଜମିରେ ଚାଷ କରାଯିବାକୁ ପ୍ରସ୍ତୁତି ବି ହୋଇଛି । ଡାଲି ଜାତୀୟ ଫସଲ, ତୈଳବୀଜ ଜାତୀୟ ଫସଲ, ଝୋଟ ତନ୍ତୁ ଜାତିୟ, ପନିପରିବା, ମସଲା ଜାତିୟ, ଆଖୁ , ମରିଚ, ହଳଦି ଓ ଅଦା, ଲେମନ ଗ୍ରାସ ଜମିରେ ଚାଷ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଜିଲାରେ ୩୦ ପ୍ରକାରର ଖାଦ୍ୟ ଶସ୍ୟ ୨ ଲକ୍ଷ ୯୬ ହଜାର ହେକ୍ଟର ଚାଷ କରାଯିବ । ଖରିଫ ଋତୁରେ ଚାଷୀ ମାନଙ୍କୁ ୨୦୮ଟି ଡିଲର ଓ ୨୦ଟି ଲ୍ୟାମ୍ପ ଜରିଆରେ ଧାନ ବିହନ ୧୬୬୭୦ କ୍ୱିଂଟାଲ ବିହନ ଯୋଗାଇ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ବିହନ ମଧ୍ୟରେ ମାଣ୍ଡିଆ, ମୁଗ, ହରଡ଼, ନାଇଜେର ରାଶି, ଚିନାବାଦାମ ଆଦି ରହିଥିବା ଜଣାଯାଇଛି । ସେହିପରି ଫସଲର ଅଧିକ ଅମଳ ନିମନ୍ତେ ୩୦ ହଜାର ୨ ଶହ ମେଟ୍ରିକ ଟନ୍ ନାଇଟ୍ରଜେନ, ଫସଫରସ୍, ପଟାସ ଆଦି ସାର ଯୋଗାଇ ଦିଆଯିବା ପାଇଁ ଖସଡ଼ା ପ୍ରସ୍ତୁତ କରାଯାଇଛି । ଏହି ସବୁ ସାର ୨୧୮ଟି ଡିଲର ଦ୍ୱାରା ଚାଷିଙ୍କୁ ଉପଲବ୍ଧ କରାଯିବା ନେଇ ଖସଡ଼ା ପ୍ରସ୍ତୁତି କରାଯାଇଛି । ୨୦୨୦ ଖରିଫ ଋତୁରେ ୯୪ ହଜାର ୧୫୩ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ରହିଥିବା ବେଳେ ଅନ୍ୟ ଜମି ବର୍ଷା ଜଳ, ଝରଣା, ନଳକୁପ, ଗଭିର କୁପ , ଉଠା ଜଳସେଚନ ଆଦି ଉପରେ ନିର୍ଭର କରେ । ୪୨ ହଜାର ୪୫୬ ହେକ୍ଟର ଜମି ବୃହତ ଜଳସେଚନ ଅଧିନରେ ଆସୁଥିବା ବେଳେ ସାଢେ ୫ ହଜାର ହେକ୍ଟର ଜମିରେ କ୍ଷୁଦ୍ର ଜଳ ସେଚନ ସୁବିଧା ରହିଛି । ୨୦ ହଜାର ହେକ୍ଟର ଜମିକୁ ଉଠା ଜଳ ସେଚନ ଜରିଆରେ ପାଣି ଯୋଗାଇ ଦିଆଯାଉଛି ।
ଏ ସମ୍ପର୍କରେ ନିବାହି ଯନ୍ତ୍ରୀ ରମେଶ ଚନ୍ଦ୍ର ପାତ୍ରଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଅଚଳ ହୋଇଥିବା ପଏଂଟକୁ ସଚଳ କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ମରାମତି ପାଇଁ ସରକାରଙ୍କ ନିର୍ଦ୍ଦେଶ ଆସିଲେ ତୁରନ୍ତ ସଚଳ କରାଯିବ ।