
ବ୍ରହ୍ମପୁର : ବଡବଜାର ଥାନା ଅନ୍ତର୍ଗତ ଗଣପତି ନଗରର ବସନ୍ତ କୁମାର ସାହୁ ଗତ କିଛିଦିନତଳେ କରୋନାରେ ସଂକ୍ରମିତ ହୋଇ ଟାଟା କୋଭିଡ୍ ମେଡିକାଲ୍ରେ ଭର୍ତ୍ତିହୋଇ ଚିକିତ୍ସିତ ହେଉଥିଲେ । ଗତ ୪ଦିନ ତଳେ ତାଙ୍କର ମୃତ୍ୟୁ ହୋଇଥିଲେ ମଧ୍ୟ ମେଡିକାଲ୍ କର୍ତ୍ତୃପକ୍ଷ ପରିବାରକୁ ସୂଚନା ଦେବାରେ ବିଳମ୍ବ କରିଥିଲେ । ପରିବାର ଲୋକେ ମୃତ ୪ଦିନ ପରେ ଖବରପାଇ ପ୍ରଶାସନ ଓ ମେଡିକାଲ୍ ପରିଚାଳକଙ୍କ ଅବହେଳାକୁ ନିନ୍ଦାକରି ଗତ ମଙ୍ଗଳବାର ରାତ୍ରରେ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏଭଳି ଏକ ଦୁଃଖଦ ଘଟଣାରେ ମେଡିକାଲ୍ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ବିଳମ୍ବରେ ସୂଚନା ଦେବା ଘଟଣାକୁ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ନିନ୍ଦା କରିବା ସହ ବିଳମ୍ବରେ ଯେଉଁମାନେ ସୂଚନା ଦେଇଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି କହିଛନ୍ତି । ଆବଶ୍ୟକୀୟ ସରକାରୀ ବ୍ୟବସ୍ଥା ତାଙ୍କ ପରିବାରକୁ ଦିଆଯିବ ବୋଲି ମଧ୍ୟ ଘୋଷଣା କରିଛନ୍ତି । ବୁଧବାର ସନ୍ଧ୍ୟାରେ ବିଧାୟକ ଶ୍ରୀ ପଣ୍ଡା ବସନ୍ତ ସାହୁଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ।