
ବ୍ରହ୍ମପୁର: ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଚଳିତବର୍ଷର ମାଟ୍ରିକ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି । ଗଞ୍ଜାମ ଜିଲାରେ ଚଳିତବର୍ଷ ପାସ୍ ହାର ବଢିଛି କିନ୍ତୁ ମେଧାବୀ ତଥା ଭଲ ନମ୍ବର ରଖି ପାସ କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା କମିଯାଇଛି । ରାଜ୍ୟର ସର୍ବାଧିକ ଛାତ୍ରଛାତ୍ରୀ ଥିବା ଜିଲା ଭାବେ ଚଳିତବର୍ଷ ଗଞ୍ଜାମର ୪୬ ହଜାର ୩୩୬ ଜଣ ମାଟ୍ରିକ ପରୀକ୍ଷା ଦେବାକୁ ନିଜ ନାମ ପଞ୍ଜିକରଣ କରିଥିବା ବେଳେ ସେଥିରୁ ୪୫ ହଜାର ୭୦୪ ଜଣ ପରୀକ୍ଷା ଦେଇଥିଲେ । ସେଥିରୁ ୩୭ ହଜାର ୪୪୭ ଜଣ ମାଟ୍ରିକ ପରୀକ୍ଷା ପାସ କରିଛନ୍ତି । ମୋଟ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ୮୨ ପ୍ରତିଶତ ଅଟୋ । ସେହିପରି ଚଳିତ ବର୍ଷ ଜିଲାର ୮୨୨୪ ଜଣ ଫେଲ ହୋଇଛନ୍ତି । ପାସ କରିଥିବା ଏହି ୩୭ ହଜାର ୪୪୭ ଜଣଙ୍କ ମଧ୍ୟରେ ଏ-୧ ଗ୍ରେଡରେ ୧୪୯ ଜଣ ଥିବା ବେଳେ, ଏ-୨ ରେ ୯୧୩, ବି-୧ରେ ୧୯୩୫, ବି-୨ରେ ୩୧୯୧, ସି ଗ୍ରେଡରେ ୪୮୫୨, ଡି ଗ୍ରେଡରେ ୮୫୫୦ ଏବଂ ଇ ଗ୍ରେଡରେ ୧୭୮୮୭ ଜଣ ରହିଛନ୍ତି । ଗତବର୍ଷ ଜିଲାର ୭୨ ପ୍ରତିଶତ ରହିଥିବା ବେଳେ ଚଳିତବର୍ଷ ୧୦ ପ୍ରତିଶତ ବୃଦ୍ଧି ପାଇ ଏହା ୮୨ ପ୍ରତିଶତ ହୋଇଛି । ଯାହା ଜିଲାର ଛାତ୍ରଛାତ୍ରୀଙ୍କ ପାଇଁ ନିହାତି ଖୁସିର ବିଷୟ । କିନ୍ତୁ ଗତବର୍ଷ ଜିଲାରେ ଯେତିକି ଛାତ୍ରଛାତ୍ରୀ ୯୦ ପ୍ରତିଶତ ମାର୍କରୁ ଅଧିକ ରଖିଥିଲେ ଚଳିତବର୍ଷ ତାଠାରୁ ଢେର କମ୍ ବିଦ୍ୟାର୍ଥୀ ଏ-୧, ଏ-୨ ଗ୍ରେଡରେ ପାସ କରିଥିବା ଜଣାପଡ଼ିଛି । ଗତବର୍ଷ ଗଞ୍ଜାମ ଜିଲାର ୧୭୦ ଜଣ ବିଦ୍ୟାର୍ଥୀ ଏ-୧ ଗ୍ରେଡ ରଖି ପାସ କରିଥିଲେ । ଯାହା ରାଜ୍ୟରେ ସର୍ବାଧିକ ଥିଲା । ଗଞ୍ଜାମ ବ୍ୟତୀତ ଅନ୍ୟ କୌଣସି ଜିଲାର ୧୭୦ ଜଣ ବିଦ୍ୟାର୍ଥୀ ଏ-୧ ଗ୍ରେଡ ରଖିନଥିଲେ । ସେହିପରି ଗତବର୍ଷ ଗଞ୍ଜାମର ୧୦୦୪ ଜଣ ଏ-୨ ଗ୍ରେଡରେ ପାସ କରିଥିବା ବେଳେ ଚଳିତବର୍ଷ ମାତ୍ର ୯୧୩ ଜଣ ପାସ କରିଛନ୍ତି । ଗଞ୍ଜାମରେ ମେଧାବୀ ଛାତ୍ରଛାତ୍ରୀ ପଢାଇବା ଲକ୍ଷରେ ମାଟ୍ରିକ ପରୀକ୍ଷା ପୂର୍ବରୁ ଜିଲା ପ୍ରଶାସନ ଓ ଶିକ୍ଷା ବିଭାଗ ପକ୍ଷରୁ ‘ଡ୍ରିମ’ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର କ୍ଳାସ କରାଯାଇ ସପ୍ତାହିକ ଟେଷ୍ଟ କରାଯାଇଥିଲା । ହେଲେ ଆଜିର ରେଜଲ୍ଟ ଦେଖିବା ପରେ ଶିକ୍ଷା ବିଭାଗର ‘ଡ୍ରିମ’ ଅଭିଯାନ ସେତେଟୋ ସଫଳତା ଦେଇପାରିନଥିବା ମନେହେଉଛି ।