ନୂଆଦିଲ୍ଲୀ– ବାଘ ପ୍ରକୃତିର ଏକ ଅମୂଲ୍ୟ ବରଦାନ । ଏହାର ବଂଶ ବୃଦ୍ଧି ବନାଞ୍ଚଳ ଭାରସାମ୍ୟ ରକ୍ଷାରେ ସହାୟକ ବୋଲି କେନ୍ଦ୍ର ପରିବେଶ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର କହିଛନ୍ତି । ବିଶ୍ଵ ବ୍ୟାଘ୍ର ଦିବସର ଅବ୍ୟବହିତ ପୂର୍ବରୁ ଆଜି ନୂଆଦିଲ୍ଲୀଠାରେ ବ୍ୟାଘ୍ର ଗଣନାର ବିସ୍ତୃତ ରିପୋର୍ଟ ଉନ୍ମୋଚନ କରିବା ଅବସରରେ ସେ ଏହା କହିଛନ୍ତି ।
ସେ କହିଛନ୍ତି ଯେ, ଭାରତରେ ବାଘ ଓ ଅନ୍ୟାନ୍ୟ ହିଂସ୍ର ଜନ୍ତୁ ଆମର ଏକ ଅମୂଲ୍ୟ ସମ୍ପଦ । ଭୂଖଣ୍ଡ ଭଳି ଅନ୍ୟାନ୍ୟ ପ୍ରତିବନ୍ଧକ ସତ୍ଵେ ବୃକ୍ଷ ଲତା ଓ ବନ୍ୟାପ୍ରାଣୀ ସମ୍ବେଦନଶୀଳତା ଆମ ଦେଶ ସଂସ୍କୃତିର ଏକ ଅଂଶବିଶେଷ । ସେଦୃଷ୍ଟିରୁ ଦେଶରେ ଶତକଡା 8 ଭାଗ ଜୈବବିବିଧତା ରହିଛି । ବନ୍ୟପ୍ରାଣୀ ଆମର ପ୍ରାକୃତିକ ସମ୍ପଦ ନହେଲେ ମଧ୍ୟ ପୃଥିବୀର ଶତକଡା 70 ଭାଗ ବାଘ ଆମ ଦେଶରେ ରହିବା ଏକ ପ୍ରଶଂସନୀୟ ବିଷୟ । ପୃଥିବୀର ବାଘ ଜୈବମଣ୍ଡଳୀ ଥିବା ସମସ୍ତ 13ଟି ଦେଶ ସହ ବାଘ ସଂଖ୍ୟା ବୃଦ୍ଧି ଦିଗରେ ଭାରତ ଅନବରତ ଉଦ୍ୟମ କରୁଛି ବୋଲି ମନ୍ତ୍ରୀ କହିଛନ୍ତି ।
ମଣିଷ ସହ ସଂଘର୍ଷ ଯୋଗୁଁ ବନ୍ୟପ୍ରାଣୀଙ୍କର ଜୀବନହାନି ରୋକିବା ପାଇଁ ଏକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସେମାନଙ୍କୁ ଜଙ୍ଗଲ ମଧ୍ୟରେ ଆହାର ଓ ଜଳ ଯୋଗାଇବାକୁ ଏହି ଯୋଜନାରେ ବ୍ୟବସ୍ଥା କରାଯାଉଛି । ଦେଶରେ ପ୍ରଥମ ଥର ପାଇଁ ଏଥିପାଇଁ ଲିଡାର ଭିତ୍ତିକ ଜ୍ଞାନକୌଶଳର ସହଯୋଗ ନିଆଯିବ । ଲିଡାର ପଦ୍ଧତି ସର୍ବକ୍ଷେଣରେ ଲକ୍ଷ୍ୟ ସ୍ଥଳକୁ ଲେଜର ଲାଇଟ ଦ୍ଵାରା ଆଲୋକିତ କରି ଦୂରସମ୍ବେଦୀ ଯନ୍ତ୍ର ସାହାଯ୍ୟରେ ଏହାର ପ୍ରତିଫଳନ ମପାଯାଇଥାଏ ।
ବାଘ ଗଣନା ଉପରେ ଆଲୋକପାତ କରି ସେ କହିଛନ୍ତି ଯେ, ମହାବଳ ବାଘ ସହ ଅନ୍ୟାନ୍ୟ ପ୍ରଜାତିର ବାଘମାନଙ୍କର ମଧ୍ୟ ହିସାବ କରାଯାଇଛି । ଦେଶର ଶତକଡା 30 ଭାଗ ବାଘ ବ୍ୟାଘ୍ର ଅଭୟାରଣ୍ୟ ବାହାରେ ଥିବାରୁ ବିଶ୍ଵର ବ୍ୟାଘ୍ର ସଂରକ୍ଷଣ ସୁନିଶ୍ଚିତ ମାନକ (ସିଏଟିଏସ) ଫ୍ରେମୱାର୍କର ସହାୟତା ଲୋଡାଯାଇଛି । ଏହାଫଳରେ ଅବଶିଷ୍ଟ 30 ଭାଗ ଅଞ୍ଚଳ ମଧ୍ୟ ଦେଶର 50ଟି ବ୍ୟାଘ୍ର ସଂରକ୍ଷିତ ଅଞ୍ଚଳ ମଧ୍ୟରେ ଅନ୍ତର୍ଭୁକ୍ତ ହୋଇପାରିବ । ଏହି ଅବସରରେ ଉଦବୋଧନ ଦେଇ ପରିବେଶ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବାବୁଲ ସୁପ୍ରିୟୋ କହିଛନ୍ତି ଯେ, ଦେଶରେ ବନ୍ୟପ୍ରାଣୀ ଓ ମଣିଷଙ୍କ ମଧ୍ୟରେ ହେଉଥିବା ସଂଘର୍ଷକୁ ଏଡାଇବା ସମ୍ଭବ, କିନ୍ତୁ ସମ୍ପୂର୍ଣ୍ଣ ବନ୍ଦ କରିବା ଅସମ୍ଭବ । ବ୍ୟାଘ୍ର ସମ୍ପଦ ବୃଦ୍ଧି ଦିଗରେ ଅଗ୍ରଣୀ ଯୋଦ୍ଧାମାନଙ୍କ ଅନବରତ ପ୍ରୟାସ ଯୋଗୁଁ ଯଥେଷ୍ଟ ସଫଳତା ମିଳିପାରିଛି