ଭୁବନେଶ୍ୱର– ପ୍ରତିବର୍ଷ କୃଷକ ଏବଂ ଯୁବପିଢ଼ୀଙ୍କ ପାଇଁ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା(ସିଫା), କୌଶଲ୍ୟାଗଙ୍ଗରେ ମୁକ୍ତାଚାଷ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଏହି ପ୍ରଶିକ୍ଷଣ ପାଇ ସଫଳତା ହାସଲ କରିଥିବା ଜଣେ ମୁକ୍ତାଚାଷୀଙ୍କୁ ମନ୍କୀବାତ୍-୨.୦ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭୁୟସୀ ପ୍ରଶଂସା କରିଛନ୍ତି ।
ପ୍ରକାଶଥାଉ କି ବିହାରର ବେଗୁସରାଇ ଅଂଚଳର ଜନୈକ ସରକାରୀ କର୍ମଚାରୀ ତଥା ମୁକ୍ତାଚାଷୀ ଶ୍ରୀ ଜୟଶଂକର କୁମାର ସିଫାରେ ମୁକ୍ତାଚାଷ ପ୍ରଶିକ୍ଷଣ ନେଇ ନିଜର ମୁକ୍ତାଚାଷ ଆରମ୍ଭ କରିଥିଲେ । ପରବର୍ତୀ ସମୟରେ ‘ସମନ୍ୱିତ କୃଷି’ ପ୍ରଣାଳୀରେ ମାଛ, କୁକୁଡ଼ା, ବତକ ଓ ଜିଆଖତ ସହ ମୁକ୍ତାଚାଷ ମଧ୍ୟ କରୁଛନ୍ତି । ଶ୍ରୀ କୁମାର ହେଉଛନ୍ତି ଜଣେ ଉତ୍ସାହୀ, ଅଭିନବ ଚିନ୍ତାଧାରା ପୋଷଣ କରୁଥିବା କୁଶଳୀ ଉଦ୍ୟୋଗୀ ଯିଏ ସିଫା ସହିତ ନିୟମିତ ସଂପର୍କ ରକ୍ଷାକରି ସ୍ୱକୌଶଳ ବିକାଶ କରିଆସୁଛନ୍ତି । ସେ ଜଣେ ସଫଳ ମୁକ୍ତାଚାଷୀ, ଯିଏକି ନିଜେ ମୁକ୍ତାଚାଷ କରିବା ସହ ଅନ୍ୟ ଆଗ୍ରହୀ ଚାଷୀ ତଥା କୋଭିଡ-୧୯ ର ଦୁର୍ଦ୍ଦଶା ସମୟରେ ଗାଁ କୁ ଫେରୁଥିବା ପ୍ରବାସୀ ଶ୍ରମିକମାନଙ୍କୁ ମୁକ୍ତାଚାଷ ପ୍ରଶିକ୍ଷଣ ଦେଇ ଆତ୍ମନିର୍ଭରଶୀଳ ହେବା ପାଇଁ ଉତ୍ସାହିତ କରୁଛନ୍ତି । ମାନ୍ୟବର ପ୍ରଧାନମନ୍ତ୍ରୀ ଗତ ଜୁଲାଇ ୨୬ ତାରିଖ ଦିନ ପ୍ରସାରିତ ତାଙ୍କର ମନ୍କୀବାତ୍-୨.୦ ର ଚତୁର୍ଦ୍ଦଶତମ ଅଧ୍ୟାୟରେ ସମ୍ବୋଧନକରି ଆୟବୃଦ୍ଧି ପାଇଁ ନୂତନ ଚିନ୍ତାଧାରା ପୋଷଣ କରୁଥିବା କୃଷକମାନଙ୍କର କାର୍ଯ୍ୟଧାରାକୁ ପ୍ରଶଂସା କରିବା ସହ ଆତ୍ମ ନିର୍ଭର ଭାରତ ପାଇଁ ଏଭଳି ଉଦ୍ୟମର ଗୁରୁତ୍ୱ ବର୍ଣ୍ଣନା କରିଥିଲେ । ଭାରତୀୟ କୃଷି ଗବେଷଣା ପରିଷଦର ଉପ-ମହାନିର୍ଦ୍ଦେଶକ ଡଃ ଜୟକୃଷ୍ଣ ଜେନା ଓ ସିଫାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡଃ ସରୋଜ କୁମାର ସ୍ୱାଇଁ ପ୍ରଧାନମନ୍ତ୍ରୀଙ୍କ ମନ୍କୀବାତ୍ କାର୍ଯ୍ୟକ୍ରମରେ ସ୍ଥାନ ପାଇଥିବା ସଫଳ ଚାଷୀ ଶ୍ରୀ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।