ବ୍ରହ୍ମପୁର : ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବଢ଼ିବାରେ ଲାଗିଛି । ରାଜ୍ୟର ବିଭିନ୍ନ ଜେଲ୍ରୁ ମଧ୍ୟ ପଜିଟିଭ ଚିହ୍ନଟ ହେଉଛନ୍ତି । ଅନ୍ତେବାସୀଙ୍କୁ କରୋନା ସଂକ୍ରମଣ ଭୟ ରହିଥିବାରୁ ରାଜ୍ୟ ସରକାର ଜେଲ୍ରୁ କଏଦୀଙ୍କୁ କିଛି ନିର୍ଦ୍ଦିଷ୍ଟ ଦିନ ପାଇଁ ଅନ୍ତରୀଣ ଜାମିନ୍ରେ ଛାଡ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ମାନ୍ୟବର ସୁପ୍ରିମକୋର୍ଟ, ହାଇକୋର୍ଟଙ୍କ ଗାଇଡ୍ ଲାଇନ୍ ଅନୁସାରେ ପର୍ଯ୍ୟାୟକ୍ରମେ କଏଦୀଙ୍କୁ ଛାଡ କରାଯାଉଛି । ବ୍ରହ୍ମପୁର ସର୍କଲରୁ ମାର୍ଚ୍ଚ ୨୦ତାରିଖରୁ ଜୁଲାଇ ୨୮ତାରିଖ ସୁଦ୍ଧା ୫୨୩୧ଅନ୍ତେବାସୀ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜାମିନ୍ରେ ଯାଇଛନ୍ତି । ତନ୍ମଧ୍ୟରେ ସଜା କାଟୁଥିବା କଏଦୀ ରହିଥିବା ବେଳେ ବିଚାରଧିନ ବନ୍ଦୀ ମଧ୍ୟ ରହିଛନ୍ତି । ବ୍ରହ୍ମପୁର ମଣ୍ଡଳ କାରାଗାରରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ୨୨ତାରିଖରେ ମୋଟ ୪୪ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ତନ୍ମଧ୍ୟରେ ୩୫ଜଣ କଏଦୀ ଥିବାବେଳେ ଜେଲରଙ୍କ ସମେତ ୯ଜଣ କର୍ମଚାରୀ ମଧ୍ୟ ଆକ୍ରାନ୍ତ ହୋଇଥିଲେ । ଏହା ପୂର୍ବରୁ ୨୨ଜଣ ପଜିଟିଭ ଚିହ୍ନଟ ହୋଇ ସାରିଛନ୍ତି । ବର୍ତ୍ତମାନ ଜେଲ୍ର କୋଭିଡ୍ ହସ୍ପିଟାଲରେ ୩୫ଜଣ କଏଦୀ ଚିକିତ୍ସାଧିନ ଅଛନ୍ତି । ଜେଲ୍କୁ ବିଭିନ୍ନ ସମୟରେ ସାନିଟାଇଜ୍ କରାଯାଉଛି । ନୂଆ କରି ଜେଲ୍ରୁ ଆସୁଥିବା ଅନ୍ତେବାସୀଙ୍କୁ ସ୍ୱତନ୍ତ୍ର ଭାବେ ସଙ୍ଗରୋଧରେ ରଖାଯାଉଛି । ବ୍ରହ୍ମପୁର ମଣ୍ଡଳ କାରାଗାର ଅଧିନରେ ଥିବା ଜେଲ୍ଗୁଡିକରୁ ୫୨୩୧ଜଣ କଏଦୀ ଛାଡ ପାଇଛନ୍ତି । ତନ୍ମଧ୍ୟରେ ୫୧୮୪ଜଣ ବିଚାରଧିନ ବନ୍ଦୀ ଥିବାବେଳେ ୪୭ଜଣ ସଜା କାଟୁଥିବା କଏଦୀ ରହିଥିବା ସୂଚନା ମିଳିଛି ।