ବ୍ରହ୍ମପୁର: ଗଞ୍ଜାବାସୀଙ୍କୁ ଏବେ ଭଗବାନ ଭରସା । କୋଭିଡ୍ ପରିଚାଳନାରେ ଜିଲ୍ଲା ପ୍ରଶାସନ ଯେ ସମ୍ପୂର୍ଣ୍ଣ ଭାବେ ବିଫଳ ତାହା ବର୍ତ୍ତମାନ ସ୍ପଷ୍ଟ ଭାବେ ପ୍ରମାଣିତ ହେଉଛି । ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ହେଉ କିମ୍ବା କୋଭିଡ୍ ହସ୍ପିଟାଲ ବା କେୟାର ସେଣ୍ଟରରେ ପରିଚାଳନାଗତ ତ୍ରୁଟି । ଯାହାକୁ ନେଇ ଏବେ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଆମ୍ବୁଲାନ୍ସ ରୋଗୀକୁ ନନେଇ ପ୍ରାଣ ହରାଇବା ହେଉ କିମ୍ବା କୋଭିଡ୍ ହସ୍ପିଟାଲରେ ୫ଦିନ ପୂର୍ବରୁ କରୋନା ପଜେଟିଭ ରୋଗୀ ମୃତ୍ୟୁବରଣ କରିଥିଲେ ମଧ୍ୟ ଏନେଇ ତାଙ୍କ ପରିବାର ଲୋକଙ୍କୁ ଅବଗତ ନକରାଇବା ହେଉ । ଏଥିରୁ ଜଣାପଡୁଛି ଯେ, ଜିଲ୍ଲା ପ୍ରଶାସନ କିଭଳି କୋଭିଡ୍ ପରିଚାଳନା କରୁଛି । ରାଜ୍ୟ ସରକାରଙ୍କ ଗଞ୍ଜାମ ପ୍ରତି ଫୋକସ୍ ଏବଂ ଜିଲ୍ଲା ପ୍ରଶାସନର ଏଭଳି କୋଭିଡ୍ ପରିଚାଳନା ନୀତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଗଞ୍ଜାମର ବରିଷ୍ଠ ବିଜେପି ନେତା କାହ୍ନୁଚରଣ ପତି । ସେ କହିଛନ୍ତି ଯେ, ରାଜ୍ୟ ସରକାର ଗଞ୍ଜାମ ପ୍ରତି ଦୃଷ୍ଟି ଦେଉଥିବା କଥା ସମ୍ପୂର୍ଣ୍ଣ ଭାବେ ମିଛ ଏବଂ ପ୍ରଶାସନ କୋଭିଡ୍ ପରିଚାଳନାରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି । ଜିଲ୍ଲାରେ ବର୍ତ୍ତମାନ ଏଭଳି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ କେବଳ ବାହାସ୍ପଟ ନମାରି ଜିଲ୍ଲା ପ୍ରତି ତୁରନ୍ତ ଦୃଷ୍ଟିଦେବା ସହ ଜିଲ୍ଲା ପ୍ରଶାସନ କରୋନା ଯୁଦ୍ଧରେ ସଠିକ୍ ଭାବେ ଲଢ଼େଇକରି ଯେଉଁଭଳି ଲୋକେ ଭରଷା ନତୁଟାଇବେ ସେଥିପ୍ରତି ଧ୍ୟାନ ଦେବାକୁ ଗଞ୍ଜାମ ଜିଲ୍ଲା ପୂର୍ବତନ ବିଜେପି ସଭାପତି କାହ୍ନୁଚରଣ ପତି ଦାବି କରିଛନ୍ତି । ଆଗାମୀଦିନ ମାନଙ୍କରେ ଯଦି ଜନସାଧାରଣଙ୍କ ସହ ଜିଲ୍ଲା ପ୍ରଶାସନ ଏଭଳି ଭୂଆଁ ବୁଲାଇବା ନୀତି ଜାରି ରଖେ ଏବଂ ନିରୀହ ଲୋକ ପ୍ରାଣ ହରାନ୍ତି ତେବେ ଏନେଇ ଗଞ୍ଜାମ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ବିଜେପି ନେତା କାହ୍ନୁଚରଣ ପତି ଚେତାବନୀ ଦେଇଛନ୍ତି ।